ଝାରସୁଗୁଡ଼ା: ‘ଉଡ଼ାନ୍’ ଯୋଜନାରେ ପ୍ରତିଷ୍ଠିତ ହୋଇଥିବା ବିମାନବନ୍ଦର ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଝାରସୁଗୁଡ଼ା ‘ଭିଏସ୍ଏସ୍ ଏୟାର୍ପୋର୍ଟ’ରେ ବିମାନ ଚଳାଚଳ ପାଇଁ ଯାତ୍ରୀ ଅଛନ୍ତି। ଗତ କୋଭିଡ୍ ସମୟରେ ଜାତୀୟ ତଥା ଅନ୍ତର୍ଜାତୀୟ ତୁଳନାରେ ଏହି ବିମାନବନ୍ଦରର ଯାତ୍ରୀ ସଂଖ୍ୟା ଅଧିକ ଥିଲା। ଯେଉଁଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଝାରସୁଗୁଡ଼ାଠାରେ ‘ଉଡ଼ାନ ଉତ୍ସବ’ ଆୟୋଜନ କରିଥିଲା। ଏହାସତ୍ତ୍ବେ ବି ବିମାନବନ୍ଦର ଏକପ୍ରକାର ଆଣ୍ଠେଇବା ଅବସ୍ଥାରେ ରହିଛି। ଏଠାକାର ଯାତ୍ରୀ ରାୟପୁର, ଭୁବନେଶ୍ବର ଓ ରାଞ୍ଚି ବିମାନବନ୍ଦର ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି।
୨୦୧୮ ମସିହା ସେପ୍ଟେମ୍ବର ମାସରେ ପ୍ରତିଷ୍ଠିତ ହୋଇଥିଲା ଏହି ବିମାନ ବନ୍ଦର। ଭୁବନେଶ୍ବର ପରେ ଏହା ହେଉଛି ଦ୍ବିତୀୟ ବିମାନବନ୍ଦର, ଯାହାକି ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହୋଇଛି। ଏହି ବିମାନବନ୍ଦର ‘ଉଡ଼ାନ୍’ ଯୋଜନାରେ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଆସି ଏହାକୁ ଉଦ୍ଘାଟନ କରିଥିଲେ। ଏହାପରେ, ଏୟାର ଓଡ଼ିଶା ଏଠାରୁ ଭୁବନେଶ୍ବରକୁ ଏକ ଛୋଟ ବିମାନ ଚଳାଇବା ଆରମ୍ଭ କରିଥିଲା। ତେବେ, ୨/୪ଦିନ ଚାଲିବା ପରେ ଏହି ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଏହାର ୬ ମାସ ପରେ ଏଠାରୁ ଏଲାୟନ୍ସ ଏୟାର କୋଲକାତା, ଭୁବନେଶ୍ବର ଓ ରାୟପୁର ମଧ୍ୟରେ ଉଡ଼ାଣ ଆରମ୍ଭ କରିଥିଲା। ପରେ ସ୍ପାଇସ୍ଜେଟ୍ ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ବିମାନ ସେବା ଆରମ୍ଭ କରିଥିଲା। ସ୍ପାଇସଜେଟ୍ ସ୍ବଳ୍ପଦିନ ପାଇଁ ବେଙ୍ଗାଲୁରୁ, ମୁମ୍ବାଇ, ପାଟନା, ଚେନ୍ନାଇକୁ ସେବା ଯୋଗାଇ ବନ୍ଦ କରି ଦେଇଥିଲା। ଗତ କିଛିମାସ ତଳେ ଡିଜିସିଏ ବୈଷୟିକ କାରଣ ଯୋଗୁଁ ସ୍ପାଇସ୍ ଜେଟ୍ କମ୍ପାନିର ସେବାକୁ ୫୦ ପ୍ରତିଶତ ସଙ୍କୁଚିତ କରିଦେବା ଫଳରେ ଏହାର ପ୍ରଭାବ ଝାରସୁଗୁଡ଼ା ବିମାନବନ୍ଦର ଉପରେ ପଡ଼ିଥିଲା। ଏହାଫଳରେ ପ୍ରଥମେ ହାଇଦ୍ରାବାଦ, କୋଲକାତା, ବେଙ୍ଗାଲୁରୁ ପ୍ରଭୃତି ଅଞ୍ଚଳକୁ ଉଡ଼ାଣ ବନ୍ଦ ହୋଇ ଯାଇଥିଲା। ଏକମାତ୍ର ଦିଲ୍ଲୀ ବିମାନ ମଧ୍ୟ ଅନିୟମିତ ଉଡ଼ାଣ କରୁଥିବା ଜଣାପଡ଼ିଛି। ଏପଟେ ଏଲାୟନ୍ସ ଏୟାର ଚଳିତ ମାସ ପହିଲାରୁ ରାୟପୁର ଉଡ଼ାଣକୁ ଯାତ୍ରୀ ନହେବା କାରଣ ଦର୍ଶାଇ ବାତିଲ୍ କରି ଦେଇଛି। ଫଳରେ, ଏବେ ଏହି ବିମାନବନ୍ଦରରୁ କେବଳ ଭୁବନେଶ୍ବର ଓ କୋଲକାତା ମଧ୍ୟରେ ଉଡ଼ାଣ ସୀମିତ ରହିଛି।