ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ତାଲାବନ୍ଦ, ବିଭିନ୍ନ ଛକରେ ଲୋକଙ୍କୁ ସଚେତନ କଲେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ

ଝାରସୁଗୁଡ଼ା: ରାଜ୍ୟ ସରକାର ଶନିବାର ୫ ଜିଲ୍ଲା ଓ ୭ ସହରକୁ ତାଲାବନ୍ଦ ଘୋଷଣା କରିଥିଲେ। ୭ ସହର ମଧ୍ୟରେ ଝାରସୁଗୁଡ଼ା ମଧ୍ୟ ରହିଥିଲା। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ଏ ନେଇ ବିଧିବଦ୍ଧ ଘୋଷଣା କରିଥିବା ବେଳେ ଝାରସୁଗୁଡ଼ା ସହର ସହିତ ବ୍ରଜରାଜନଗର ସହରକୁ ମଧ୍ୟ ତାଲାବନ୍ଦ ଘୋଷଣା କରିଛନ୍ତି। ଜିଲ୍ଲାର ଏହି ଦୁଇଗୋଟି ସହର ୨୯ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ଲୋକେ ଏହି ସମୟରେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ହେଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ତାଲାବନ୍ଦ ବେଳେ ଆଜି ଔଷଧ, ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଜରାତି ସାମଗ୍ରୀ, ମାଛ, ମାଂସ, ଅଣ୍ଡା, କୁକୁଡ଼ା, ପନିପରିବା, ପେଟ୍ରୋଲ, ଗ୍ୟାସ୍ ପ୍ରଭୃତି ଦୋକାନ ଖୋଲା ରହିଛି। ତେବେ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି। ରବିବାର ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଥିବା ବେଳେ ଆଜି ସାରା ଜିଲ୍ଲାରେ ଏହାକୁ ପାଳନ କରାଯାଉଛି। ସକାଳେ କାଁ ଭାଁ ଲୋକ ଜରୁରୀ କାମରେ ବାହାରିଥିବା ବେଳେ ୮ ଟା ପରେ ସାରା ସହର ଶୂନଶାନ୍ ହୋଇ ପଡ଼ିଛି। ଅନାବଶ୍ୟକ ଭାବରେ ବୁଲୁଥିବା ଲୋକଙ୍କୁ ବିଭିନ୍ନ ଛକରେ ପୁଲିସ ଅଟକାଇ ବାରଣ କରିବା ସହିତ ଚାଲାଣ କାଟୁଥିବା ଦେଖିବାକୁ ମିଳିଛି।

ଜିଲ୍ଲାପାଳ ଶ୍ରୀ ସାମଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଉପଜିଲ୍ଲାପାଳ ଶିବ ଟପ୍ପୋ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ବିଭିନ୍ନ ରାସ୍ତା ଓ ଛକରେ ରହି ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଥିଲା। ରେଳ ଷ୍ଟେସନ ମଧ୍ୟ ଖାଁ ଖାଁ ହୋଇ ଯାଇଛି। ଗୋଟିଏ ଦୁଇଟି ଟ୍ରେନ୍ କୁ ଛାଡ଼ି ଦେଲେ ପ୍ରାୟ ସବୁ ଟ୍ରେନ୍ ବନ୍ଦ ରହିଛି। ବିମାନ ବନ୍ଦରରେ ସକାଳେ ଯାଉଥିବା ରାୟପୁର ଓ ଭୁବନେଶ୍ବର ବିମାନ ଯାତ୍ରା କରିଥିବା ବେଳେ ସେଥିରେ ଅଳ୍ପସଂଖ୍ୟକ ଯାତ୍ରୀ ଥିଲେ। ଦିଲ୍ଲୀ- ଝାରସୁଗୁଡ଼ା ବିମାନ ଆଜି ବାତିଲ ହୋଇଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର