ଯଶିପୁର: ଶିମିଳିପାଳ ବନାଞ୍ଚଳବାସୀଙ୍କ ଆନ୍ଦୋଳନ ଦିନକୁ ଦିନ ଜୋର ହେବାରେ ଲାଗିଛି। ଦୀର୍ଘଦିନ ଧରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯିବାକୁ ଦାବି ହୋଇ ଆସୁଥିବା ବେଳେ ସେଗୁଡ଼ିକ ପୂରଣ ହେଉନି। ଫଳରେ ଗତ ନଭେମ୍ବର ୨୫ ତାରିଖରୁ ଶିମିଳିପାଳର ୪ଟି ସ୍ଥାନରେ ବନବାସୀ ରାସ୍ତାରୋକ କରିଆସୁଛନ୍ତି। ଫଳରେ ପର୍ଯ୍ୟଟକଙ୍କ ସହ ବନ ବିଭାଗ କର୍ମଚାରୀ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ବରେହିପାଣି, କୁମାରୀ ଓ ଗୁଡ଼ୁଗୁଡ଼ିଆକୁ ଯାଇପାରୁନାହାନ୍ତି। ଦାବି ପୂରଣ ଲାଗି ପ୍ରଶାସନ କୌଣସି ନିଷ୍ପତ୍ତି ନେଇ ପାରୁ ନଥିବା ବେଳେ ଆଜି ବରେହିପାଣି ଚହଲା ଛକରେ ୩ଟି ପଞ୍ଚାୟତର ୫ ହଜାରରୁ ଅଧିକ ଲୋକ ମେଳି କରି ପ୍ରଶାସନ ବିରୋଧରେ ଅସନ୍ତୋଷ ଉଗାଳିଛନ୍ତି।

Advertisment

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଦାବି ପୂରଣ କରୁନାହାନ୍ତି। ଫଳରେ ଗତ ୨୫ ତାରିଖରୁ ଗୁଡ଼ୁଗୁଡ଼ିଆ ପଞ୍ଚାୟତର ଲେଞ୍ଜଘୋଷାରା ଛକ, ବରେହିପାଣି ପଞ୍ଚାୟତର ବରେହିପାଣି ଛକ, ଅସ୍ତକୁମାର ପଞ୍ଚାୟତର ନଅଣା ଓ ନିର୍ଗିଦା ଛକଠାରେ ସ୍ଥାନୀୟ ଲୋକ ରାସ୍ତାରୋକ କରି ଆସୁଛନ୍ତି। ଶୁକ୍ରବାର ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ବରେହିପାଣି ଚହଲା ଛକରେ ଏକ ସମାଧାନ ବୈଠକ ଡକାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ୧ ଘଣ୍ଟାରୁ ଅଧିକ ସମୟ ଆଲୋଚନା ସତ୍ତ୍ବେ କିଛି ନିଷ୍କର୍ଷ ବାହାରି ପାରିନଥିଲା। ଅନ୍ୟପଟେ ଲୋକଙ୍କ ସମସ୍ୟାକୁ ଆଖିଆଗରେ ରଖି ଆସନ୍ତା ୪ ତାରିଖରୁ ଆନ୍ଦୋଳନ ସାମାନ୍ୟ କୋହଳ କରାଯିବ ବୋଲି ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।

ବନାଞ୍ଚଳରେ ଚଳାଚଳ କରୁଥିବା ବିଜୁ ଗାଁ ଗାଡ଼ି, ଜରୁରୀକାଳୀନ ଯାନବାହନ, ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପରିବହନକାରୀ ଗାଡ଼ିଗୁଡ଼ିକୁ ଛାଡ଼ିଦେଲେ ପର୍ଯ୍ୟଟକଙ୍କ ଗାଡ଼ି ତଥା ଅନ୍ୟ ଗାଡ଼ିଗୁଡ଼ିକ ଚଳାଚଳ ପାଇଁ ଅନୁମତି ମିଳିବ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ସେହିପରି ଶିମିଳିପାଳ ବିକାଶ ପରିଷଦ ବନ ବିଭାଗରେ କାର୍ଯ୍ୟରତ ସଂପୃକ୍ତ ୩ଟି ପଞ୍ଚାୟତର ୫ ଶହରୁ ଅଧିକ ସବୁଜବାହିନୀ କର୍ମୀଙ୍କୁ କାର୍ଯ୍ୟରେ ଯୋଗ ନଦେବାକୁ ମଧ୍ୟ ଆହ୍ବାନ ଦିଆଯାଇଛି। ଏହି ଅବସରରେ ପୁଣିଥରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଶିମିଳିପାଳ ବନ୍ୟପ୍ରାଣୀ ଉପନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା। ବନ ବିଭାଗ ଓ ପ୍ରଶାସନ ଦାବି ପୂରଣ ବାବଦରେ କୌଣସି ନିଷ୍ପତ୍ତି ନେଇ ପାରୁ ନଥିବାରୁ ଶିମିଳିପାଳରେ ଅଭାବନୀୟ ପରିସ୍ଥିତି ଲାଗି ରହିଛି।