ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ: ଉତ୍ସବ ମୁଖର ମଠ ଓ ମନ୍ଦିର

ପୁରୀ: ଶ୍ରାବଣ ଶୁକ୍ଳ ପକ୍ଷ ଦଶମୀଠାରୁ ଶ୍ରୀମନ୍ଦିରରେ ୭ ଦିନ ବ୍ୟାପୀ ଝୁଲଣ ପର୍ବ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଆଜି ଉତ୍ସବମୁଖର ହୋଇଉଠିଛି। ମୁକ୍ତି ମଣ୍ଡପକୁ ଶୁଭ୍ର ତୋରଣରେ ସଜା ଯାଇଥିବାବେଳେ ମଣ୍ଡପ କଡ଼ରେ ଝୁଲଣ ବେଦୀ ପ୍ରସ୍ତୁତ ହୋଇଛି। ରାଧାକୃଷ୍ଣଙ୍କ ପାଇଁ ଜରି, ଜମ୍ବୁରା, ସୋଲ ଖଚିତ ଝୁଲଣକୁ ଫୁଲରେ ସଜାଯାଇଛି। ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ ଝୁଲଣ ମଣ୍ଡପରେ ବିଜେ ହୋଇଛନ୍ତି। ତଳେ ଭଜନ କୀର୍ତନ ଚାଲିଥିବାବେଳେ ସେବାୟତମାନେ ଝୁଲଣରେ ମହାପ୍ରଭୁଙ୍କୁ ଝୁଲାଇଛନ୍ତି। ଏହି ଅପରୂପ ଦୃଶ୍ୟକୁ ଦେଖିବା ପାଇଁ ଆଜି ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ହୋଇଥିଲା।

ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସଂଧ୍ୟା ଆଳତି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଥିଲା। ପରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଝୁଲଣରେ ବିଜେ କରିଥିଲେ। ବିଡିଆ ମଣୋହି ନୀତି ସଂପନ୍ନ ହେବା ପରେ ମହାପ୍ରଭୁଙ୍କୁ ଝୁଲଣରେ ଝୁଲାଯାଇଥିଲା। ଚନ୍ଦନ ଲାଗି ନୀତି ପରେ ବାହୁଡ଼ା ବିଜେ ନୀତି ସଂପନ୍ନ ହୋଇଥିଲା। କେବଳ ଶ୍ରୀମନ୍ଦିର ନୁହେଁ, ଝୁଲଣ ପର୍ବ ଉପଲେକ୍ଷ ଆଜି ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ମନ୍ଦିର ବି ଉତ୍ସବମୁଖର ହୋଇଉଠିଛି। ଜଗନ୍ନାଥ ବଲ୍ଲଭ ମଠ, ରାଧାବଲ୍ଲଭ ମଠ, ଉତ୍ତର ପାର୍ଶ୍ୱ ଓ ଦକ୍ଷିଣ ପାର୍ଶ୍ୱ ମଠ, ଏମ୍‌ଆର ମଠରେ ଝୁଲଣ ପର୍ବ ଜାକଜମକରେ ପାଳିତ ହୋଇଛି।

ସମ୍ବନ୍ଧିତ ଖବର