ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଲୋକଙ୍କ ଭିତରେ ସଂସ୍କୃତି ଭରି ରହିଛି। ଏଠାରେ ଜନଜାତି ସମୁଦାୟଙ୍କ ମଧ୍ୟରେ ଆଦୃତ ପାରମ୍ପରିକ ଲୋକଗୀତ ‘ଝୁମର’ ଅସ୍ମିତା ଓ ଅଭିବ୍ୟକ୍ତିର ପ୍ରତୀକ। ଝୁମର ଏହି ଅଞ୍ଚଳର ସଭ୍ୟତାର ପ୍ରତିବିମ୍ବ ବୋଲି ସୋମବାର ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଜାତୀୟ ଝୁମର କର୍ମଶାଳାରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ‘ଓଡ଼ିଶା ଝୁମର ଏକାଡେମୀ’ ଓ ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ’ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଲେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ହୋଇଥିବା ଲଢ଼େଇରେ ମୟୂରଭଞ୍ଜର ତତ୍କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ। ତାଙ୍କର ପୃଷ୍ଠପୋଷକତାରେ ଓଡ଼ିଆ ଭାଷା ସାହିତ୍ୟ ଋଦ୍ଧିମନ୍ତ ହୋଇଛି। ମୟୂରଭଞ୍ଜ ନିଜର ଝାଳବୁହା ଅର୍ଥରେ ଜିଲ୍ଲାର ବିକାଶ ପାଇଁ ନୁହେଁ, ବରଂ ସମଗ୍ର ଓଡ଼ିଶାର ଭାଷା ଓ ସାହିତ୍ୟର ଉତ୍‌ଥାନ ପାଇଁ ଯୋଗଦାନ ଦେଇଛି। ମୟୂରଭଞ୍ଜର ଶତାବ୍ଦୀ ପୁରୁଣା ତାଳପୋଥି, ହରିଦ୍ୱାରରେ ସଂଗୃହୀତ ହୋଇଛି।

Advertisment

ଓଡ଼ିଆ ଭାଷା, ସାହିତ୍ୟର ଉତ୍‌ଥାନ କରିଛି ମୟୂରଭଞ୍ଜ
ଜିଲ୍ଲାର କଳା, ଐତିହ୍ୟ ଓ ଇତିହାସକୁ ଋଦ୍ଧିମନ୍ତ କରିବା ଆମର ସାମୂହିକ ଦାୟିତ୍ୱ

ଶ୍ରୀ ପ୍ରଧାନ ଆହୁରି କହିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜକୁ ଗୌରବାନ୍ୱିତ କରିଛନ୍ତି। ଆମର ସମସ୍ତଙ୍କ ଦାୟିତ୍ୱ ହେଉଛି, ମହାମହିମଙ୍କ ଜିଲ୍ଲାର କଳା, ଐତିହ୍ୟ ଓ ଇତିହାସକୁ ଋଦ୍ଧିମନ୍ତ କରିବା। ସେହିପରି ଝୁମର ଓ ଛଉ ଭଳି ଲୋକଗୀତ ଓ ନୃତ୍ୟକୁ ବିଶ୍ୱବିଦିତ କରିବା ପାଇଁ ଯୋଜନା କରିବାକୁ ହେବ। ତେବେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପିତ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ସ୍ବପ୍ନ ବାସ୍ତବ ରୂପ ନେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟ ପରିସରରେ ଇନ୍‌ଡୋର ଷ୍ଟାଡିୟମ ଓ ଚିକିତ୍ସାଳୟକୁ ଲୋକାର୍ପିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଝୁମର ଏକାଡେମୀର ସଭାପତି ଅବନୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ମୁଖ୍ୟବକ୍ତା ଭାବେ ଜାତୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବସା, ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଉପସଭାପତି ରାକେଶ କୁମାର ସିଂ, ସାଂସ୍କୃତିକ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ମହାନ୍ତ, ଗୀତିକାର ଡ. ରମାକାନ୍ତ ମହାନ୍ତ, ସମ୍ପାଦକ ବସନ୍ତ କୁମାର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।