ଭୁବନେଶ୍ବର : ‘ଭାଷା’ ମଣିଷର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମଣିଷ ‘ଭାବ’ ରାଇଜର ମାଲିକ। ଭାଷା ଓ ଭାବକୁ ନେଇ ଯେଉଁ ଖେଳ ଖେଳାଯାଏ, ତାହା ହିଁ ‘ସାହିତ୍ୟ’। ଭାଷା ବିନା ସାହିତ୍ୟର କଳ୍ପନା କରାଯାଇ ପାରିବ ନାହିଁ। ଭାବ ବିନା ବି ସାହିତ୍ୟ ଅସମ୍ଭବ। ଭାଷା ଓ ଭାବ ମଧ୍ୟରେ ଯେଉଁ ଘନିଷ୍ଠ ସମ୍ପର୍କ ଅଛି, ସେ ସମ୍ପର୍କକୁ ନେଇ ପିଲାମାନେ କିଭଳି ବଢ଼ିବେ, ସେମାନଙ୍କ ଭାଷା ରାଇଜଟି କିଭଳି ସମୃଦ୍ଧ ହେବ, ତାଙ୍କ ଭାବ ରାଇଜଟି କିଭଳି ନିୟନ୍ତ୍ରଣରେ ରହିବ ଓ ଆମେ ବଡ଼ମାନେ କେଉଁଭଳି ସେମାନଙ୍କୁ ବଢ଼ାଇବାକୁ ଚାହୁଛୁ ଆଦିକୁ ନେଇ ଯାହା ଲେଖାଯାଏ ତାକୁ ଶିଶୁ ସାହିତ୍ୟ କୁହାଯାଏ ବୋଲି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଶିଶୁ ପତ୍ରିକା ‘ଝୁମୁକା’ର ୩୫ତମ ସାରସ୍ବତ ସମାରୋହରେ ‘ପିଲାଙ୍କ ଆବଶ୍ୟକତାକୁ ଚାହିଁ ସାହିତ୍ୟ’ ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର୍ ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଆଜିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମସ୍ତ ମାଧ୍ୟମ ଶିଶୁଙ୍କୁ ଅଧିକ ପ୍ରଭାବିତ କରୁଛି। ଏଣୁ ଏହି ମାଧ୍ୟମକୁ ହିଁ ବ୍ୟବହାର କରି ଆମେ ତାଙ୍କ ପାଖରେ ଉଚିତ ଉଚ୍ଚାରଣ ଓ ଆଚରଣର କଥା, କାହାଣୀ ସବୁ ପହଞ୍ଚାଇ ପାରିଲେ, ଆମ ଶିଶୁ ସାହିତ୍ୟ ଶିଶୁଙ୍କୁ ପ୍ରଭାବିତ ଓ ଅଧିକ ସମୃଦ୍ଧ କରିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ମନସ୍ତତ୍ତ୍ବବିତ୍ ସଙ୍ଗୀତା ରଥ ଶିଶୁମାନଙ୍କ ଉପରେ ଶିଶୁ ସାହିତ୍ୟର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଏକ ଭଲ ପୁସ୍ତକ ମଣିଷର ବ୍ୟକ୍ତିତ୍ବ ପରିବର୍ତ୍ତନ ଓ ଉତ୍କୃଷ୍ଟ ଚିନ୍ତାଧାରାର ମାଧ୍ୟମ ସାଜେ। ଏହା ଶିଶୁର ବୌଦ୍ଧିକ ବିକାଶ ସହ ବ୍ୟାବହାରିକତାରେ ମାର୍ଜନା ଆଣେ। ଏଣୁ ଶିଶୁ ସାହିତ୍ୟ ସରଳ, ସୁନ୍ଦର, ବୋଧଗମ୍ୟ ଓ ରୋଚକ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ଜୀବନବ୍ୟାପୀ ଶିଶୁସାହିତ୍ୟ ସାଧନା ପାଇଁ ୩ ସାରସ୍ବତ ସାଧକଙ୍କୁ ସମ୍ମାନିତ କରାଯାଇଥିଲା। ମହେନ୍ଦ୍ର କୁମାର ମଲ୍ଲିକ, ଶରତ କୁମାର ନାୟକ ଓ ଲକ୍ଷ୍ମୀପ୍ରିୟା ରାଉତରାୟଙ୍କୁ ଏହି ଅବସରରେ ‘ଝୁମୁକା ସାରସ୍ବତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ‘ଝୁମୁକାର ବାର୍ଷିକ ସଂଖ୍ୟା’ ସହ ଲେଖକ ରାମଚନ୍ଦ୍ର ଦେଓଙ୍କ ପୁସ୍ତକ ‘ବିଜ୍ଞାନ: ଏ ଯୁଗର ସେ ଯୁଗର’ ଲୋକାର୍ପିତ ହୋଇଥିଲା। ଝୁମୁକାର ସମ୍ପାଦକ ମାନସ ରଞ୍ଜନ ସାମଲ ସ୍ବାଗତ ଭାଷଣ ଓ ସୁଜାତା ଦାସ ଧନ୍ୟବାଦ ଦେଇଥିଲେ।