ଭୁବନେଶ୍ବର : ଅଭାବ, ଅନଟନର ଦୁଃଖ କ’ଣ ଜାଣିଛନ୍ତି, ଅଙ୍ଗେ ବି ନିଭେଇଛନ୍ତି। ବସ୍ତିରେ ରହି ବସ୍ତିବାସିନ୍ଦାଙ୍କ ଦୁଃଖ ଅତି ପାଖରୁ ଦେଖିଛନ୍ତି। ଦିନସାରା ପର ଘରେ ପାଇଟି କରି ଟଙ୍କା ରୋଜଗାର କରି ଆଣୁଥିବା ମହିଳାକୁ ତା’ ମଦୁଆ ସ୍ବାମୀ ନିର୍ଘାତ ମାଡ଼ ମାରିବା, ସ୍ବାମୀ ଓ ପିଲାଙ୍କୁ ଖାଇବାକୁ ଦେବା ପରେ ପେଟରେ ଓଦା କନା ପକାଇ ଶୋଉଥିବା ମହିଳାଙ୍କ ବିକଳ ଦୃଶ୍ୟ ବି ତାଙ୍କ ଆଖିରେ ପଡ଼ିଛି। ତେଣୁ ମହିଳାଙ୍କୁ ସଶକ୍ତ କରିବା ପାଇଁ ସେ ସଂକଳ୍ପ ନେଇ ଲକ୍ଷ୍ୟପଥରେ ଆଗେଇ ଚାଲିଛନ୍ତି। ବସ୍ତିର ମହିଳାଙ୍କୁ ପ୍ରଶିକ୍ଷଣ ଦେବା ସହ ଆତ୍ମନିର୍ଭର ହେବାର କୌଶଳ ଶିଖାଉଛନ୍ତି। ଡ୍ରାଇଭିଂଠାରୁ ଆରମ୍ଭ କରି ଛତୁଚାଷ ଓ ସିଲେଇଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା; ସବୁଥିରେ ସେ ଦକ୍ଷ ଓ ପାରଙ୍ଗମ। ନିଜର ଜ୍ଞାନକୁ ସେ ଅନ୍ୟମାନଙ୍କୁ ବାଣ୍ଟି ଆତ୍ମନିର୍ଭର ହେବା ପାଇଁ ପ୍ରେରଣା ଦେଉଛନ୍ତି। ସ୍ବୟଂସହାୟକ ଗୋଷ୍ଠୀ ଗଠନ କରି ୨୪ ମହିଳାଙ୍କୁ ସ୍ବାବଲମ୍ବୀ କରାଇ ପାରିଛନ୍ତି। ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା ୩୦ଜଣକୁ ସେ ଚାରିଚକିଆ ଯାନ ଡ୍ରାଇଭିଂ ଶିଖାଇଥିବା ବେଳେ ୨୦୦ ମହିଳାଙ୍କୁ ଛତୁ ଚାଷ ଓ ୧୦୦ରୁ ଊର୍ଧ୍ବ ମହିଳାଙ୍କୁ ‌ସିଲେଇ ଓ ଗାର୍ଡେନିଂ ପ୍ରଶିକ୍ଷଣ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ରୋଜଗାରକ୍ଷମ ହୋଇଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି।

Advertisment

ଝୁନାରାଣୀ ବେହେରା, ବୟସ ୨୯। ଘର ପଥରବନ୍ଧ ବସ୍ତିରେ। ୨୦ ବର୍ଷ ବୟସରେ ବାପାଙ୍କୁ ହରାଇବା ପରେ ଘର ଚଳାଇବାର ଗୁରୁଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ହୋଇଗଲା। ମା’ ଓ ସାନ ଦୁଇ ଭାଇଭଉଣୀଙ୍କ ପାଇଁ ଦୁଇ ଓଳି ଦୁଇ ମୁଠା ସଂଗ୍ରହ କରିବା ବି ତାଙ୍କ ପାଇଁ ମୁସ୍କିଲ୍‌ ହୋଇଯାଇଥିଲା। ପ୍ରଥମେ ଛୋଟ ମୋଟ ଏଜେନ୍ସିରେ କିଛି ଦିନ କାମ କରିବା ପରେ ସିୱାଇଏସ୍‌ଡି ଏନ୍‌ଜିଓ ପକ୍ଷରୁ ୬ମାସ ଧରି ଚାରିଚକିଆ ଯାନ ଡ୍ରାଇଭିଂ ଶିଖିଥିଲେ। ପରେ ବିଏମ୍‌ସିର ଅଳିଆ ଗାଡ଼ି ଚଲାଇ ନିଜକୁ ଆତ୍ମନିର୍ଭରଶୀଳ କରାଇଥିଲେ। ଏହା ପରଠାରୁ ଆଉ ପଛକୁ ଫେରି ଚାହିନାହାନ୍ତି ଝୁନାରାଣୀ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ଭଳି ଅସହାୟ ମହିଳାଙ୍କୁ କିପରି ପ୍ରଶିକ୍ଷିତ କରାଇ ସ୍ବାବଲମ୍ବୀ କରାଇବେ, ସେଥିପାଇଁ ସଂକଳ୍ପ ନେଇ କାମ କରିଚାଲିଛନ୍ତି।

publive-image

ସିୱାଇଏସ୍‌ଡିର ବିଭିନ୍ନ ଶିବିରରେ ଯୋଗଦେଇ ୩୦ରୁ ଊର୍ଧ୍ବ ମହିଳାଙ୍କୁ ଡ୍ରାଇଭିଂ ତାଲିମ୍‌ ଦେବା ସହ ଛତୁ ଚାଷ, ସିଲେଇ, ଗାର୍ଡେନିଂ ଆଦି ବିଷୟରେ ବସ୍ତି ମହିଳାଙ୍କୁ ତାଲିମ୍‌ ଦେଇ ସ୍ବାବଲମ୍ବୀ କରାଇଛନ୍ତି। ତାଙ୍କ ନେତୃତ୍ବରେ କିଛି ବସ୍ତି ମହିଳା ଏକା‌ଠି ହୋଇ ଏବେ ସହରକୁ ଆର୍ବଜନାମୁକ୍ତ ତଥା ପ୍ରଦୂଷଣମୁକ୍ତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ‘ଭୁବନେଶ୍ବର ସଲିଡ୍‌ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ’ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରି ପଥରବନ୍ଧ, ଧିରିକୁଟି ଓ ସାଲିଆସାହିର ୨୪ରୁ ଊର୍ଧ୍ବ ମହିଳାଙ୍କୁ ସେ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି। ଏବେ ସେ ମହିଳାମାନେ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି।

ଝୁନାରାଣୀ କହିଛନ୍ତି, ନାରୀଟିଏ ପରିବାରର ମେରୁଦଣ୍ଡ। ସେ ସଶକ୍ତ ହେଲେ ସମାଜର ଉନ୍ନତିରେ ଭାଗୀଦାର ହୋଇପାରିବ। ବସ୍ତିର ଗରିବ, ଅଭାବୀ ମହିଳାମାନଙ୍କ ଅଭାବ, ଅନଟନର ଦୁଃଖ ମୁଁ ଜାଣିଛି। ତେଣୁ ସେହି ଅସହାୟ ମହିଳାଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ମୁଁ ମୋ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି। ମୋର ଏ ଅଭିଯାନ ଆଗକୁ ବି ଏମିତି ଜାରି ରହିବ ବୋଲି ସେ କହିଛନ୍ତି।