ବିଧବା ଝୁନୁଙ୍କୁ ମିଳିପାରିନି ଭତ୍ତା ଓ ସରକାରୀ ପ୍ରୋତ୍ସାହନ

ବସ୍‌ଷ୍ଟାଣ୍ଡରେ ଜଳଖିଆ ବିକି ଦୁଇଝିଅଙ୍କୁ ପଢ଼ାଉଛନ୍ତି

ଫୁଲବାଣୀ: ଫୁଲବାଣୀ ବସ୍‌ଷ୍ଟାଣ୍ଡରେ ଜଳଖିଆ ଦୋକାନ କରି ଦୁଇ ଝିଅଙ୍କୁ ପାଠ ପଢ଼ାଇବା ସହ ପରିବାର ପ୍ରତିପୋଷଣ କରୁଛନ୍ତି ବିଧବା ଝୁନୁ ସାହୁ। ଝୁନୁଙ୍କ ନିଜ ଘର ଫୁଲବାଣୀ ବସ୍‌ଷ୍ଟାଣ୍ଡ ନିକଟ ପେଞ୍ଜିସାହିରେ। ଏକ ଝାଟିମାଟି କୁଡ଼ିଆରେ ଖୁବ୍‌ କଷ୍ଟରେ କାଳ କାଟୁଛନ୍ତି। ସେ ଗତ ୨୫ବର୍ଷ ତଳେ ପେଞ୍ଜିସାହିର ରାମଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ପାଠ ପଢୁଥିବା ବେଳେ ଗତବର୍ଷ ସ୍ବାମୀଙ୍କର ପରଲୋକ ହୋଇଗଲା।

ସ୍ବାମୀଙ୍କ ଦେହାନ୍ତ ପରେ ପରିବାର କିଭଳି ପ୍ରତିପୋଷଣ କରିବେ ଏବଂ ଦୁଇ ଝିଅଙ୍କୁ ପାଠ ପଢ଼ାଇବାକୁ କେଉଁଠୁ ଅଥଁ ଯୋଗାଡ଼ କରିବେ, ସେ ନେଇ ଝୁନୁଙ୍କ ମୁଣ୍ଡରେ ବଜ୍ର ପଡ଼ିଲା। ଶେଷରେ ଦୁଇ ଝିଅଙ୍କ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ଝୁନୁ ଅଣ୍ଟା ଭିଡ଼ିଲେ। ଫୁଲବାଣୀ ବସ୍‌ଷ୍ଟାଣ୍ଡରେ ଏକ ଜଳଖିଆ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଲେ। ବରା, ପିଆଜି, ପକୁଡ଼ି, ଇଡ୍‌ଲି, ଆଳୁଚପ୍‌, ସିଙ୍ଗଡ଼ା ଆଦି ବିକ୍ରି କରି ଦିନକୁ ୧୦୦ରୁ ୨୦୦ ଟଙ୍କା ରୋଜଗାର କରି ପାରୁଛନ୍ତି। ଏହି ଅର୍ଥରେ ଝୁନୁ ଦୁଇ ଝିଅଙ୍କ ପଢ଼ା ସହ ପରିବାର ପ୍ରତିପୋଷଣ କରୁଛନ୍ତି। ଏହା ମଧ୍ୟରେ ବଡ଼ଝିଅର ବାହାଘର ହୋଇଯାଇଛି। ତେବେ ସାନ ଝିଅ ଯୁକ୍ତଦୁଇ କଳା ବିଭାଗରେ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ପାଠ ପଢୁଛନ୍ତି।

ଅନ୍ୟପଟେ ସ୍ବାମୀଙ୍କର ମୃତ୍ୟୁ ହୋଇଯିବାର ଏହା ମଧ୍ୟରେ ଦୁଇ ବର୍ଷ ବିତିଯିବାକୁ ବସିଥିବାବେଳେ ଏ ପର୍ଯ୍ୟନ୍ତ ତାଙ୍କୁ ବିଧବା ଭତ୍ତା ମିଳିପାରି ନାହିଁ। ନିଜ ଉଦ୍ୟମରେ ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିପାରି ନାହିଁ। ଜିଲ୍ଲା ଶିଳ୍ପକେନ୍ଦ୍ର କିମ୍ବା ଓଡ଼ିଶା ଜୀବିକା ମିସନ୍‌, ମିସନ୍‌ ଶକ୍ତି ପକ୍ଷରୁ ତାଙ୍କୁ କୌଣସି ଆର୍ଥିକ ସହାୟତା ମିଳିନାହିଁ। ଯଦି ତାଙ୍କୁ ଋଣ ମିଳିପାରନ୍ତା ତେବେ ସେ ବ୍ୟବସାୟ ବାଢ଼ାଇ ପାରନ୍ତେ ବୋଲି କହନ୍ତି ଝୁନୁ। ଅଳ୍ପ ଦିନ ମଧ୍ୟରେ ଝୁନୁଙ୍କ ଜଳଖିଆ ଦୋକାନର ଚାହିଦା ଏତେ ବଢ଼ିଯାଇଛି, ଫୁଲବାଣୀ ସହରର ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ଜଳଖିଆ ଖାଇବାକୁ ଆସିଥା’ନ୍ତି। ବିଶେଷକରି ବସ୍‌ ଯାତ୍ରୀ ଝୁନୁଙ୍କ ଜଳଖିଆ ଦୋକାନର ନିୟମିତ ଗ୍ରାହକ।

ଝୁନୁ ବସ୍‌ଷ୍ଟାଣ୍ଡରେ ଏକ ବରଗଛ ମୂଳେ ତାଙ୍କର ଉଠା ଜଳଖିଆ ଦୋକାନ କରିଛନ୍ତି। ତାଙ୍କୁ ଯଦି ପୌରପାଳିକା ପକ୍ଷରୁ ଏକ ସ୍ଥାୟୀ ଦୋକାନଘର ଯୋଗାଇ ଦିଆ ଯାଆନ୍ତା ତେବେ ଝୁନୁ ଉପକୃତ ହୋଇପାରନ୍ତେ। ପାରିବାରିକ ଜଞ୍ଜାଳ ଓ ଝିଅର ପାଠପଢ଼ା ଏବେ ତାଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି। ଝିଅକୁ ପଢ଼ାଇ ମଣିଷ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ। ମାତ୍ର, ଦାରିଦ୍ର୍ୟର ଯନ୍ତ୍ରଣା ତାଙ୍କୁ କିଛି ମାତ୍ରାରେ ପଛକୁ ଟାଣି ନେଉଛି। ଏହା ସତ୍ତ୍ବେ ଝୁନୁ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇ ନାହାନ୍ତି। ଝୁନୁଙ୍କ ଏହି ସଂଘର୍ଷ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ପାଲଟିଛି।

ସମ୍ବନ୍ଧିତ ଖବର