ଜାଇକା ଯନ୍ତ୍ରଣାର ନଗ୍ନ ଚିତ୍ର : ୭ ବର୍ଷରେ ସରିଛି ୩୪୦ମିଟର ବକ୍ସ ଡ୍ରେନ୍‌

ଆଉ ୩କି.ମିି ପାଇଁ କେତେ ବର୍ଷ?, ଟେଣ୍ଡର ଅନୁମୋଦନ ପାଇଁ ଜାପାନ ଗଲା ଫାଇଲ୍‌

କଟକ : ମୋଟ ୨୩କିଲୋମିଟର ଡ୍ରେନ୍। ସେଥିରୁ ୩ କିଲୋମିଟର ୪୦୦ମିଟର୍‌ ହେଉଛି ବକ୍ସ ଡ୍ରେନ୍। ୨୦୧୨ମସିହାରେ ଆରମ୍ଭ ହେଲା କାମ। ଉଭୟ ସାଧାରଣ ଓ ବକ୍ସ ଡ୍ରେନ୍ ନିର୍ମାଣ ସମତାଳରେ ଚାଲିଲା। ହେଲେ ସାତ ବର୍ଷ ପରେ ସରିଛି ମାତ୍ର ୩୪୦ମିଟର୍ ବକ୍ସ ଡ୍ରେନ୍। କଟକ ସହରରେ କାର୍ଯ୍ୟକାରୀ ହେଉଥିବା ଜାଇକା ପ୍ରକଳ୍ପର ଇଏ ହେଉଛି ବର୍ତ୍ତମାନର ତାଜା ସ୍ଥିତି। ଜାଇକା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଗୋଟିଏପଟେ ସହରବାସୀ ତ୍ରାହି ତ୍ରାହି ଡାକୁଥିବା ବେଳେ ଅନ୍ୟପଟେ କାମର ମନ୍ଥର ଗତି ଯୋଜନା କାର୍ଯ୍ୟକ୍ଷମ ରୂପୀ ପଦ୍ମକୁ ଘୁଞ୍ଚାଇ ଘୁଞ୍ଚାଇ ଚାଲିଛି।ସ୍ଥିତି ଏପରି ହୋଇଛି ଯେ, କାମର ଅତ୍ୟନ୍ତ ମନ୍ଥର ଗତି ପାଇଁ ନିର୍ମାଣକାରୀ ସଂସ୍ଥା ତାନ୍ତିଆ ଭୋଲଟାସ୍‌କୁ ବକ୍ସ ଡ୍ରେନ୍ କାର୍ଯ୍ୟରୁ ହଟାଇ ଦିଆଯାଇଛି। ନୂଆ ଟେଣ୍ଡର ପାଇଁ ସଜବାଜ ଚାଲିଛି। ଏଭଳି ସ୍ଥିତିରେ ନିକଟରେ ଭୁବନେଶ୍ବରସ୍ଥିତ ସଚିବାଳୟରେ ଜାଇକା ସମୀକ୍ଷା ବୈଠକରେ ୨୦୧୯ସୁଦ୍ଧା ଜାଇକା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସରକାର ଯେଉଁ ଘୋଷଣା କରିଥିଲେ, ତାହା ଯେ ଧୂଆଁବାଣ ଥିଲା ଏକଥା ସ୍ପଷ୍ଟ ହୋଇଯାଇଛି। ଖୋଦ୍ ଜାଇକା ପ୍ରକଳ୍ପ ନିର୍ଦେଶକ ବି ସ୍ବୀକାର କରିଛନ୍ତି ଯେ ୨୦୧୯ସୁଦ୍ଧା ଡ୍ରେନ୍ କାମ ସରିବ ନାହିଁ। ସଂପୂର୍ଣ୍ଣ ହେବାକୁ ୨୦୨୦ମସିହା ହୋଇଯିବ।

ଉଲ୍ଲେଖଯୋଗ୍ୟ, କଟକ ସହରର ୨୦୧୨ମସିହାରୁ ଜାଇକା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ମୋଟ୍‌ ୨୯୭୪କୋଟି ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପରେ ସହରରେ ୨୩କିଲୋମିଟର୍‌ କଂକ୍ରିଟ୍‌ ଡ୍ରେନ୍‌, ୩୮୦କିଲୋମିଟର୍‌ ସ୍ବେରେଜ୍ ଲାଇନ୍ ସହ ଦୁଇଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ହେଉଛି। ଅବଶ୍ୟ ସିଡିଏ ‌ଟ୍ରିଟମେଣ୍ଟ ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ମତ୍ତଗଜପୁର ପ୍ଲାଣ୍ଟ ଆସନ୍ତା ଜୁଲାଇରେ ଲୋକାର୍ପିତ ହେବ ବୋଲି ସୂଚନା ଦିଆଯାଇଛି। ହେଲେ ସବୁଠୁ ଅଧିକ ସମସ୍ୟା ତଥା ବିଳମ୍ବ ହେଉଛି ଡ୍ରେନ୍ କାମରେ। ସ୍ବେରେଜ କାମ ଏଲଆଣ୍ଡଟି କରୁଥିବା ବେଳେ ଡ୍ରେନ୍‌ ନିର୍ମାଣ ଦାୟିତ୍ବ ତାନ୍ତିଆ ଭୋଲଟାସ୍‌ ନେଇଛି। ଯୋଜନା ଅନୁଯାୟୀ, ସହରର ମୁଖ୍ୟ ଏମ୍‌ଏସ୍‌ଡବ୍ଲୁ-୧ ଓ ୨ ଡ୍ରେନ୍‌ କଂକ୍ରିଟ୍‌ କରାଯାଉଥିବା ବେଳେ ପଟ୍ଟାପୋଲରୁ ଛତ୍ରବଜାର ଯାଏଁ ୩.୪୦୦କିଲୋମିଟର୍‌ ପର୍ଯ୍ୟନ୍ତ ଡ୍ରେନ୍‌ ବକ୍ସ କରାଯାଉଛି। ମାତ୍ର ଡ୍ରେନ୍ ନିର୍ମାଣକାରୀ ଠିକା ସଂସ୍ଥାର ବେପରୱା କାମ କର୍ତୃପକ୍ଷଙ୍କ କେବଳ ଚିନ୍ତା ବଢ଼ାଇ ଦେଇନାହିଁ, ଯୋଜନାକୁ ଆହୁରି ବିଳମ୍ବ କରିଦେଇଛି। ସ୍ଥିତି ଏୟା ଯେ ଗତ ସାତ ବର୍ଷ ମଧ୍ୟରେ ୩.୪କିଲୋମିଟର ବକ୍ସ ଡ୍ରେନ୍‌ ମଧ୍ୟରୁ ସରିଛି ମାତ୍ର ୩୪୦ମିଟର୍ କାମ। ଅର୍ଥାତ୍ ମାତ୍ର ୧୦ପ୍ରତିଶତ କାମ ସରିଛି। ଏଭଳି ଅବହେଳା ତଥା ମନ୍ଥର କାମ ପାଇଁ ଯଦିଓ ଠିକା ତାନ୍ତିଆ କଂପାନିଠାରୁ ବକ୍ସ ଡ୍ରେନ୍‌ କାମ କାଢ଼ି ନିଆଯାଇଛି, ହେଲେ ନୂଆ ଟେଣ୍ଡର୍ କରାଯାଇ ଅନ୍ୟ ସଂସ୍ଥାକୁ ଦାୟିତ୍ବ ଦିଆଯିବା ପ୍ରକ୍ରିୟା ସମୟସାପେକ୍ଷ ହୋଇଥିବା ଦୃଷ୍ଟିରୁ ନିର୍ଧାରିତ ୨୦୧୯ ସୁଦ୍ଧା ଯେ କାମ ସରିବ ନାହିଁ ଏକଥା ସ୍ପଷ୍ଟ ହୋଇଯାଇଛି। ଅତୀତରେ ବି ୨୦୧୨ରେ ଯେତେବେଳେ ଜାଇକା ପ୍ରକଳ୍ପ ଆରମ୍ଭ ହେ‌ଲା, ସେତେବେଳେ ୨୦୧୬ମସିହା ସୁଦ୍ଧା କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ନ ସରିବାରୁ ୨୦୧୮, ସେପ୍ଟେମ୍ବରକୁ କଣ୍ଟ ରଖାଗଲା। ତାହା ବି ଫେଲ୍ ମାରିଲା। ଦୁଇ ଦୁଇ ଥର ଟାର୍ଗେଟ୍‌ ଫେଲ୍‌ ମାରିବା ପରେ ଏବେ ପୁଣି ୨୦୧୯ ସୁଦ୍ଧା କାମ ଶେଷ କରିବାକୁ ପୁନଶ୍ଚ ଲକ୍ଷ୍ୟ ରଖାଯାଇଛି। ହେଲେ ବକ୍ସ ଡ୍ରେନ୍‌ ପାଇଁ ନିର୍ଧାରିତ ସମୟ ସୁଦ୍ଧା କାମ ନ ସରି ଆହୁରି ଗୋଟିଏ ବର୍ଷ ଗଡ଼ିଯିବ ବୋଲି ପ୍ରକଳ୍ପ ନିର୍ଦେଶକ ଇଂଜନିୟର ବସନ୍ତ ପରିଡ଼ା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୩୮୦କି.ମିରୁ ୨୮୦କି.ମି ସ୍ବେରେଜ କାମ ସରିଗଲାଣି। ନିର୍ଧାରତ ସମୟ ମଧ୍ୟରେ ସ୍ବେରେଜ ସରିଯିବ। ଅନୁରୂପ ଭାବେ ପ୍ରାୟ ୨୦କିଲୋମିଟର କଂକ୍ରିଟ୍ ଡ୍ରେନ୍‌ ବି ଆସନ୍ତା ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ। ହେଲେ ‌ବକ୍ସ ଡ୍ରେନ୍ କାମ ବିଳମ୍ବ ହେବ। ନୂଆ ଟେଣ୍ଡର ଅନୁମୋଦନ ପାଇଁ ଜାପାନ ସ୍ଥିତ ଜାଇକା କାର୍ଯ୍ୟାଳୟକୁ ଫାଇଲ୍‌ ପଠାଯାଇଛି। ସେଠାରୁ ଫାଇଲ୍ ଅନୁମୋଦନ ଲାଭ କରି ଆସିବା ପରେ ଟେଣ୍ଡର୍‌ ଡକାଯିବ। ଏଣୁ ସଂପୂର୍ଣ୍ଣ କାମ ସରିବା ବେଳକୁ ୨୦୨୦ମସିହା ହେଇଯିବ ବୋଲି ଇଂଜିନିୟର ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର