ଅଧିକାର ହାସଲ ପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ: ଜିଗ୍ନେଶ

ଦଳିତଙ୍କ ଅଧିକାର ବିଜେପି ହାତରେ ଦୁର୍ବଳ ହେଉଛି : ନିରଞ୍ଜନ

ଭୁବନେଶ୍ବର: କେନ୍ଦ୍ରର ଏନ୍‌ଡିଏ ସରକାର ହେଉ କିମ୍ବା ରାଜ୍ୟର ବିଜେଡି ସରକାର କେହି ଦଳିତ ପାଇଁ ଚିନ୍ତା କରୁନାହାନ୍ତି। କେବଳ ଭୋଟ୍‌ ନେବା ପାଇଁ ଭୂତାଉଛନ୍ତି ଦଳିତଙ୍କୁ। ଅଧିକାର ହାସଲ କରବାକୁ ହେଲେ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ବୋଲି ଦଳିତ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେୱାନି କହିଛନ୍ତି। କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ପଡ଼ିଆଠାରେ ସମ୍ମାନ, ସ୍ବାଭିମାନ ଓ ସମ୍ବିଧାନ ସମାବେଶରେ ଯୋଗଦେଇ ଶ୍ରୀ ମେୱାନି କହିଥିଲେ ଯେ କୁନ୍ଦୁଲି ପୀଡ଼ିତା ସରକାରଙ୍କୁ ନ୍ୟାୟ ମାଗିଥିଲା। ସେ ଦଳିତ ଝିଅ ବୋଲି ତା’କୁ ନ୍ୟାୟ ଦେଲେ ନାହିଁ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। ଯେ ପର୍ଯ୍ୟନ୍ତ କୁନ୍ଦୁଲି ପୀଡ଼ିତାକୁ ନ୍ୟାୟ ନ ମିଳିଛି, ସେ ପର୍ଯ୍ୟନ୍ତ ସେ ବାରମ୍ବାର ଓଡ଼ିଶା ଆସିବେ ବୋଲି କହିଛନ୍ତି। ଗୁଜରାଟରେ ୨୫ ବର୍ଷ ଧରି ଭୂମିହୀନ ଦଳିତଙ୍କୁ ପଟ୍ଟା ମିଳିଥିଲେ ମଧ୍ୟ ଜମି ମିଳୁ ନ ଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ପ୍ରତିବାଦ ସ୍ବର ଭାବେ ରାସ୍ତାରେ ଶୋଇବାରୁ ୩୦୫ ଏକର ଜମି ଗରିବ ଦଳିତ ପାଇଥିଲେ। ସମୟ ଆସିଛି ଅଧିକାର ପାଇଁ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ରାସ୍ତାକୁ ଆସିବା ଦରକାର। କେବଳ ସିିପିଆଇ, ସିିପିଆଇ(ଏମ୍‌), ବହୁଜନ ସମାଜ ପାର୍ଟି, ଆର୍‌ଜେଡି ଓ କଂଗ୍ରେସ ଏକାଠି ହୋଇଛନ୍ତି। ଦଳିତଙ୍କୁ ଅଧିକାର ଦେବା ପାଇଁ ଏକଜୁଟ ହୋଇ ନ୍ୟାୟ ଦେଇପାରିଲେ ଏକାଠି ହେବାର ସାର୍ଥକତା ହେବ ବୋଲି ସେ କହିଛନ୍ତି।

କଂଗ୍ରେସ ପକ୍ଷରୁ ସମ୍ମାନ, ସ୍ବାଭିମାନ, ସମ୍ବିଧାନ ସମାବେଶ

କଂଗ୍ରେସ ଅନୁସୂଚିତ ଜାତି ସେଲ୍‌ର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବିଭୁ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ସାମାଜିକ, ଆର୍ଥକ କ୍ଷେତ୍ରରେ ରହିଥିବା ପଛୁଆ ବର୍ଗର ଉନ୍ନତି ପାଇଁ କଂଗ୍ରେସ ସଦାସର୍ବଦା ତା’ର ସଂଗ୍ରାମ ଜାରି ରଖିି ଆସିଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଆମ୍ବେଦକରଙ୍କ ପର୍ଯ୍ୟନ୍ତ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଉନ୍ନତି ପାଇଁ ଯେଉଁ ସାମ୍ବିଧାନିକ ବ୍ୟବସ୍ଥା କରି ଦେଇଯାଇଛନ୍ତି, ବର୍ତମାନ କେନ୍ଦ୍ରରେ ଥିବା ଏନ୍‌ଡିଏ ସରକାର ସେମାନଙ୍କୁ ଅଧିକାରରୁ ବଞ୍ଚିତ କରୁଛି। ଯେ ପର୍ଯ୍ୟନ୍ତ ଜାତିପ୍ରଥା ରହିବ ସେ ପର୍ଯ୍ୟନ୍ତ ଦଳିତଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ନାହିଁ। ଏକଥା ଆମ୍ବେଦକର ଓ ଗାନ୍ଧୀ ଦେଶବାସୀଙ୍କୁ ଏହି ବାର୍ତା ଦେଇଥିଲେ। ଭାରତର ସମ୍ବିଧାନ ପ୍ରତ୍ୟେକ ଲୋକଙ୍କୁ ସମ୍ମାନ ଦିଏ ଓ ଆଇନ ଆଖିରେ ବି ସମାନ ଅଧିକାର ଦେଇଛି। ସମ୍ବିଧାନରେ ସଂସ୍କାର ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଆର୍‌ଏସ୍‌ଏସ୍‌ ବିରୋଧ କରୁଛି । ଏବେ ଦଳିତ ସମାଜ ଓ କଂଗ୍ରେସ ପରସ୍ପରକୁ ଆବଶ୍ୟକତା ମନେ କରନ୍ତି। କଂଗ୍ରେସ ବିନା ଦଳିତର ଅଧିକାର ବିଜେପି ହାତରେ ଦୁର୍ବଳ ହୋଇଥିବାବେଳେ ଅତ୍ୟାଚାର ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ, ସଂରକ୍ଷଣ ବ୍ୟବସ୍ଥା ଉଠାଇବାକୁ ଷଡ୍‌ଯନ୍ତ୍ର ଅବ୍ୟାହତ ରହିଥିବା ବେଳେ ଆଇନର ପରିବର୍ତନ କରିବାକୁ ଚକ୍ରାନ୍ତ ଶେଷ ହୋଇନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସମାବେଶରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ସିପିଆଇର ବରିଷ୍ଠ ନେତା ରାମକୃଷ୍ଣ ପଣ୍ଡା, ସିିପିଆଇ(ଏମ୍‌)ର ଜନାର୍ଦ୍ଦନ ପତି, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ଦଳିତ ଓ ପଛୁଆ ବର୍ଗକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର