ଜିଲିଂ ଖଣି ହସ୍ତାନ୍ତର ସ୍ଥଗିତ କଲେ ସୁପ୍ରିମକୋର୍ଟ, ମାର୍ଚ୍ଚ ତୃତୀୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି

କେନ୍ଦୁଝର: ଏସେଲ୍‌ ମାଇନିଂ ମାଲିକାନାରେ ଥିବା ଯୋଡ଼ା ଖଣି ମଣ୍ଡଳର ଜିଲିଂ ଲୁହାପଥର ଖଣିକୁ ଚଳିତ ନିଲାମ ପ୍ରକ୍ରିୟାରେ ଶ୍ୟାମ ଓର ହାତେଇ ନେଇଥିବାବେଳେ ଏହି ଖଣି ହସ୍ତାନ୍ତର ପ୍ରକ୍ରିୟାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସେଲ୍‌ ମାଇନିଂ ପକ୍ଷରୁ ଦାଖଲ ପିଟିସନର ବିଚାର କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଥିବା ବେଳେ ମାର୍ଚ୍ଚ ତୃତୀୟ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଯୋଡା ଖଣି ମଣ୍ଡଳର ଜିଲିଂ-ଲଙ୍ଗାଲୋଟା ଲୁହାପଥର ଖଣି ଏସେଲ୍‌ ମାଇନିଂର ମାଲିକାନରେ ରହିଥିଲା। ମାତ୍ର ଏହାର ଲିଜ୍‌ ଅବଧି ସରିବା ପୂର୍ବରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ୧୩୫ ପ୍ରତିଶତ ପ୍ରମିୟମ‌ରେ ଶ୍ୟାମ ଓର ଏହି ଲୁହାପଥର ଖଣିକୁ ହାତେଇଥିଲା। ନିୟମ ଅନୁସାରେ ଏପ୍ରିଲ ୧ରୁ ଏହି ଖଣିକୁ ନିଜ ଅକ୍ତିଆରକୁ ‌ଶ୍ୟାମ ଓର ନେବା କଥା। ମାତ୍ର ଇତିମଧ୍ୟରେ ଏହି ଖଣି ଲିଜ୍‌ ସମୟକୁ ଅଧିକ କରିବା ପାଇଁ ଏସେଲ୍‌ ମାଇନିଂ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ଏଥିରେ ଦର୍ଶାଇଥିଲା ଯେ, ୨୦୧୪ ଅକ୍ଟୋବର ୮ ତାରିଖରେ ସମସ୍ତ ପ୍ରକା‌ର କ୍ଲିୟରାନ୍ସ ପାଇବା ପରେ ୨୦୧୪ନଭେମ୍ବର ୧୨ରେ ଖଣିରେ କାର୍ଯ୍ୟ ଆରମ୍ଭ କରିବା କଥା। ମାତ୍ର ଏହି ଖଣି ସଂପର୍କିତ ମାମଲା ୨୦୧୮ ଫେବ୍ରୁଆରି ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଖଣି ଖନନ ହୋଇ ପାରି ନ ଥିଲା। ଯେଉଁଥିପାଇଁ ୨୦୧୮ଫେବ୍ରୁଆରି ୧୫ ପରଠାରୁ ଏହି ଖଣି ଖନନ ପାଇଁ ଏସେଲ ମାଇନିଂ ସକ୍ଷମ ହୋଇଥିଲ। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ସମସ୍ତ ପ୍ରକାର କ୍ଲିୟରାନ୍ସ ଥିବା ସତ୍ତ୍ବେ ଏସେଲ ମାଇନିଂ ପ୍ରାୟ ୩ ବର୍ଷ ୩ ମାସ ଖଣି ଖନନ କରିପାରି ନ ଥିଲା। ତେଣୁ ‌ ଯେତିକି ଦିନ ଖଣି ଖନନ କାର୍ଯ୍ୟ ହୋଇପାରି ନ ଥିଲା, ସେହି କ୍ଷତିକୁ ନଜରରେ ରଖି ଏବେ ଲିଜ୍‌ ଅବଧି ବୃଦ୍ଧି କରାଯିବାକୁ ଏସେଲ ମାଇନିଂ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲା। ମାମଲାର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଆଜି ନୂଆ ଲିଜ୍‌ଧାରୀ ଶ୍ୟାମ ଓରକୁ ଏହି ଜିଲିଂ-ଲଙ୍ଗାଲୋଟା ଲୁହାପଥର ଖଣି ହସ୍ତାନ୍ତର କରିବା କରିବା ଉପରେ ସ୍ଥଗିତାଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର