କଟକ : ଆଇପିଏଲ୍ରେ କଟକ ସହରକୁ ପୂର୍ବରୁ ତିନିଥର ବିଚାରକୁ ନିଆଯାଇନଥିଲା। କିନ୍ତୁ ଏଥର ଏହି ସହର ପୂର୍ଣ୍ଣ ଦଳ ତାଲିକାରେ ସ୍ଥାନ ପାଇବା ଆଶା ଦେଖାଦେଇଛି। କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ୍ ଆଣ୍ତ ପାଵାର ଲିମିଟେଡ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଯଦିଓ ଏନେଇ ବିସିସିଆଇ, ଓସିଏ କିମ୍ବା ଜିନ୍ଦଲ ଷ୍ଟିଲ୍ ଆଣ୍ତ ପାଵାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତଥାପି ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ ବିସିସିଆଇ ପକ୍ଷରୁ ଡକାଯାଇଥିବା ନୂଆ ସହର ଟେଣ୍ତରରେ ନବୀନ ଜିନ୍ଦଲ କଟକ ସହର ପାଇଁ ବିଡ୍ ପେପର କିଣିଛନ୍ତି। ଆସନ୍ତା ୨୫ ତାରିଖରେ ଦୁବାଇରେ ହେବାକୁ ଥିବା ବୈଠକରେ ବିଡ୍ ଦାଖଲ ହେବା ପରେ ଦୁଇଟି ନୂଆ ଦଳ ବିଷୟରେ ଘୋଷଣା କରାଯିବ। ତେଣୁ କଟକର ଭାଗ୍ୟ ଫିଟିବ କି ନାହିଁ ତାହା ଆସନ୍ତା ସୋମବାର ପରେ ସ୍ପଷ୍ଟ ହେବ।
ଆସନ୍ତା ଆଇପିଏଲ୍ ସ˚ସ୍କରଣଠୁ ଦଳ ସ˚ଖ୍ୟା ୮ରୁ ୧୦କୁ ବୃଦ୍ଧି ପାଇବ। ଏଥିପାଇଁ ଦୁଇଟି ନୂଆ ଦଳ ପାଇଁ ଗୌହାଟୀ, ରାଞ୍ଚି, କଟକ, ଅହମ୍ମଦାବାଦ, ଲକ୍ଷ୍ନୌ ଓ ଧର୍ମଶାଳାକୁ ନୂଆ ସହର ଭାବେ ବିଡ୍ ଆହ୍ବାନ କରାଯାଇଥିଲା। ନୂଆ ଦଳ ପାଇଁ ବିଡ୍ର ମୂଳ ଦର ୨ହଜାର କୋଟି ଟଙ୍କା ରଖାଯାଇଥିଲା। ତେବେ ଯେଉଁ ସ˚ସ୍ଥା ବିଡ୍ ଦାଖଲ କରିବେ ସେମାନଙ୍କ ବାର୍ଷିକ ହାରାହାରି ଟର୍ଣ୍ଣଓଭର ୩ହଜାର କୋଟି ଥିବା ଆବଶ୍ୟକ। ଏଥିସହ ବିଡ୍ ଦାଖଲକାରୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ଅନ୍ୟୂନ ୨୫୦୦ କୋଟି ଟଙ୍କା ହୋଇଥିବା ବାଧ୍ୟତାମୂଳକ ରହିଥିଲା। ତେବେ ବାର୍ଷିକ ଟର୍ଣ୍ଣଓଭର ଧାରା କ୍ଷେତ୍ରରେ କେତେକ ଆଗ୍ରହୀ ବିଡର୍ ଆପତ୍ତି ଉଠାଇଥିଲେ। ମାନଦଣ୍ତ ପୂରଣ କରିବା ପାଇଁ ଟର୍ଣ୍ଣଓଭର ମୂଲ୍ୟକୁ ହ୍ରାସ କରିବାକୁ ଅନୁରୋଧ ଆସିଥିଲା। ଯେଉଁଥିପାଇଁ ବିସିସିଆଇ ଏହାର ଟେଣ୍ତର ସର୍ତ୍ତରେ କିଛିଟା ପରିବର୍ତ୍ତନ କରିଥିଲା। ଏହାଫଳରେ ନବୀନ ଜିନ୍ଦଲଙ୍କ ସହ ଅନ୍ୟାନ୍ୟ ବିଡରମାନେ ଆଇପିଏଲ୍ ଦଳ ପାଇଁ ଆକୃଷ୍ଟ ହୋଇଥିବା କୁହାଯାଉଛି। ନବୀନ ଜିନ୍ଦଲଙ୍କ ବ୍ୟତୀତ କୋଟାକ ଗ୍ରୁପ୍, ଟୋରେଣ୍ଟ, ଆଦାନି ଗ୍ରୁପ୍ ଭଳି ବଡ଼ ବଡ଼ କମ୍ପାନିମାନେ ଆଇପିଏଲ୍ର ବିଭିନ୍ନ ଦଳ ପାଇଁ ଆଗ୍ରହ ଦେଖାଇଛନ୍ତି।
କଟକକୁ ଆଇପିଏଲ୍ ସହର ପାଇଁ ପୂର୍ବରୁ କେହି ଆଗ୍ରହ ଦେଖାଉନଥିଲେ ବି ଏଠାରେ ଆଇପିଏଲ୍ ମ୍ୟାଚ ଖେଳାଯାଇଛି। ଡେକାନ ଚାର୍ଜର୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ୍ ରାଇଡର୍ସ ବାରବାଟୀକୁ ଘରୋଇ ପଡ଼ିଆ ଭାବେ ବ୍ୟବହାର କରିଛନ୍ତି। ଯଦି ନୂଆ ଦଳ ମଧ୍ୟରେ କଟକ ସ୍ଥାନ ପାଏ, ତାହେଲେ ଓଡ଼ିଶାର ଖେଳାଳିମାନେ ଜାତୀୟ ସ୍ଥରରେ ସିଧାସଳଖ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇପାରିବେ। ପୂର୍ବରୁ କେବଳ ହଳଧର ଦାସ, ବିପ୍ଲବ ସାମନ୍ତରାୟ ଆଇପିଏଲ୍ରେ ଖେଳିବାକୁ ସୁଯୋଗ ପାଇଥିଲା ବେଳେ ଆଇପିଏଲ୍ରେ ଖେଳିସାରିଥିବା ଅଭିଷେକ ରାଉତ ବର୍ତ୍ତମାନ ଓଡ଼ିଶା ଦଳରେ ଖେଳୁଛନ୍ତି। ଏହାବାଦ୍ କନିଷ୍ଠ ଓ ବରିଷ୍ଠ ଦଳରେ ଏକାଧିକ ପ୍ରତିଭାବାନ ଖେଳାଳିଥିବାରୁ ସେମାନେ ମଧ୍ୟ ସୁଯୋଗ ଅପେକ୍ଷାରେ ଅଛନ୍ତି। ତେବେ ଓସିଏ ସମ୍ପାଦକ ସ˚ଜୟ ବେହେରାଙ୍କ ସୂଚନା ଅନୁଯାୟୀ, କଟକ ପାଇଁ କିଏ ବିଡ୍ ଦାଖଲ କରିବେ ସେ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଯଦିଓ ଏକାଧକ କମ୍ପାନିଙ୍କୁ କଟକ ପାଇଁ ବିଡ୍ ପକାଇବାକୁ ଅନୁରୋଧ କରାଯାଇଥିଲା। ତଥାପି ଯିଏ ବି ବିଡ୍ ହାସଲ କରିବେ ସେହି କମ୍ପାନିକୁ ଓସିଏ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସ˚ଜୟ ପ୍ରତିଶ୍ରୁତି ଦେଇଛନ୍ତି।