ଯାଜପୁର: ଇସ୍ପାତ ଶିଳ୍ପର ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ଓ ଜିନ୍ଦଲ ଷ୍ଟେନଲେସ୍ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
ଇସ୍ପାତ ଶିଳ୍ପରେ କାମ କରିବାକୁ ଯାଉଥିବା ବୈଷୟିକ ଶିକ୍ଷାପ୍ରାପ୍ତ ଯୁବକଯୁବତୀମାନଙ୍କୁ ଅଧିକ ତାଲିମ ପାଇଁ ଓଡ଼ିଶା ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦା ମୂଳକ ତାଲିମ ପ୍ରତିଷ୍ଠାନ(ଏସସିଟିଇଭିଟି) ସହିତ ଜିନ୍ଦଲ ଷ୍ଟେନଲେସ୍ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି। ରାଜ୍ୟର ସମସ୍ତ ପଲିଟେକ୍ନିକ ଗୁଡ଼ିକରେ ଆସନ୍ତା ଜୁନ୍ ଠାରୁ ଷ୍ଟେନଲେସ୍ ଷ୍ଟିଲ୍ ଉପରେ ପାଠ୍ୟକ୍ରମ ଆରମ୍ଭ କରାଯିବ। ଏସସିଟିଇଭିଟି ପକ୍ଷରୁ ଏହାର ଉପାଧ୍ୟକ୍ଷ ରଘୁ ଜୀ ଏବଂ ଜିନ୍ଦଲ୍ ଷ୍ଟେନଲେସ୍ ପକ୍ଷରୁ କଳିଙ୍ଗନଗରସ୍ଥିତ ଜିନ୍ଦଲ କାରଖାନାର ୟୁନିଟ ପ୍ରମୁଖ ଦୀପକ ଅଗ୍ରୱାଲ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।
ଏହି ଅବସରରେ ଏସସିଟିଇଭିଟିର ଅଧ୍ୟକ୍ଷ ତଥା ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଅତିରିକ୍ତ ସଚିବ ଶ୍ରୀ ତପନ ଶତପଥୀ, ଜିନ୍ଦଲ ଷ୍ଟେନଲେସର ଆବାସିକ ନିର୍ଦ୍ଦେଶକ ଏସ୍ଏସ୍ ଉପାଧ୍ୟାୟ ଏବଂ ମହାପ୍ରବନ୍ଧକ (ବିକ୍ରି ଓ ବଣ୍ଟନ) ରନିତ ରାଣା ପ୍ରମୁଖ ଉପସ୍ଥିତ ଥିଲେ। ଏହାଦ୍ବାରା ରାଜ୍ୟର ଶିକ୍ଷାର୍ଥୀ ଏବଂ ଅଧ୍ୟାପକଙ୍କ ଜ୍ଞାନ ବୃଦ୍ଧିରେ ସହାୟକ ହେବ ବୋଲି ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି। ଘରୋଇ ଇସ୍ପାତ ଶିଳ୍ପ ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ତାଙ୍କ କମ୍ପାନି ବଦ୍ଧପରିକର ଜିନ୍ଦଲ ଷ୍ଟେନଲେସର ଆବାସିକ ନିର୍ଦ୍ଦେଶକ ଏସ୍ଏସ୍ ଉପାଧ୍ୟାୟ କହିଥିଲେ। ଜିନ୍ଦଲ୍ ଷ୍ଟେନଲେସରେ ସେହି ଛାତ୍ରମାନଙ୍କୁ ନିଯୁକ୍ତି ଦେବାକୁ ଉଦ୍ୟମ କରାଯିବ । ରାଜ୍ୟରେ ଉତ୍ପାଦନ ବିପ୍ଲବ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିବା ସହ ଅଭିବୃଦ୍ଧି ପଥରେ ଜିନ୍ଦଲ କମ୍ପାନି ଅଂଶୀଦାର ହେବାକୁ ସ୍ଥିର କରିଛି ବୋଲି ଶ୍ରୀ ଉପାଧ୍ୟାୟ କହିଥିଲେ।
ଏହି ବୁଝାପଣାପତ୍ର ଅନୁସାରେ ଦୁଇଟି ମଡ୍ୟୁଲ୍ ରହିବ। ବାଧ୍ୟତାମୂଳକ ଏବଂ ଚୟନମୂଳକ । ଇସ୍ପାତ ଶିଳ୍ପ ଉପରେ ଏକ ଅତିରିକ୍ତ ମେଟାଲଜି ପାଠ୍ୟକ୍ରମ, ମେକାନିକାଲ ଇଞ୍ଜିନିୟରିଂ ଛାତ୍ରଙ୍କ ନିମନ୍ତେ ୫ମ ସେମିଷ୍ଟରରେ ବାଧ୍ୟତାମୂଳକ ପାଠ୍ୟକ୍ରମ ଭାବେ ଜୁନ୍ ୨୦୨୨ରୁ ରାଜ୍ୟର ସମସ୍ତ ସରକାରୀ ପଲିଟେକନିକ୍ ଗୁଡ଼ିକରେ ଆରମ୍ଭ ହେବ । ଏଥିରେ କେବଳ ଇସ୍ପାତ ଉପରେ ୧୦ଟି ସିଦ୍ଧାନ୍ତ ବକ୍ତୃତା ଅନ୍ତର୍ଭୁକ୍ତ ହେବ । ଏହି ସବୁ କଲେଜର ଅଧ୍ୟାପକମାନଙ୍କ ନିମନ୍ତେ ଜିନ୍ଦଲ୍ ଷ୍ଟେନଲେସ ତାଲିମ କର୍ତ୍ତାମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ କରିବ । ଚୟନମୂଳକରେ ୩ ପାଠ୍ୟକ୍ରମ ଓ ୪୦ଟି ବକ୍ତୃତା କ୍ଲାସ୍ ଭାବେ ଷଷ୍ଠ ସେମିଷ୍ଟରରୁ ଯାଜପୁର ଓ କେନ୍ଦ୍ରାପଡ଼ାର ସରକାରୀ ପଲିଟେକନିକ୍ , କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ (ବୋସ୍)ରେ ଆରମ୍ଭ କରାଯିବ ।
ଛାତ୍ରମାନେ ତାଙ୍କର ୫ମ ସେମିଷ୍ଟର ଶେଷରେ ଏକ ପରୀକ୍ଷା ମାଧ୍ୟମରେ ଏହି ଚୟନମୂଳକ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ମନୋନୀତ ଛାତ୍ରମାନେ ଯାଜପୁରର ଜିନ୍ଦଲ ଷ୍ଟେନଲେସରେ ୨୦ ଘଣ୍ଟାର ଶିଳ୍ପ ତାଲିମ ଗ୍ରହଣ କରିବେ। ଯେଉଁଠାରେ ସେମାନେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିବେ । ପାଠ୍ୟକ୍ରମର ସମାପନ ପରେ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରମାନେ ସେମାନଙ୍କର ଅନୁଷ୍ଠାନ ଓ ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ ମିଳିତ ଭାବେ ପ୍ରମାଣପତ୍ର ପାଇବେ । ଛାତ୍ରମାନଙ୍କର କାର୍ଯ୍ୟଦକ୍ଷତା ଉପରେ ଆଧାର କରି କମ୍ପାନି ସେମାନଙ୍କୁ ପ୍ରି–ପ୍ଲେସମେଣ୍ଟ ଅଫର (ପିପିଓ) ପ୍ରଦାନ କରିବ ବୋଲି ଜଣାପଡିଛି।