ଗ୍ରିଡକୋକୁ ପ୍ରତି ଦିନ ୧୨୦ ମେଗାୱାଟ ବିଦ୍ୟୁତ ଦେବ ଜିନ୍ଦଲ: ଜୁଲାଇ ଶେଷ ପର୍ଯ୍ୟନ୍ତ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ପ୍ରତି ଦିନ ଗ୍ରିଡକୋକୁ ୧୨୦ ମେଗାୱାଟ ବିଦ୍ୟୁତ ଯୋଗାଇବ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗ୍ରିଡକୋର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବିଦ୍ୟୁତ ସଂକଟ ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ହାଇକୋର୍ଟଙ୍କ ରା‌ୟ ଗ୍ରିଡକୋ ପାଇଁ ଆଶ୍ବସ୍ତି ଆଣିଛି। ୟୁନିଟ ପିଛା ୩ ଟଙ୍କା ୩୬ ପଇସା ଦରରେ ଜିନ୍ଦଲ ପ୍ରତିଦିନ ୧୨୦ ମେଗାୱାଟ ବିଦ୍ୟୁତ ଗ୍ରିଡକୋକୁ ଯୋଗାଇବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାନ୍ସମିସନ ଦେୟର ୫୦ ପ୍ରତିଶତ ଗ୍ରିଡକୋ ବହନ କରିବ। ଜିନ୍ଦଲ ଏହାର କହିବା ଅନୁସାରେ ମେ ୬ ତାରିଖ ସୁଦ୍ଧା ୧୦୦ ମୋଗାୱାଟ ବିଦ୍ୟୁତ ଯୋଗାଇବ। ଏହି ଯୋଗାଣ ମେ ୧୩ ସୁଦ୍ଧା ୧୨୦ ମେଗାୱାଟ ହେବ ବୋଲି ହାଇକୋର୍ଟ କହିଛନ୍ତି। ଜିନ୍ଦଲ ପକ୍ଷରୁ ବିଲ୍‌ ଦାଖଲର ଏକ ସପ୍ତାହ ଭିତରେ ଗ୍ରିଡକୋ ଏ ବାବଦ ଦେୟ ପ୍ରଦାନ କରିବ। ଏଭଳି ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଅସ୍ଥାୟୀ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଏଭଳି ବ୍ୟବସ୍ଥା ଜୁଲାଇ ଶେଷ ପର୍ଯ୍ୟନ୍ତ ବା ଏ ସଂପର୍କିତ ରିଟ୍ ପିଟିସନର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ଜାରି ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅନ୍ତରୀଣ ବ୍ୟବସ୍ଥା ବଳବତ୍ତର ରଖିବା ପାଇଁ ଗ୍ରିଡକୋ ପରବର୍ତ୍ତୀ ଶୁଣାଣି ସମୟରେ ମଧ୍ୟ ନିବେଦନ କରି ପାରିବ, କିନ୍ତୁ ସେତେବେଳେ ସ୍ଥିତି ଦେଖି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ରାଜ୍ୟରେ ବିଦ୍ୟୁତ ସଂକଟକୁ ଦୃଷ୍ଟିରେ ରଖି ଏହି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ ପୂର୍ବରୁ ଜିନ୍ଦଲ ୬୫ ମେଗାୱାଟ ବିଦ୍ୟୁତ ଗ୍ରିଡକୋକୁ ଏପ୍ରିଲ ୨୮/୨୯ ମଧ୍ୟରାତ୍ରରୁ ଯୋଗାଣ ଆରମ୍ଭ କରି ସାରିଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ୧୨୦ ମେଗାୱାଟକୁ ବିଦ୍ୟୁତ ଯୋଗାଣ ବୃଦ୍ଧି ପ୍ରସଂଗରେ ତ୍ବରିତ ପଦକ୍ଷେପ ଜିନ୍ଦଲ ଗ୍ରହଣ କରିବ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଛନ୍ତି। ଏଥି ସହିତ ଗ୍ରିଡକୋର ଅନ୍ତରୀଣ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଅନ୍ୟ ପକ୍ଷରେ ମୂଳ ରିଟ୍ ଆବେଦନର ଜୁଲାଇ ୨୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏହି ମାମଲାରେ ଜିନ୍ଦଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅଙ୍କୁଶ ଜାରି କରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନି ଜିନ୍ଦଲ ରାଜ୍ୟରେ ଦୁଇଟି ୟୁନିଟରେ ହଜାରେ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଥର୍ମାଲ ପ୍ଲାଣ୍ଟ ବସାଇଥିଲା। ‌ରାଜ୍ୟ ସରକାରଙ୍କ ସହିତ ୨୦୦୬, ସେପ୍ଟେମ୍ବର ୨୬ରେ କମ୍ପାନି ଏମଓୟୁ ସ୍ବାକ୍ଷର କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କୋଇଲା ଯୋଗାଣ, ବିଦ୍ୟୁତ ୟୁନିଟ ପିଛା ଦର ଓ ଅନ୍ୟାନ୍ୟ ପ୍ରସଂଗକୁ ନେଇ ବିବାଦ ଦେଖା ଦେଇଥିଲା। ରାଜ୍ୟ ସରକାରଙ୍କ ଏ ସଂପର୍କିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଜିନ୍ଦଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାମଲା ବିଚାରାଧୀନ ଥିବା ବେଳେ ଗ୍ରିଡକୋ ପକ୍ଷରୁ ଏମଓୟୁ ଅନୁସାରେ ନିର୍ଦ୍ଧାରିତ ଦରରେ ବିଦ୍ୟୁତ ଯୋଗାଣ ପାଇଁ ଜିନ୍ଦଲ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଏକ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଦାଖଲ କରାଯାଇଥିଲା ।

ସମ୍ବନ୍ଧିତ ଖବର