ଲେଫ୍ରିପଡ଼ା: ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ମୁଖ୍ୟ ଦାରିଦ୍ର୍ୟ ଦୂରୀକରଣ ଅସ୍ତ୍ର ତଥା ଭାରତ ନିର୍ମାଣ କାର୍ଯ୍ୟକ୍ରମର ୬ଟି ଉପାଦାନ ମଧ୍ୟରୁ ଅନ୍ୟତମ। ଏହି ଯୋଜନାକୁ ସ୍ୱଚ୍ଛ, ସହଜ ଓ ସରଳ କରିବା ପାଇଁ ସରକାର ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଟଙ୍କା ପଠାଉଥିବାବେଳେ ଘରନିର୍ମାଣ କ୍ଷେତ୍ରରେ ମଧ୍ୟ ସ୍ୱାଧୀନତା ଦିଆଯାଇଛି। ଏଥିରେ କୌଣସି ଯନ୍ତ୍ରୀ କିଂବା ଅଧିକାରୀ ତଥା ଠିକାଦାରଙ୍କ ସଂପୃକ୍ତିକୁ ସଂପୂର୍ଣ୍ଣ ବାଦ୍ ଦିଆଯାଇଛି। ଏତେ ସହଜସାଧ୍ୟ ଥିଲେ ସୁଦ୍ଧା ଏହି ଯୋଜନାରେ ହିତାଧିକାରୀ ତାଳିକାଭୁକ୍ତ ହେବା ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛି।ଆଦିବାସୀ ଅଧ୍ୟୁଷିତ ଲେଫ୍ରିପଡ଼ା ବ୍ଲକ୍‌ର କିଛି ପଞ୍ଚାୟତରେ ହିତାଧିକାରୀ କାର୍ଯ୍ୟାଦେଶ ପରେ ପାଉଥିବା ପ୍ରଥମ କିସ୍ତି ଅନୁଦାନକୁ ଜିଆର୍‌ଏସ୍‌ କଳେବଳେ ହଡ଼ପ କରିବାରେ ସକ୍ଷମ ହେଉଥିବାବେଳେ ହିତାଧିକାରୀ ଗୃହନିର୍ମାଣ କ୍ଷେତ୍ରରେ ବିଫଳ ହେଉଛନ୍ତି। ଏଥିପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରାଯାଉଥିବାବେଳେ ସରକାରଙ୍କ ଶତଚେଷ୍ଟା ସତ୍ତ୍ବେ ଯୋଜନା ବାଟବଣା ହୋଇଯାଉଛି।

Advertisment

ଉଲ୍ଲେଖଯୋଗ୍ୟ ଯେ, ଏହି ବ୍ଲକ୍‌ରେ ଅନେକ ପଞ୍ଚାୟତରେ ଗୋଟିଏ ପରିବାରକୁ ବାରମ୍ବାର ଆବାସ ଯୋଜନାରେ ସାମିଲ କରାଯାଉଥିବାର ଅଭିଯୋଗ ମଧ୍ୟ ରହିଛି। ଏଭଳିକି ଗୋଟିଏ ଘରକୁ ବହୁବାର ଫଟୋ ଉଠାଇ ଜିଓଟ୍ୟାଗିଂ କରିବା ଏବଂ ଅନ୍ୟଲୋକଙ୍କ ଘର, ପୁରୁଣା ଆବାସଗୁଡ଼ିକର ଫଟୋ ଉଠାଇ ଟଙ୍କା ହଡ଼ପ କରାଯାଉଥିବାର ଉଦାହରଣ ରହିଛି। ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ବିଭାଗରେ କାର୍ଯ୍ୟରତ କିଛି କର୍ମଚାରୀ ସ୍ଥାନୀୟ କିଛି ଜିଆର୍‌ଏସ୍‌ଙ୍କ ସହ ମିଶି ଏଭଳି ଜାଲିଆତି ଓ ଦୁର୍ନୀତି କରୁଥିବାର ଅଭିଯୋଗ ହେଉଛି। ବିଶେଷକରି ଉପାନ୍ତ ଅଳାପକା ଓ ରାଜବାହାଲ ପଞ୍ଚାୟତରେ ଏଭଳି ଅନିୟମିତତା ହୋଇଥିବା ଖବର ମିଳିଛି।

ଏହାଛଡ଼ା  ଅନେକ ହିତାଧିକାରୀ ଗାଇଡ଼୍‌ଲାଇନ୍ ମୁତାବକ ଯୋଗ୍ୟ ନ ଥିଲେ ସୁଦ୍ଧା ସେମାନଙ୍କୁ ବେଆଇନ ଭାବେ ଚିହ୍ନଟ କରାଯାଇ ଘର ଦିଆଯାଉଛି। ନିୟମ ମୁତାବକ ହିତାଧିକାରୀଙ୍କ ନିଜଡିହ ଉପରେ ଘର ନିର୍ମାଣ କରାଯାଇପାରିବ। ଯାହାର ଡିହ ନାହିଁ, ତାଙ୍କୁ ତହସିଲଦାର ଘରଡିହ ଯୋଗାଇବାର ବ୍ୟବସ୍ଥା କରିବେ। କିନ୍ତୁ ଏହି ବ୍ଲକ୍‌ରେ ଏହି ଯୋଜନା ଜିଓଟେକ୍ ମାନଙ୍କ ହାତରେ ନିୟନ୍ତ୍ରିତ ହେଉଥିବା ଭଳି ମନେହେଉଛି। ଗୋଚର, ପତ୍ରାଜଙ୍ଗଲ ଓ ଅନ୍ୟ ସରକାରୀ କିସମ ଜମି ଉପରେ ଘରନିର୍ମାଣ କରି ଜିଓଟ୍ୟାଗିଂ କରାଯାଇଥିବାର ଅନେକ ତଥ୍ୟ ପଦାକୁ ଆସିଛି। ଜିଓଟେକ୍‌ମାନଙ୍କୁ କୌଣସି ଅଧିକାରୀ ନିୟନ୍ତ୍ରଣ କରୁ ନ ଥିବା କିଂବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସେମାନେ ଏହି ଯୋଜନାର ମାଲିକ ସାଜିଛନ୍ତି ବୋଲି ଗୁରୁତର ଅଭିଯୋଗ ଉଠୁଛି।

ଅପରପକ୍ଷରେ ଅନେକ ହିତାଧିକାରୀ ନିଜେ ଗୃହନିର୍ମାଣ କରି ପାରୁ ନ ଥିବା ଦର୍ଶାଇ ଠିକାଦାରଙ୍କୁ ମୁତୟନ କରୁଥିବା ଦୃଷ୍ଟିକୁ ଆସିଥିବାବେଳେ ନିମ୍ନମାନର ଗୃହନିର୍ମାଣ ଯୋଗୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଅନେକ ପଞ୍ଚାୟତରେ ବ୍ଲକ୍ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଜାଣତରେ ଠିକାଦାର ନିଯୁକ୍ତ କରାଯାଇ ଘରନିର୍ମାଣ ହେଉଥିବାବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ସେଗୁଡ଼ିକର ସ୍ଥାୟିତ୍ୱ ରହୁନାହିଁ। ଠିକାଦାରମାନେ କଳେବଳେ ଘର ଛାତ ପକାଇ ଫାଇନାଲ୍ ବିଲ୍ ହାସଲ କରିନେବା ପରେ ଘର ଅଧପନ୍ତରିଆ ଛାଡ଼ି ଚାଲିଯାଉଛନ୍ତି। ଏହାପରେ ଗରିବ ହିତାଧିକାରୀ ବାପୁଡ଼ା କାନମୁଣ୍ଡ ଆଉଁସି ଖଣ୍ଡିଆଘରେ ରହିବାକୁ ବାଧ୍ୟ ହେଉଛି। ଜିଆର୍‌ଏସ୍‌ ଓ ଜିଓଟେକ୍‌ମାନେ ଏହି ଆବାସ ଯୋଜନାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାବେଳେ ଠିକାଦାରଙ୍କ ଦ୍ୱାରା ପରିଚାଳିତ ହୋଇ ହିତାଧିକାରୀଙ୍କୁ ଫାଶରେ ପକାଇ ହଇରାଣ କରିବା ସହ ଘରନିର୍ମାଣରେ ଅନିୟମିତତା କରାଯାଉଥିବାର ଅନେକ ଅଭିଯୋଗ ହସ୍ତଗତ ହୋଇଛି। ଫଳରେ ଏଠାରେ ଏହି ଯୋଜନା ବାଟବଣା ହୋଇଛି। ଏ ଦିଗରେ ଜିଲ୍ଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦୃଷ୍ଟିଦେଇ କେବଳ ଟାର୍ଗେଟ୍ ପୂରଣକୁ ଗୁରୁତ୍ୱ ନ ଦେଇ ଯୋଜନାର ସଫଳ ରୂପାୟନ ପାଇଁ ଯତ୍ନବାନ୍ ହେବା ସଙ୍ଗେସଙ୍ଗେ ବିକଳ୍ପ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବିହେଉଛି।