ଭୁବନେଶ୍ବର : ରେଡ୍ ଜୋନ୍ ଓ ସଂକ୍ରମଣ ଅବରୋଧ ଅଞ୍ଚଳରେ ଲୋକଙ୍କ ଗତିବିଧିକୁ ନଜର ରଖାଯାଉଛି। ଲୋକମାନଙ୍କ ଯାତାୟାତ ଉପରେ ସରକାର ନଜର ରଖିଛନ୍ତି। ଆଇଆଇଟି ତିରୁପତି ସହାୟତାରେ ରାଜ୍ୟ ସରକାର ଏଭଳି ଅଭିନବ ଉପାୟ ଆପଣାଇଛନ୍ତି। ଯଦିଓ ଏହାର ଉପଯୋଗିତା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି, ମାତ୍ର ଆଗାମୀ ଦିନରେ କରୋନା ନିୟନ୍ତ୍ରଣ ଦିଗରେ ଏହା ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛି।
ଆଇଆଇଟି ତିରୁପତିର କମ୍ପ୍ୟୁଟର ସାଇନ୍ସ ବିଭାଗର କାଳିଦାସ ୟେତୁରୁଙ୍କ ନେତୃତ୍ବରେ ଏକ ଟିମ୍ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ (ଏଆଇ) ସହାୟତାରେ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏକ ସଫ୍ଟୱେୟାର ବିକଶିତ କରିଛନ୍ତି। ଯାହାର ନାମ ରହିଛି ଜିଓକୋଭି ୧୯। ଫେସ୍ବୁକ୍ ବ୍ୟବହାରୀଙ୍କ ଲୋକେସନ୍ ଜରିଆରେ ଲୋକଙ୍କ ଉପରେ ନଜର ରଖାଯାଉଛି। ଏଥିରେ ଲୋକମାନଙ୍କ ରିଏଲ ଟାଇମ୍ ବା ନିର୍ଦ୍ଦିଷ୍ଟ ସମୟର ତଥ୍ୟ ମିଳିପାରୁଛି। ଏହି ତଥ୍ୟକୁ ବ୍ୟବହାର କରି ରୋଗ ପ୍ରତିରୋଧକ ମ୍ୟାପ୍ ପ୍ରସ୍ତୁତ କରାଯାଉଛି। ମୋବାଇଲ ଟ୍ରାକିଂ କରିବା ସମ୍ଭବ ନୁହେଁ, ଏଥିପାଇଁ ଅନେକ ସରକାରୀ କଟକଣା ରହିଛି। ମାତ୍ର ଫେସ୍ବୁକ୍ରେ ଲୋକମାନେ ଜିପିଏସ୍ରେ ନିଜର ଲୋକସନ୍ ପ୍ରଦାନ କରିବା ପାଇଁ ଇଚ୍ଛା ଜାହିର କରୁଛନ୍ତି। ଯାହାଫଳରେ ସେମାନଙ୍କ ଲୋକସେନ୍କୁ ଟ୍ରାକ୍ କରିବା ସମ୍ଭବ ହେଉଛି। ଆଇଆଇଟି ତିରୁପତି ଓଡ଼ିଶା ସରକାରଙ୍କ ସହ ମିଶି ଦେଶରେ ପ୍ରଥମଥର ଲାଗି ଏଭଳି ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପରବର୍ତୀ ସମୟରେ ଆଇଆଇଟି ତିରୁପତି ଦେଶର ଅନ୍ୟାନ୍ୟ ସ୍ଥାନରେ ଏଭଳି ଟ୍ରାକିଂ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।
ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛନ୍ତି। କେବଳ ଅତ୍ୟାବଶ୍ୟକ ଜିନିଷ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକଳାପ କଣ୍ଟେନମେଣ୍ଟ ଜୋନ୍ରେ ବନ୍ଦ ରଖାଯାଉଛି। ରାଜଧାନୀରେ ସତ୍ୟନଗର, ବମିଖାଲ ଓ ସୂର୍ଯ୍ୟନଗର, ଯାଜପୁର କଟିକଟା, ବ୍ରହ୍ମବରଦା, ସାନ ତ୍ରିଲୋଚନପୁର, ରାଉରକେଲାର ନାଲା ରୋଡ୍, ସୁନ୍ଦରଗଡ଼ର ପୁରୁଣା ବିଶ୍ରା, ବାଲେଶ୍ବରର ନେଳିଆବାଗ ଓ ଭଦ୍ରକର ବିନାୟକପୁରରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ତେଣୁ ଅବରୋଧ ଅଞ୍ଚଳରେ ଲୋକମାନେ କିଭଳି ଗତି କରୁଛି ଏହି ସଫ୍ଟୱେୟାର ଜରିଆରେ ସେମାନଙ୍କ ଉପରେ ନଜର ରଖାଯାଉଛି। ତେବେ କେତୋଟି ଅବରୋଧ ଅଞ୍ଚଳରେ ଏହି ସଫ୍ଟୱେୟାରକୁ ବ୍ୟବହାର କରାଯାଇ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଛି ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ।
ଆଇଟି ସଚିବ ମନୋଜ ମିଶ୍ର କହିଛନ୍ତି, ଆଇଆଇଟି ତିରୁପତି ସହିତ ଫେସବୁକ୍ର ବୁଝାମଣା ହୋଇଛି। ଆଇଆଇଟି ତିରୁପତି ଓଡ଼ିଶା ସରକାରଙ୍କୁ ଏଭଳି ସଫ୍ଟୱେୟାର ଜରିଆରେ ଟ୍ରାକିଂ କରିବା ଲାଗି ଆଗେଇ ଆସିଥିଲା। କେବଳ କଣ୍ଟେନମେଣ୍ଟ ଜୋନ୍ରେ ହିଁ ଏହାର ପାଇଲଟ୍ ଷ୍ଟଡି ଚାଲିଛି। ଅବରୋଧ ଅଞ୍ଚଳରେ ଅନେକ ପ୍ରକାରର କାର୍ଯ୍ୟ ଚାଲିଛି। ତେଣୁ କେବଳ ଲୋକଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବା ଯୋଗୁଁ ଅବରୋଧ ଅଞ୍ଚଳରେ କରୋନା ନିୟନ୍ତ୍ରଣ କରିବା ସମ୍ଭବ ହୋଇଛି କହିବା ଠିକ୍ ହେବ ନାହିଁ। ତେଣୁ ଆଗାମୀ ଦିନରେ ଏଭଳି ବ୍ୟବସ୍ଥା ବେଶ୍ ସହାୟକ ହୋଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।