ଚନ୍ଦ୍ରଗିରି : ବହୁ ପ୍ରତୀକ୍ଷା ପରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ସ୍ଥିତ ଜିରାଙ୍ଗର ପଦ୍ମସମ୍ଭବ ବୌଦ୍ଧ ମନ୍ଦିରକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ମନ୍ଦିର ଖୋଲାଯିବା ପରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ପର୍ଯ୍ୟଟକ ମାନେ ୨୧ ଫୁଟ ଉଚ୍ଚତା ବିଶିଷ୍ଟ ଗୌତମ ବୁଦ୍ଧଙ୍କ ମୂର୍ତ୍ତି ଦର୍ଶନ କରିବା ସହ ଆଖପାଖ ଦର୍ଶନୀୟ ସ୍ଥାନର ମଜା ନେଇଥିଲେ।
କୋଭିଡ୍ କଟକଣା ଲାଗି ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ମନ୍ଦିରକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ଆସିବା ପରେ ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ମନ୍ଦିରକୁ ଖୋଲାଯାଇଛି। ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମନ୍ଦିର ଖୋଲିବାକୁ ସମୟ ଧାର୍ଯ୍ୟ ହୋଇଛି।
ତେବେ ମନ୍ଦିର ଖୋଲାଯିବା ପରେ ବହୁ ଭିଡ଼ ପରିଲକ୍ଷିତ ହୋଇଥିଲା। ସମସ୍ତ ପର୍ଯ୍ୟଟକଙ୍କ ପାଇଁ ମାସ୍କ୍ ପିନ୍ଧିବା, ସାନିଟାଇଜର୍ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରାଯାଇଥିଲା। ୨୦ରୁ ୨୫ ଜଣ ଭକ୍ତ ତଥା ପର୍ଯ୍ୟଟକଙ୍କୁ ମନ୍ଦିର ମଧୢକୁ ପ୍ରବେଶ କରିବାର ଅନୁମତି ପ୍ରଦାନ କରାଯାଇଛି। ତିନି ଦିନ ହେଲା ପର୍ଯ୍ୟଟକମାନେ କରୋନା ଗାଇଡଲାଇନ୍ ଏବଂ ମନ୍ଦିର କମିଟି ଓ ଗଜପତି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ମାନି ପଦ୍ମସମ୍ଭବ ମନ୍ଦିରରେ ଦର୍ଶନର ଆନନ୍ଦ ଉଠାଉଛନ୍ତି। ସେପଟେ ମନ୍ଦିର ଖୋଲିବା ପରେ ଛୋଟବଡ଼ ବ୍ୟବସାୟୀ ଓ ହୋଟେଲ୍ ବ୍ୟବସାୟୀ ଆଶ୍ବସ୍ତି ହୋଇଛନ୍ତି। ଏସିଆ ମହାଦେଶର ଏହି ଦ୍ବିତୀୟ ବୃହତ୍ତମ ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ମନଲୋଭା। ଶୀତ ଋତୁରେ ରାଜ୍ୟ ଓ ରାଜ୍ୟ ବାହାରୁ ଏବଂ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ୧୦ ଏକର ପରିମିତ ଜମିରେ ଆଠ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପଦ୍ମସମ୍ଭବ ବୁଦ୍ଧ ମହାବିହାର ତିନି ମହଲା ବିଶିଷ୍ଟ। ଯାହା ମଧୢରେ ୧୨୦ଟି କୋଠରି ରହିଛି। ତଳ ମହଲାରେ ୨୧ ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ମୂର୍ତ୍ତି ରହିଥିବା ବେଳେ ଏହାର ଦୁଇ ପାର୍ଶରେ ଦୁଇଟି ୧୭ ଫୁଟର ଦୁଇ ପ୍ରମୁଖ ଶିଷ୍ୟଙ୍କ ପ୍ରତିମୂର୍ତ୍ତି ବିଦ୍ୟମାନ। ତୃତୀୟ ମହଲାରେ ଅମିତାଭଙ୍କ ସହ ଶାକ୍ୟମୁନି ଓ ଏକ ହଜାର ହାତ ଓ ଆଖି ସମ୍ବଳିତ ଅବଲୋକିତଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ମନ୍ଦିର ଡାହାଣ ପାର୍ଶ୍ବରେ ଅଛି ପ୍ରାର୍ଥନା ଗୃହ, ଯେଉଁଥିରେ ଏକ ଶହ କୋଟି ବୌଦ୍ଧ ମନ୍ତ୍ର ରହିଛି। ମନ୍ଦିର ମଧୢରେ ଥିବା ଗ୍ରନ୍ଥାଗାରରେ ଷୋଡ଼ଶ ଶତାଦ୍ଦୀର ବହୁ ପ୍ରାଚୀନ ବୌଦ୍ଧ ଧର୍ମପୁସ୍ତକ ଗଚ୍ଛିତ ହୋଇ ରହିଛି। ଏଠାରେ ୧୦୦ରୁ ଅଧିକ ଛୋଟ ବଡ଼ ବୌଦ୍ଧ ସନ୍ନ୍ୟାସୀ (ଲାମା) ପ୍ରତିଦିନ ବୌଦ୍ଧ ନୀତି ଶିକ୍ଷା ଓ ବୌଦ୍ଧ ଗ୍ରନ୍ଥ ଅଧୢୟନ କରିଥାନ୍ତି।