ବଲାଙ୍ଗୀର : ମାଫିଆଗିରିରୁ ରାଜନୀତିକୁ ମୁହାଁଇଥିବା ଜିତେନ ଦୀପର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ, ଘଟଣା ପଛରେ ଦୁର୍ଘଟଣା ନା ତାକୁ ହତ୍ୟା କରାଯାଇଛି, ତାହା ରହସ୍ୟ ହୋଇ ରହିଛି। ଗତ ସୋମବାର ବରଗଡ଼ରୁ ବଲାଙ୍ଗୀର ଫେରୁଥିବା ସମୟରେ ବାଇକ ଦୁର୍ଘଟଣାରେ ଜିତେନ ଗୁରୁତର ହୋଇଥିବା ଖବର ପ୍ରଥମେ ପ୍ରଚାରିତ ହୋଇଥିଲା। ବରଗଡ଼ ନିକଟରେ ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ପୁଲିସ ପାଖରେ କିନ୍ତୁ ସୂଚନା ନଥିଲା। ଏହା ଦୁର୍ଘଟଣା ଥିଲା ନା ହତ୍ୟା ଉଦ୍ୟମରୁ ଜିତେନ ଗୁରୁତର ହୋଇ ଶେଷରେ ମୃତ୍ୟୁ ହେଲା ତାହା ରହସ୍ୟ ହୋଇ ଏବେ ବି ରହିଛି।

Advertisment

ଏକଦା ଜିତେନ ମାଫିଆଗିରିକୁ ନେଇ ବଲାଙ୍ଗୀରରେ ବେଶ୍‌ ଚର୍ଚ୍ଚାର ପରିସରରେ ରହିଥିଲା। ପରେ ରାଜନୀତିକୁ ଆସି ସ୍ତ୍ରୀ ଲଳିତା ଦୀପଙ୍କୁ ମୈଦାନକୁ ଓହ୍ଲାଇଥିଲା। ଲଳିତା ପୂର୍ବରୁ ସଦର ବ୍ଲକ୍‌ର ଅଧ୍ୟକ୍ଷା ଥିବାବେଳେ ଏବେ ସେ କୁଟୁମଡୋଲା ପଂଚାୟତର ସମିତି ସଭ୍ୟା ଅଛନ୍ତି। ରାଜନୀତିକୁ ପଶିବା ପରେ ଜିତେନ ଏକ ଫୁଟ୍‌ବଲ୍‌ ଦଳ ଗଠନ କରି କ୍ରୀଡ଼ା ଆଡକୁ ମୁହାଁଇଥିଲା। ଜିତେନ ନିଜେ ମଧ୍ୟ ସମବାୟ ନିର୍ବାଚନରେ ସଫଳତା ପାଇ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ରହିଥିଲା। ଗୁରୁବାର ହାଟପଦାପଡ଼ା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ ବନ୍ଧୁପରିଜନଙ୍କ ସୂତ୍ରରୁ ଜଣାଯାଇଛି। ଜିତେନଙ୍କ ବିୟୋଗରେ ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର, ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।