ହତ୍ୟା ମାମଲାରେ ଗିରଫ ହୋଇଥିଲେ ଜିତେନ୍ଦ୍ର ଓ ବାପା-ମା’

ଦଶପଲ୍ଲା : ବିଧାନସଭା ସମ୍ମୁଖରେ ନିଜ ମା’ ବେକରେ ଛୁରି ଲଗାଇ ମୁଣ୍ତ ଜାମିନ ରଖି ତାଣ୍ତବ ରଚିଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଖମାରସାହି ପଞ୍ଚାୟତ କଉଡ଼ା ଗ୍ରାମର ଜିତେନ୍ଦ୍ର ପାଳ ଓ ତାଙ୍କ ବାପା ରମେଶ ପାଳ ଏବଂ ମା’ ଝରଣା ପାଳ ୨୦୧୪ ମସିହାରେ ଏକ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ। ଏଇ ଘଟଣାକୁ ନେଇ ଜିତେନ୍ଦ୍ର ମଝିରେ ମଝିରେ ମାନସିକ ଭାରସାମ୍ୟ ହରାଇ ବସୁଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ୨୦୧୪ ମସିହା ସେପ୍ଟମ୍ବର ୧୭ ତାରିଖ ବିଳମ୍ବିତ ରାତିରେ ଗ୍ରାମର ଉମାକାନ୍ତ ପ୍ରଧାନ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଏହି ଯୁବକଙ୍କ ଘରେ ପଶି ଘରେ ସମସ୍ତେ ଶୋଇଥିବାର ସୁଯୋଗ ଜିତେନ୍ଦ୍ରଙ୍କ ମା’ ଝରଣାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଝରଣାଙ୍କ ନିଦ ଭାଙ୍ଗି ଯିବାରୁ ସେ ଚିତ୍କାର କରିଥିଲେ। ପରିବାର ଲୋକେ ଉଠିପଡ଼ି ଉମାକାନ୍ତଙ୍କୁ କାବୁ କରିନେବା ସହ ଏକ ଦଉଡ଼ିରେ ବାନ୍ଧି ଦେଇଥିଲେ। ଏତିକିରେ ପରିବାର ଲୋକଙ୍କ ରାଗ ଥଣ୍ତା ହୋଇ ନ ଥିଲା। ଘରେ ଥିବା ଟାଙ୍ଗିଆ ଓ ଶାବଳ ଯୋଗେ ସେମ‌ାନେ ଉମାକାନ୍ତଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଉମାକାନ୍ତର ମୁଣ୍ତରେ ଗଭୀର ଆଘାତ ଲାଗିଥିବା ବେଳେ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ସହ ଯୌନାଙ୍ଗରେ ଆଘାତ ଲାଗିଥିଲା। ପୁଲିସ ଏହି ଘଟଣାରେ ରମେଶ ପାଳ, ପତ୍ନୀ ଝରଣା ଏବଂ ନାବାଳକ ପୁଅ ଜିତେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜିତେନ୍ଦ୍ର ନାବାଳକ ଥିବାରୁ ଅନୁଗୁଳ ଜୁଭେନାଇଲ୍ କାରାଗାରକୁ ପଠାଇ ଦିଆଯାଇଥିଲା। ଅନ୍ୟପକ୍ଷରେ ରମେଶ ଓ ଝରଣାଙ୍କୁ ଦଶପଲ୍ଲା ଉପକାରାଗାରରେ ରଖାଯାଇଥିଲା। ଏହି ଘଟଣାରେ କୋର୍ଟ ବାପା ଓ ମା’ଙ୍କୁ ୭ ବର୍ଷ ଜେଲ୍‌ ଦଣ୍ତ ସହ ୪ ହଜାର ଟଙ୍କା ଜରିମାନାରେ ଦଣ୍ତିତ କରିଥିବା ଆଜି ଜିତେନ୍ଦ୍ରଙ୍କ ବାପା ରମେଶ କହିଛନ୍ତି। ତେବେ ରମେଶ ଓ ଝରଣା ଏବେ ହାଇକୋର୍ଟରେ ଅପିଲ କରି ଘରକୁ ଆସିଥିବା ବେଳେ ଜିତେନ୍ଦ୍ର କିଛି ମାସ ହେବ ଭୁବନେଶ୍ବରରେ ଏକ ସ୍ଥାନରେ କାମ କରୁଥିଲା। କିଛି ମାସ ପୂର୍ବେ ଜିତେନ୍ଦ୍ରଙ୍କ ଭଉଣୀ ବାହାଘର ହୋଇଥିବାବେଳେ ସେବେଠାରୁ ଜିତେନ୍ଦ୍ରଙ୍କ ମାନସିକ ସନ୍ତୁଳନ ଠିକ‌୍ ରହୁନଥିବା ରମେଶ କହିଛନ୍ତି। ଗତକାଲି ସେ ଏକ ଘାଆ ଅପରେସନ୍ କରିବା ପାଇଁ ମା’ଙ୍କୁ ଧରି ପୂର୍ବାହ୍ଣ ୮ଟାରେ ଘରୁ ଭୁବନେଶ୍ବର ଯାଇଥିବା ବାପା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର