ରେଳମନ୍ତ୍ରୀଙ୍କୁ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଚିଠି : ଓଡ଼ିଆ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍‌ ଚଲାନ୍ତୁ କେନ୍ଦ୍ର ସରକାର

ଭୁବନେଶ୍ବର : ଓଡ଼ିଆ ଶ୍ରମିକମାନଙ୍କୁ ବାହାର ରାଜ୍ୟରୁ ଫେରେଇଆଣିବା ପ୍ରସଙ୍ଗରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଓ ରେଳ ବୋର୍ଡ଼ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରବାସୀ ଶ୍ରମିକମାନଙ୍କ ଟିକେଟ୍‌ ଖର୍ଚ୍ଚ ବହନ କରିବାକୁ ଦଳ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ବି ସରକାର ସହଯୋଗ କରିନାହାନ୍ତି। ଏହି ସନ୍ଦର୍ଭରେ ଶ୍ରୀ ସିଂହ କେନ୍ଦ୍ରକୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇଛନ୍ତି।

ଗତକାଲି ଲେଖିଥିବା ଚିଠିରେ ଶ୍ରୀ ସିଂହ ଦର୍ଶାଇଥିଲେ ଯେ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ଲକ୍ଷାଧିକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ଏମାନେ ସମସ୍ତେ ନିଜ ଘରକୁ ଫେରିବାକୁ ପଞ୍ଜୀକରଣ କରିଛନ୍ତି। ଶ୍ରମିକଙ୍କ ସଂଖ୍ୟାକୁ ଦେଖି ପର୍ଯ୍ୟାପ୍ତ ଟ୍ରେନ୍‌ ବ୍ୟବସ୍ଥା କରାଯାଇନି। ସେମାନଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ହେଲେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଇବାର ଆବଶ୍ୟକତା ରହିଛି। ତାଲାବନ୍ଦ ଯୋଗୁଁ ଏହି ପ୍ରବାସୀ ଶ୍ରମିକମାନେ ବାହାର ରାଜ୍ୟରେ ବହୁ ଅସୁବିଧାରେ ଅଛନ୍ତି। ସେମାନଙ୍କ ଟ୍ରେନ୍‌ ଭଡ଼ା ମଧ୍ୟ ବହନ କରିବାକୁ ପ୍ରଦେଶ କଂଗ୍ରେସ ପ୍ରସ୍ତୁତ ଅଛି। ଏ ନେଇ ଶୀଘ୍ର ପଦକ୍ଷେପ ନେବାକୁ ଶ୍ରୀ ସିଂହ ଚିଠିରେ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର