ସମ୍ବଲପୁର : ବର୍ଦ୍ଧିତ ଫି’ କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ନୂଆଦିଲ୍ଲୀରେ ଜେଏନୟୁ ଛାତ୍ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଛାତ୍ର ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ଦୁଇ ଦିନ ତଳେ ହଜାର ହଜାର ଜେଏନ୍ୟୁ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ସଂସଦଭବନ ଆଡ଼କୁ ଯାଉଥିବାବେଳେ ପୁଲିସର ଲାଠିମାଡ଼ରେ ଜିତେନ୍ଦ୍ର ଆହତ ମଧ୍ୟ ହୋଇଛନ୍ତି। ଏକ ଗରିବ ପରିବାରରୁ ଜେଏନ୍ୟୁ ଯାଇଥିବା ଜିତେନ୍ଦ୍ରଙ୍କ ଏହି ସମୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବାବେଳେ ବହୁ ଲୋକ ତାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।
ଶୀତ ଅଧିବେଶନର ପ୍ରଥମ ଦିନରେ ଯେତେବେଳେ ବର୍ଦ୍ଧିତ ଫି’ ପ୍ରତ୍ୟାହାର ଦାବି ନେଇ ହଜାର ହଜାର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ସଂସଦ ଭବନ ଆଡ଼କୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ଛାତ୍ର ଓ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାର୍ଜ କରିବାରୁ ଏହି ଘଟଣାକୁ କେନ୍ଦ୍ର କରି ଦିଲ୍ଲୀ ସଂସଦଭବନ ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା। ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ ସମୟରେ ଜିତେନ୍ଦ୍ର ଚାଙ୍ଗୁ ବଜାଇ ସ୍ଳୋଗାନ୍ ଦେଉଥିବା ବେଳେପୁଲିସର ଲାଠି ମାଡ଼ର ଶିକାର ହୋଇଥିଲେ। ପୁଲିସ ତାଙ୍କୁ ଅଟକ ମଧ୍ୟ ରଖିଥିଲା।
ଜେଏନ୍ୟୁର ଗତ ଛାତ୍ରସଂସଦ ନିର୍ବାଚନରେ ଜିତେନ୍ଦ୍ର ବିର୍ସା ଆମ୍ବେଦ୍କର ଫୁଲେ ଛାତ୍ର ଆସୋସିଏସନ (ବାପସା)ରୁ ପ୍ରାର୍ଥୀ ହୋଇଥିଲେ । ଯଦିଓ ସେ ନିର୍ବାଚନରେ ପରାଜିତ ହୋଇଥିଲେ ତେବେ, ଜେଏନ୍ୟୁରେ ତାଙ୍କର ଭଲ ପତିଆରା ରହିଛି। ୨୦୧୩ରୁ ଛାତ୍ର ରାଜନୀତିରେ ସକ୍ରିୟ ଥିବା ଜିତେନ୍ଦ୍ର ସୁନା ପିଲାଦିନରୁ କୃଷି ଶ୍ରମିକ ଭାବରେ କାମ କରୁଥିଲେ। ତାଙ୍କର ମା ପନିପରିବା ବିକ୍ରି କରୁଥିବାବେଳେ ବାପା ମଜୁରୀ ଖଟୁଥିଲେ। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର ମାଆଙ୍କ ମୃତ୍ୟୁ ହୋଇଥିଲା। ପରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ କାମକରିବା ପାଇଁ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରେ ତାଙ୍କର ଜଣେ ସଂପର୍କୀୟ ଭାଇ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ (ଆଇଜିଏଲ)ରେ କାମ କରୁଥିଲେ। ଜିତେନ୍ଦ୍ର ସେଠାରେ ଜଣେ ହେଲପର ଭାବେ କାମ କରୁଥିଲେ।
ପରବର୍ତ୍ତୀ ସମୟରେ ସେ ନିଜ ଘରକୁ ଫେରି ଆସି ଗ୍ରାଜୁଏସନ ଶେଷ କରିଥିଲେ। ଗ୍ରାଜୁଏସନ ପରେ ସେ ନାଗପୁର ଠାରେ ଆମ୍ବେଦକରାଇଜମ ଓ ବୁଦ୍ଧିଜମ ଉପରେ ଏକ ୧୦ ମାସିଆ କୋର୍ସ କରିଥିଲେ। ୨୦୧୩ରେ ଜେଏନୟୁରେ ଇତିହାସରେ ଏମଏ ଓ ଏମଫିଲ କଲା ପରେ ସେଠାରେ ‘ହିଷ୍ଟ୍ରି ଅଫ୍ ଆଇଡେନଟାଇନ ଏଣ୍ଡ ଏକ୍ସକ୍ଲୁସନ- ଆମ୍ବେଦକର ଏଣ୍ଡ ଦି ମାର୍ଗାନାଇଜ’ରେ ବିଷୟରେ ପିଏଚଡି କରୁଛନ୍ତି। ଜଣେ ଉତ୍ତମ ବକ୍ତା ତଥା ଦକ୍ଷ ସଂଗଠକ ରୂପେ ସେ ଜେଏନୟୁରେ ବେଶ୍ ପରିଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/jitendra-suna.jpg)