ଟିଭି କାର୍ଯ୍ୟକ୍ରମରେ ବ୍ରାହ୍ମଣଙ୍କୁ ଭିକାରୀ କହିବା ପରେ କ୍ଷମା ମାଗିଲେ ପ୍ରବଚକ ଜିତୁ ଦାଶ, ଥାନାରେ ମାମଲା

ଭୁବନେଶ୍ୱର: ସେଦିନ ଭିକାରୀ, ଆଜି ଦେବତା।  କିଛି ଏଭଳି ଢଙ୍ଗରେ ପ୍ରଥମେ ବ୍ରାହ୍ମଣଙ୍କୁ ନେଇ ବିବାଦୀୟ କଥା କହିବା ପରେ ଏହାକୁ ନେଇ କ୍ଷମା ମାଗିଛନ୍ତି ପ୍ରବଚକ ଜିତୁ ଦାଶ । ଏକ ଟିଭି ଚ୍ୟାନେଲରେ ପଣ୍ଡିତ ଜିତୁ ଦାଶ ବ୍ରାହ୍ମଣ ସମ୍ପ୍ରଦାୟକୁ ଭିକାରୀ ବୋଲି ଅଭିହିତ କରିଥିଲେ । ଏହା ପରେ ସୋସିଆଲ ମିଡିଆରେ ସେହି ଭିଡ଼ିଓଟି ଘୁରିବୁଲିଥିଲା | ଏହା ପରେ ବ୍ରାହ୍ମଣ ସମାଜ ପକ୍ଷରୁ ଏହାକୁ ନିନ୍ଦା କରାଯାଇଥିଲା |

ପ୍ରବଚକ ଜିତୁ ଦାଶ କହିଥିଲେ ଯେ ମା ଲକ୍ଷ୍ମୀ ବ୍ରାହ୍ମଣଙ୍କୁ ଭଲ ପାଆନ୍ତି ନାହିଁ | ଏହା ସହ ବ୍ରାହ୍ମଣଙ୍କ ନାମ ପଛପଟେ ଭିକାରୀ ଲାଗେ ବୋଲି ପ୍ରବଚକ ଜଣକ କହିଥିଲେ | ସେହିପରି ମା ଲକ୍ଷ୍ମୀ କହିଛନ୍ତି ବ୍ରାହ୍ମଣ ସବୁବେଳେ ଭିକାରୀ ହୋଇ ରହିବେ ବୋଲି ସେ କହିଥିଲେ | ଏହାକୁ ନେଇ ଅନେକ ବିବାଦ ସୃଷ୍ଟିହେବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରବଚକ ଜିତୁ ଦାଶ |

ହେ ମୋର ବ୍ରାହ୍ମଣ ଦେବତା କହି କ୍ଷମା ମାଗିବା ସହ ଏହା ପରଠାରୁ ସେ ସେହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି | ତେବେ ଏଭଳି ଅରୁଚିକର ମନ୍ତବ୍ୟକୁ ନେଇ ଜିତୁଙ୍କ ନାମରେ ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି | ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଦାମୋଦର ରାଉତ ବ୍ରାହ୍ମଣଙ୍କୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ | ସେ କହିଥିଲେ ଯେ ବ୍ରାହ୍ମଣମାନେ ଭିକ ମାଗନ୍ତି |

ସମ୍ବନ୍ଧିତ ଖବର