ଜେକେ କାଗଜ କଳରେ ଶ୍ରମିକ ଅଶାନ୍ତି : ୧୪୪ ଧାରା ଜାରି କଲା ପ୍ରଶାସନ, ୩ ପ୍ଲାଟୁନ୍ ଫୋର୍ସ ମୁତୟନ

ରାୟଗଡା : ୧୪ ଦଫା ଦାବିରେ ଦୁଇ ଦିନ ହେଲା ଠିକା ଶ୍ରମିକଙ୍କ ପକ୍ଷରୁ ଜେକେ କାଗଜ କଳ ସମ୍ମୁଖରେ ଚାଲିଥିବା ଆନ୍ଦୋଳନକୁ ଆଜି ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ଶହ ଶହ ଶ୍ରମିକ ଧାରଣାରେ ଅଡ଼ି ବସିଥିବା ବେଳେ ଧାରଣା ସ୍ଥଳରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ସମସ୍ତ ଆନ୍ଦୋଳନକାରୀଙ୍କୁ କାଗଜ କଳ ସମ୍ମୁଖରୁ ହଟାଇ ଦେଇ କାରଖାନା ଗେଟ୍ ସମ୍ମୁଖରୁ ୫ ଶହ ମିଟର ଦୂର ପର୍ଯ୍ୟନ୍ତ ଠିକା ଶ୍ରମିକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଛି ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବା ପରେ ଆନ୍ଦୋଳନରତ ଠିକା ଶ୍ରମିକ ଧାରଣାସ୍ଥଳ ଛାଡ଼ି ଚାଲି ଯାଇଛନ୍ତି।

ଶ୍ରମିକ ସଂଗଠନ ଦାବି କରିଥିବା ୧୪ ଦଫା ସଂପର୍କରେ ପ୍ରଶାସନର ମଧ୍ୟସ୍ଥିରେ ଠିକା ଶ୍ରମିକ ଓ କଂପାନି ମଧ୍ୟରେ ଆଲୋଚନା ଜାରି ରହିଛି। ଏପରି ସ୍ଥିତିରେ ସୋମବାର ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଠିକା ଶ୍ରମିକ ଓ କଂପାନି କର୍ତୃପକ୍ଷଙ୍କ ନେଇ ଆଲୋଚନା ହୋଇଥିଲା। ଆଲୋଚନାରୁ କୌଣସି ନିର୍ଷ୍କସ ବାହାରି ନ ପାରିବାରୁ ଆଗାମୀ ଦିନରେ ଠିକା ଶ୍ରମିକ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ସିଆଇଟିୟୁ ପକ୍ଷରୁ ବ୍ୟାନର ଲଗାଯାଇଥିଲା। ଯାହାକୁ ମଙ୍ଗଳବାର ସଂଧ୍ୟାରେ କୌଣସି ଦୁର୍ବୃତ୍ତ କାଢ଼ି ନେବା ସହ ଚିରାଚିରି କରି ଦେଇଥିଲେ। ଏହାକୁ ନେଇ ବୁଧବାର ସକାଳୁ ଠିକା ଶ୍ରମିକଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେବା ସହ ଠିକା ଶ୍ରମିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ। ବନ୍ଦ ଡାକରାରେ କଂପାନିର ୧୩ ଶହରୁ ଊର୍ଧ୍ବ ଠିକା କର୍ମଚାରୀ ସାମିଲ୍ ହୋଇଥିବାରୁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି।

ଠିକା ଶ୍ରମିକଙ୍କୁ ବୁଝାସୁଝା କରି ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ କଂପାନି କର୍ତୃପକ୍ଷ ଉଦ୍ୟମ ଜାରି ରଖିଥିଲେ। କିନ୍ତୁ ପରିସ୍ଥିତି ଅଣାୟତ୍ତ ହେବାରୁ ଜିଲ୍ଲା ପ୍ରଶାସନ ଆଜି ସଂଧ୍ୟା ୭ଟାରେ ଜେକେ କାଗଜ କଳ ଗେଟ୍ ସମ୍ମୁଖରୁ ୫ ଶହ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି। ଆସନ୍ତା ୨ ମାସ ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଠିକା ଶ୍ରମିକ କୌଣସି ଆନ୍ଦୋଳନ କିମ୍ବା ଧାରଣା କାର୍ଯ୍ୟକ୍ରମ ନ କରିବାକୁ ପୁଲିସ୍ ନୋଟିସ୍ ଜାରି କରିଛି। ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକଙ୍କ ନିର୍ଦେଶକ୍ରମେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ୍ ତଥା ରାୟଗଡା ବିଡିଓ ରାଜେନ୍ଦ୍ର ମାଝୀ, ରାୟଗଡା ଉପଖଣ୍ଡ ପୁଲିସ୍ ଅଧିକାରୀ ରାଜ କିଶୋର ଦାସ, ରାୟଗଡା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଭତ୍ରା ଧାରଣାସ୍ଥଳରେ ପହଞ୍ଚି ୧୪୪ ଧାରା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର