କିଶୋରନଗର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ୍‌ ସଦର ମହକୁମାଠାରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାରେ ଅହେତୁକ ବିଳମ୍ବ ହେଉଛି। ଜେଏମ୍‌ଏଫ୍‌ସି କୋର୍ଟ ଅସ୍ଥାୟୀ ଭାବେ ଖୋଲିବା ପାଇଁ ଦୁଇ ଦୁଇଥର ପ୍ରସ୍ତୁତି ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହା ବାତିଲ ହୋଇଛି। ଫଳରେ ଏହାକୁ ନେଇ କିଶୋରନଗରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କିଶୋରନଗରରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ପାଇଁ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁଙ୍କ ପ୍ରଚେଷ୍ଟାରେ ପ୍ରଶାସନିକସ୍ତରରେ ଉଦ୍ୟମ ହୋଇଥିଲା। ହେଲେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାରୁ କୋର୍ଟ ଉଦ୍‌ଘାଟନ ହୋଇ ପାରିନଥିଲା। ୨୦୧୯ ନିର୍ବାଚନରେ ରମେଶ ଚନ୍ଦ୍ର ସାଏ ଆଠମଲ୍ଲିକ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ପାଇଁ ଉଦ୍ୟମ କରିଥିଲେ। ଅସ୍ଥାୟୀ ଭାବରେ ବିଜୁ ସ୍ମୃତି ଭବନରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୨୪ ମାର୍ଚ୍ଚ ୨୬ରେ ଅନୁଗୁଳ ଜିଲ୍ଲା ଜଜ୍‌ଙ୍କ ପ୍ରତିନିଧି ମଣ୍ଡଳୀ କିଶୋରନଗର ଗସ୍ତ କରି ଭିତ୍ତିଭୂମି ଓ ପ୍ରସ୍ତାବିତ କୋର୍ଟର ନିଜସ୍ୱ ଜମି ପରିଦର୍ଶନ କରି ଫେରିଥିଲେ। ଲୋକେ ଆଶା କରିଥିଲେ, ଏଥର କାମ ଆଗେଇବ। କିନ୍ତୁ କୌଣସି କାରଣ ପାଇଁ ଏହା ଅଟକି ଯାଇଛି।

Advertisment

୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ସାଂସଦ ଭାବରେ ଅନୁଗୁଳ ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ ଓ ଆଠମଲ୍ଲିକ ବିଧାୟକ ଭାବେ ଇଂ. ନଳିନୀକାନ୍ତ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ନିକଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ସମାଜସେବୀ ଡାକ୍ତର ଅଲେଖ କୁମାର ପ୍ରଧାନ, ଆଇନଜୀବୀ ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି କିଶୋରନଗରଠାରେ ଜେଏମ୍‌ଏଫ୍‌ସି କୋର୍ଟ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏଭଳି ସ୍ଥିତିରେ ବହୁ ପ୍ରତୀକ୍ଷିତ କୋର୍ଟ କେବେ କାର୍ଯ୍ୟକ୍ଷମ ହେଉଛି ଏବଂ କେବେ ପ୍ରତୀକ୍ଷାର ଅନ୍ତ ଘଟୁଛି, ତାକୁ କିଶୋରନଗରବାସୀ ଅପେକ୍ଷା‌ କରି ରହିଛନ୍ତି।