ଭୁବନେଶ୍ୱର: ଓଡିଶା ଓ କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ଆଜି ଜେଲରୁ ମୁକୁଳିଛନ୍ତି । ଗତକାଲି ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ ଲାଗି କହିବା ପରେ ଆଜି ଗୁରୁବାର କୋଣାର୍କ ‘ଜେଏମ୍ଏଫସି’ ଜାମିନ୍ ଦେଇଥିଲେ । ମୁକୁଳିବା ପରେ ସେ ସିଧା ଚେନ୍ନାଇ ଯାଇ ନିଜ ମାଙ୍କୁ ଭେଟିବେ ବୋଲି ଆୟାରଙ୍କ ଓକିଲ କହିଛନ୍ତି ।
ଭବିଷ୍ୟତରେ ଆଉ ଥରେ ଅରୁଚିକର ମନ୍ତବ୍ୟ ନଦେବାକୁ ସର୍ତ୍ତ ରଖିଛନ୍ତି କୋର୍ଟ। ସୂଚନାଯୋଗ୍ୟ ଅଭିଜିତ ଆୟରଙ୍କୁ ଜାମିନ ଦେବାକୁ କାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ନିଜୟ ରାୟରେ ଆବଶ୍ୟକ ସର୍ତ୍ତ ରଖି ଜାମିନ ଦେବାକୁ କହିଥିଲେ।
ଅଭିଜିତ କୋଣାର୍କର କଳା, ଭାସ୍କର୍ଯ୍ୟ ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ। ଏ ନେଇ କୋଣାର୍କର ପୂର୍ବତନ କାଉନସିଲର ତଥା ବରିଷ୍ଠ ନାଗରିକ ବିମ୍ବାଧର ବେଉରା ସ୍ଥାନୀୟ ଥାନାରେ ଅଭିଯୋଗ କରିବାରୁ ପୁଲିସ ନମ୍ବର ୯୨/୧୮ ଦଫା ୧୫୩(ଏ)/୨୯୫(ଏ)/୨୯୮/୩୪/୬୬ ଆଇଟି ଆକ୍ଟ/ ୩୬ ମନ୍ୟୁମେଣ୍ଟ ଆକ୍ଟରେ ମାମଲା ରୁଜୁ କରିଥିଲା।
ଉଲ୍ଲେଖଯୋଗ୍ୟ, ଅଭିଜିତ୍ କୋଣାର୍କ ମନ୍ଦିର, ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଜିତଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯିବା ସହ ଗୃହ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ଏହାକୁ ବେଖାତିର କରି ଅଭିଜିତ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କ ଜାମିନ୍ ଆେବଦନକୁ ଚଳିତ ମାସ ୫ ତାରିଖରୁ ଖାରଜ କରିବା ସହ ଜେଲ୍ ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଟିପ୍ପଣୀ ଦେଇଥିଲେ। ଗତକାଲି ସେ ଗୃହ କମିଟିରେ ହାଜର ହେବାକୁ ଆସିଥିବା ବେଳେ କମିସନେରଟ ପୁଲିସ ତାଙ୍କୁ ଗିରଫ କରିଥିଲା।