କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସ୍ବତନ୍ତ୍ର ମେସେ​ଞ୍ଜର ମାଧ୍ୟମରେ ସମନ୍ ଜାରି ପାଇଁ ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫ୍‌ସି) ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ରଣଜିତ ବରାଳଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରିବା ସହିତ ଏଥି ପାଇଁ ଆବଶ୍ୟକ ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ବରାଳଙ୍କ ତରଫରୁ ଏ ବାବଦ ଅର୍ଥ ଜମା କରାଯିବା ସହିତ ସମନ ଜାରି ପାଇଁ ଆବଶ୍ୟକ ନଥିପତ୍ର (ରିକ୍ୟୁଜାଇଟ୍ସ) ଦାଖଲ କରାଯାଇଥିଲା। ଏହାପରେ ଅଦାଲତ ସ୍ବତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ଶ୍ରୀ ଜେନାଙ୍କୁ ନୋଟିସ୍ ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତରେ ଶ୍ରୀ ଜେନାଙ୍କ ହାଜିରା ପାଇଁ ଅକ୍ଟୋବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ସ୍ବତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ସମନ ଜାରିର ଅର୍ଥ ଅଦାଲତଙ୍କ କର୍ମଚାରୀ ନିଜେ ଯାଇ ଶ୍ରୀ ଜେନାଙ୍କୁ ସମନ୍ ପ୍ରଦାନ କରିବେ। ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨(ହତ୍ୟା), ୧୨୦-ବି(ଅପରାଧିକ ଷଡୟନ୍ତ୍ର), ୫୦୬( ହତ୍ୟା ଧମକ)ରେ ସାଲେପୁର ଜେଏମଏଫସି ଅଦାଲତ ୨୦୨୩, ସେପ୍ଟେମ୍ବର ୨୫ରେ କଗନିଜାନ୍ସ ଗ୍ରହଣ କରିଥିଲେ। ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ହେଉଛି ବୋଲି ଅଦାଲତ ସୂଚାଇ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ। ଶ୍ରୀ ଜେନାଙ୍କ ବିରୋଧରେ ମାମଲ ଆଗେଇବା ‌ପାଇଁ ପ୍ରମାଣଯୋଗ୍ୟ ଉପାଦାନ ରହିଥିବାରୁ ଶ୍ରୀ ଜେନାଙ୍କୁ ସମନ୍ ଜାରି ପାଇଁ ଆବଶ୍ୟକ କାଗଜପତ୍ର (ରିକ୍ୟୁଜାଇଟ୍ସ) ଦାଖଲ ପାଇଁ ଅଦାଲତ ଅଭିଯୋଗକାରୀ ଶ୍ରୀ ବରାଳଙ୍କୁ ସେପ୍ଟେମ୍ବର ୨୫ରେ ନିର୍ଦ୍ଦେଶ ଦେଇଥିଲେ।

Advertisment

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜେଏମ୍‌ଏଫ୍‌ସିଙ୍କ ନିର୍ଦ୍ଦେଶ
ଅକ୍ଟୋବର ୩୧ରେ ହାଜର ହେବେ

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥରୁ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୁଲିସର ଚାର୍ଜସିଟ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା। ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତ୍ବରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସିଡିଆର୍‌ ମଗାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା।

ମାହାଙ୍ଗା ଥାନାର ତତ୍କାଳୀନ ଆଇଆଇସିଙ୍କ ବଦଳି ପରେ ସାଲେପୁର ଡିଏସପିଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଡିଏସପି ତଦନ୍ତ ଶେଷ କରିବା ପରେ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା ଦର୍ଶାଇ ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଏହି ଚୂଡ଼ାନ୍ତ ରିପୋର୍ଟରେ କୌଣସି ଆପତ୍ତି ଥିଲେ ଅବଗତ କରିବାକୁ ଏତଲାକାରୀ ରମାକାନ୍ତ ବରାଳଙ୍କୁ ଅଦାଲତ ନୋଟିସ୍ ଜାରି କରିଥିଲେ। ରମାକାନ୍ତ ବରାଳ ନୋଟିସ୍ ପାଇଥ‌ିଲେ। କିନ୍ତୁ ଏ ନେଇ ପ୍ରୋଟେଷ୍ଟ ପିଟିସନ ମାଧ୍ୟମରେ ଅବଗତ କରିବା ପୂର୍ବରୁ ୨୦୨୨, ଡିସେମ୍ବର ୯ରେ ଏତଲାକାରୀ ରମାକାନ୍ତ ବରାଳଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ରମାକାନ୍ତଙ୍କ ଭାଇ ରଣଜିତ ବରାଳ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ। ଶ୍ରୀ ବରାଳଙ୍କ ତରଫରୁ ଆଇନଜୀବୀ ପ୍ରବୀଣ କାନୁନଗୋ ମାମଲା ପରିଚାଳନା କରୁଛନ୍ତି।