ବାମପନ୍ଥୀ ଓ ଜେଏମ୍‌ଏମ୍‌ ସହ ମେଣ୍ଟ ପାଇଁ ନୀତିଗତ ନିଷ୍ପତ୍ତି: ନରସିଂହ

ପରବର୍ତୀ ବୈଠକରେ ଚୂଡ଼ାନ୍ତ ହେବ ଆସନ ବୁଝାମଣା

ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନରେ ବାମପନ୍ଥୀ ରାଜ‌େନୖତିକ ଦଳ ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚା(ଜେଏମ୍‌ଏମ୍‌) ସହିତ ରାଜ୍ୟ କଂଗ୍ରେସ ଦଳର ମେଣ୍ଟ ହେବ। ଏ ନେଇ ନୀତିଗତ ନିଷ୍ପତ୍ତି କଂଗ୍ରେସ ଦଳ ନେଇଛି। କିନ୍ତୁ ସେମାନଙ୍କୁ କେଉଁ ‌କେଉଁ ଆସନ ଏବଂ କେତେସଂଖ୍ୟକ ଆସନ ଛାଡ଼ିବ ସେ ସଂପର୍କରେ ପରବର୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଦେଶ କଂଗ୍ରେସ ମେଣ୍ଟ କମିଟି ମୁଖ୍ୟ ନରସିଂହ ମିଶ୍ର କହିଛନ୍ତି।

ଆଜି ଏ ସଂପର୍କରେ ସୂଚନା ଦେଇ ବିରୋଧୀ ଦଳ ନେତା ତଥା ମେଣ୍ଟ କମିଟି ମୁଖ୍ୟ କହିଲେ ଯେ ବାମପନ୍ଥୀ ଦଳମାନଙ୍କ ମଧ୍ୟରୁ ସିପିଆଇ, ସିପିଆଇ(ଏମ୍‌) ସହିତ କଂଗ୍ରେସ ଦଳର ମେଣ୍ଟ ସଂକ୍ରାନ୍ତରେ ଆଲୋଚନା ହୋଇଛି। ସେହିପରି ଜେଏମ୍‌ଏମ୍‌ ସହ କଂଗ୍ରେସ ଦଳର ମେଣ୍ଟ ହେବ ବୋଲି ଆପାତତଃ ସ୍ଥିର ହୋଇଛି। ଅନ୍ୟ ବାମପନ୍ଥୀ ଦଳମା‌େନ ମଧ୍ୟ କଂଗ୍ରେସ ଦଳ ସହିତ ମେଣ୍ଟ କରିପାରନ୍ତି। ତେବେ ଏ ଦିଗରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତା ୨ ତାରିଖରେ ବାମପନ୍ଥୀ ଦଳମାନଙ୍କ ସହିତ ମେଣ୍ଟ ଓ ଆସନ ବୁଝାମଣା ସଂପର୍କରେ ବୈଠକ ହେବ। ୫ ତାରିଖରେ ହେବାକୁ ଥିବା ବୈଠକରେ ଜେଏମ୍‌ଏମ୍‌ ସହିତ ଆଲୋଚନା ହେବ। ସେହି ବୈଠକରେ ଉଭୟ ଲୋକସଭା ଓ ବିଧାନସଭା ଆସନ ବୁଝାମଣା ସଂପର୍କିତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ।

ଇତି ମଧ୍ୟରେ କଂଗ୍ରେସର ମେଣ୍ଟ କମିଟି ପକ୍ଷରୁ ସମ୍ଭାବ୍ୟ ସହଯୋଗୀ ଦଳମାନଙ୍କ ସହିତ ୩ ଥର ଆଲୋଚନା ହୋଇସାରିଛି। ସେହି ଆଲୋଚନାର ଆକଳନରୁ ଜଣାପଡ଼ିଛି, କଂଗ୍ରେସ ସିପିଆଇକୁ ଆସ୍କା ଲୋକସଭା, ସିପିଆଇ(ଏମ୍‌)କୁ ଭୁବନେଶ୍ବର ଲୋକସଭା ଓ ଜେଏମ୍‌ଏମ୍‌ ମୟୂରଭଞ୍ଜ ଲୋକସଭା ଆସନ ଛାଡ଼ିବାର ସମ୍ଭାବନା ଅଧିକ। ଏହି ୩ଟି ଆସନ ଛାଡ଼ିବାରେ କଂଗ୍ରେସର ସେତେଟା ସମସ୍ୟା ନାହିଁ। ତେବେ ଅସୁବିଧା ରହିଛି ବିଧାନସଭା ଆସନ ବୁଝାମଣା କ୍ଷେତ୍ରରେ। ସିପିଆଇ ଓ ସିପିଆଇ(ଏମ୍‌) ଦଳମାନେ ଅନ୍ୟୂନ ୭ଟି ଆସନ ଚାହୁଁଛନ୍ତି। ଜେଏମ୍‌ଏମ୍‌ ଦାବି କରୁଛି ଅନ୍ତତଃ ପକ୍ଷେ ୫ଟି ବିଧାନସଭା ସିଟ୍‌। ନିର୍ଦିଷ୍ଟ କିଛି ଆସନ ଛାଡ଼ିବା ପାଇଁ କଂଗ୍ରେସ ଦଳ କୁନ୍ଥୁ କୁନ୍ଥୁ ହେଉଛି। କାରଣ କଂଗ୍ରେସ‌ ଦଳ‌େର ନିଜସ୍ବ ଆଶାୟୀ ପ୍ରାର୍ଥୀମାନଙ୍କ ଭିଡ଼ ଲାଗି ରହିଥିବାରୁ ମେଣ୍ଟ ଦଳମାନଙ୍କ ସହିତ ଆସନ ବୁଝାମଣା ପ୍ରକ୍ରିୟା ଜଟିଳ ହୋଇପାରେ। ଏଣୁ, ଆଗାମୀ ୨ ଓ ୫ ତାରିଖରେ ଆସନ ବୁଝାମଣା ନେଇ ହେବାକୁ ଥିବା ବୈଠକ ଗୁରୁତ୍ବପୂର୍ଣ୍ଣ ହେବ। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ଶ୍ରୀ ମିଶ୍ର, ବରିଷ୍ଠ ସଦସ୍ୟ ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ ଯୋଗଦେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର