ରାଉରକେଲାରେ ଜେଏମ୍‌ଏମ୍‌ ନେତ୍ରୀ ହଟହଟା

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଅଞ୍ଜଳି ସୋରେନ୍‌
ଜନଶୁଣାଣି ପାଇଁ ଆସିଥିଲେ, ପୁଲିସ୍‌ ଛାଡ଼ିଲାନି
ଦଳର ଅନ୍ୟ ନେତାଙ୍କ ସହ ହୋଟେଲ୍‌ରେ ଅଟକି ରହିଲେ

ରାଉରକେଲା : ରାଉରକେଲାରେ ହଟହଟା ହୋଇଛନ୍ତି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, ଓଡ଼ିଶା ସଭାପତି ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନ। ଏହି ମହିଳା ନେତ୍ରୀ ଓସିଏଲର ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବିତ ଜନଶୁଣାଣିକୁ ଯିବାକୁ ରାଉରକେଲାରେ ପହଞ୍ଚିଥିଲେ। ତେବେ ଆଇନଶୃଙ୍ଖଳା ଦିଗକୁ ଦୃଷ୍ଟିରେ ରଖି ତାଙ୍କୁ ହୋ‌ଟେଲରୁ ବାହାରକୁ ଛଡ଼ାଯାଇନଥିଲା। ଏନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ହୋଟେଲ ପରିସରରେ ଅସନ୍ତୋଷ ଲାଗି ରହିଥିବା ଜଣାପଡ଼ିଛି।

ଓସିଏଲ ପକ୍ଷରୁ ଡୋଲାମାଇଟ୍‌ ଓ ଚୂନପଥର ଖଣି ପାଇଁ କୁକୁଡ଼ା ଓ ଅଲଣ୍ଡା ପଞ୍ଚାୟତରେ ସୋମବାର ଜନଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଏହାକୁ କିଛି ଲୋକ ବିରୋଧ କରୁଥିଲେ। ଏହି ବିରୋଧକୁ ସମର୍ଥନ ଜଣାଇ ବରିଷ୍ଠ ଜେଏମ୍‌ଏମ୍‌ ନେତ୍ରୀ ଅଞ୍ଜଳି ସୋରେନ ସୋମବାର ରାଉରକେଲାରେ ପହଞ୍ଚି ରିଜେନ୍ସି ଇନ୍‌ ହୋଟେଲରେ ରହିଥିଲେ। ତାଙ୍କ ସହିତ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ଜେଏମ୍‌ଏମ୍‌ କେନ୍ଦ୍ରୀୟ କମିଟିର ପୱନ ସିଂହ, ଲେଥା ତିର୍କୀ, ଜିଲ୍ଲା କମିଟି ସଭାପତି ବନ୍ଧନା ଟପ୍ପୋଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୯ଟା। ଶ୍ରୀମତୀ ସୋରେନ ଦଳୀୟ କର୍ମକର୍ତାଙ୍କ ସହ ଜନଶୁଣାଣିକୁ ଯିବାପାଇଁ ସଜବାଜ ହେଉଥିବାବେଳେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ହୋଟେଲରେ ପହଞ୍ଚିଥିଲା। ଜନଶୁଣାଣିରେ ସାମିଲ ନ ହେବାକୁ ପୁଲିସ ସେମାନଙ୍କୁ ପରାମର୍ଶ ଦେଇଥିଲା। ଆଇନଶୃଙ୍ଖଳା ବଜାୟ ରଖିବାକୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା କହି ଜେଏମ୍‌ଏମ୍‌ ନେତୃବୃନ୍ଦଙ୍କୁ ବୁଝାଇଥିଲେ।

କିନ୍ତୁ ଏହାକୁ ଜେଏମ୍‌ଏମ୍‌ ନେତା ଗ୍ରହଣ କରିନଥିଲେ। ସଂପୂର୍ଣ୍ଣ ଅସାମ୍ବିଧାନିକଭାବେ ଅଟକାଯାଉଥିବା ଅଭିଯୋଗ କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ଏହି ନାଯ୍ୟ ଦାବିକୁ ସମର୍ଥନ ଜଣାଇ ଜନଶୁଣାଣି ସ୍ଥଳକୁ ଯିବାକୁ ଆସିଥିବା ନେତୃମଣ୍ଡଳୀ କହିଥିଲେ। ମାତ୍ର ପୁଲିସ ଶୁଣିନଥିଲା। ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲେ ମଧ୍ୟ ସେମାନଙ୍କୁ ଛଡ଼ାଯାଇନଥିଲା। ଏନେଇ ଦୀର୍ଘ ସମୟଧରି ହୋଟେଲ ପରିସରରେ ଅସନ୍ତୋଷ ଲାଗି ରହିଥିଲା। ଦିନସାରା ଜେଏମ୍‌ଏମ୍‌ ନେତା ହୋଟେଲ କୋଠରୀ ଭିତରେ ହିଁ ଆବଦ୍ଧ ହୋଇ ରହିଥିଲେ।

ଏନେଇ ଜେଏମ୍‌ଏମ୍‌ ରାଜ୍ୟ ସଭାପତି ଅଞ୍ଜଳି ସୋରେନ କହିଛନ୍ତି, ଶିଳ୍ପର ବିକାଶ ନାଁରେ ଆଦିବାସୀମାନଙ୍କୁ ଯାବତୀୟ ହଇରାଣ ହରକତ କରାଯାଉଛି। ଜମି ଅଧିଗ୍ରହଣ ନାଁରେ ନିରୀହ ଆଦିବାସୀଙ୍କ ଜମିକୁ ଜୋରଜବରଦସ୍ତ ନିଆଯାଉଛି। ଫଳରେ ସେମାନେ ବାସହରା ହୋଇ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଜଳ ଜଙ୍ଗଲ ଜମିର ସୁରକ୍ଷା ପାଇଁ ଦଳ ଲଢ଼େଇ ଜାରି ରଖିଛି। ଏହାକୁ ଦଳ ସମର୍ଥନ ଜଣାଇ ଘଟଣାସ୍ଥଳ ପରିଦର୍ଶନ ପାଇଁ ଆସିଥିଲୁ। ମାତ୍ର ପୁଲିସ ସଂପୂର୍ଣ୍ଣ ଅଗଣତାନ୍ତ୍ରିକଭାବେ ଆମକୁ ଛାଡ଼ିନଥିଲା। ଏଭଳି ଜୁଲମ୍‌ ଅଗ୍ରହଣୀୟ ବୋଲି ଶ୍ରୀମତି ସୋରେନ କହିଛନ୍ତି।

ସମ୍ବନ୍ଧିତ ଖବର