ଓଡ଼ିଶାରେ ଦେଖିବାକୁ ମିଳିଲା ଜେଏନୟୁ ହିଂସାର ତାତି, ହିଂସା ବିରୋଧରେ ବାହାରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଦେଖିବାକୁ ମିଳିଲା ଜେଏନୟୁ ହିଂସାର ତାତି | ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ଏହି ଘଟଣାକୁ ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଏହି ଘଟଣାକୁ ଲଜ୍ଜାଜନକ କହିବା ସହ ଆମକୁ ପଢିବାକୁ ଦିଆଯାଉ ବୋଲି କହିଥିଲେ | ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜେଏନୟୁ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ଉପରେ ବର୍ବରୋଚିତ ଆକ୍ରମଣକୁ ଦୃଢ ନିନ୍ଦା କରିଥିଲେ | ଅନ୍ୟପଟେ ଭଦ୍ରକ ଓ ଜଗତସିଂହପୁରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସେହିପରି ଜେଏନୟୁ ଛାତ୍ର ଏବଂ ଶିକ୍ଷକମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି କୋରାପୁଟ ଜୟପୁରରେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ତରଫରୁ ମହମବତୀ ଶୋଭାଯାତ୍ରା କରାଯାଇଛି | ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ କଲେଜଗୁଡ଼ିକରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି।

ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରେ ରକ୍ତପାତ ଘଟଣାକୁ ନେଇ ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଏଭଳି ଘଟଣା ନିଶ୍ଚିତ ନିନ୍ଦନୀୟ ବୋଲି ବି ସେ ଉଲ୍ଲେଖ କରିଛନ୍ତି। ସେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସକୁ ନିବେଦନ କରିବା ସହିତ ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ କହିଛନ୍ତି ଯେ ଶିକ୍ଷାନୁଷ୍ଠାନକୁ ରାଜନୀତି ଅଡ୍ଡାରେ ପରିଣତ କରିବାକୁ ଦିଆଯିବନାହିଁ | ଜେଏନୟୁ ଉପରେ ଆମେ ନଜର ରଖିଛୁ |

ଏଠାରେ ସୂଚନା ଥାଉ କି ନୂଆଦିଲ୍ଲୀରେ ଅବସ୍ଥିତ ଥିବା ଦେଶର ଅନ୍ୟତମ ପ୍ରମୁଖ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ଗତକାଲି (ରବିବାର) ବିଳମ୍ବିତ ସନ୍ଧ୍ୟାରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଯେପରି ଭାବେ ଲାଠି, ରଡ୍‌, ଏସିଡ୍‌ ଠାରୁ ଆରମ୍ଭ କରି ଆହୁରି ବହୁ ପ୍ରକାରର ମାରଣାସ୍ତ୍ର ଧରି ପ୍ରବେଶ କରିବା ସହ ଗୁଣ୍ଡାରାଜ ଚଳାଇଲେ ତାକୁ କେନ୍ଦ୍ରକରି ଆଜି ତମାମ୍‌ ଦେଶରେ ଛାତ୍ର ଅଶାନ୍ତି ତୀବ୍ର ହୋଇଛି। ଏହି ଦୁର୍ବୃତ୍ତମାନଙ୍କ ଅତର୍କିତ ଆକ୍ରମଣରେ କ୍ୟାମ୍ପସରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୨୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷଙ୍କୁ ଠାରୁ ଆରମ୍ଭ କରି ଆହୁରି ବହୁ ଛାତ୍ର, ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ଆହତ ହୋଇ ଏବେ ଚିକିତ୍ସାଧୀନ ଥିବା ଜଣାପଡିଛି ।

ଜେଏନ୍‌ୟୁ କ୍ୟାମ୍ପସ ମଧ୍ୟରେ ହୋଇଥିବା ଗୁଣ୍ଡାରାଜକୁ ବିରୋଧ କରି ଆଜି ଦେଶର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ଘଟଣାର ନିନ୍ଦା କରିବା ସହ ଜେଏନ୍‌ୟୁ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ ଜଣାଇବାକୁ ଯାଇ ଆନ୍ଦୋଳନ ପ୍ରଦର୍ଶନ କରିବାକୁ ସୁଦ୍ଧା କୁଣ୍ଠିତ ହୋଇ ନାହାନ୍ତି। ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ, ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଘଟଣାର ବିରୋଧ ପ୍ରଦର୍ଶନ କରିବା ସହ ଜେଏନ୍‌ୟୁ ଛାତ୍ରଛାତ୍ରୀମାନ ପ୍ରତି ସେମାନଙ୍କର ସମର୍ଥନ ଜଣାଇଛନ୍ତି। ଖାଲି ଦେଶ ଭିତରେ ନୁହେଁ,  ଅକ୍ସଫୋର୍ଡ ଓ କଲମ୍ବିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଘଟଣାର ନିନ୍ଦା କରି ଜେଏନ୍‌ୟୁ ଛାତ୍ରଛାତ୍ରୀମାନଙ୍କ ସପକ୍ଷରେ ବାହାରିଛନ୍ତି।

ସମ୍ବନ୍ଧିତ ଖବର