ଭୁବନେଶ୍ବର : ଜେଏନ୍‌ୟୁ ହଷ୍ଟେଲ ଅନ୍ତେବାସୀଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛି କଂଗ୍ରେସ। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଗଣତନ୍ତ୍ରରେ ଭିନ୍ନମତ ରଖୁଥିବା ବ୍ୟକ୍ତିଙ୍କୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଗ୍ରହଣ କରିପାରୁନଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି।

Advertisment

ଆଜି ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଅଭିଯୋଗ କରିଥିଲେ, ଗତକାଲି ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ପଶି ସେଠାକାର ଅନ୍ତେବାସୀଙ୍କୁ ଯେଭଳି ଆକ୍ରମଣ କଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶିକ୍ଷା, ଶିକ୍ଷାନୁଷ୍ଠାନ ଓ ସର୍ବୋପରି ଦଳମତ ନିର୍ବିଶେଷରେ ଛାତ୍ର ସମାଜ ପ୍ରତି ଏହା ବଡ଼ ଆକ୍ରମଣ। ଗତକାଲିର ଘଟଣା ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ ଆକ୍ରମଣ ବୋଲି ଦର୍ଶାଇ ଶ୍ରୀ ପଟ୍ଟନାୟକ ସିଧାସଳଖ ଆର୍‌ଏସ୍‌ଏସ୍ ଓ ବିଜେପିକୁ ଦାୟୀ କରିଥିଲେ। ମୋଦୀ ସରକାର ଏହାକୁ ଚପାଇ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଦେଶରେ ଏବେ ଏକଛତ୍ରବାଦ ଶାସନ ଚାଲିଛି। ଜାମିଆ-ଇସ୍‌ଲାମିଆ ଓ ଜେଏନ୍‌ୟୁ ଘଟଣା ସୂଚାଇ ଦେଉଛି ଯେ, ଭାରତୀୟ ଗଣତନ୍ତ୍ର ଏବେ ବିପଦରେ ପଡ଼ିଛି। ତେଣୁ ଘଟଣାର ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା କରାଯିବା ସହ ଦୋଷୀମାନଙ୍କୁ କଠୋର ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବାକୁ ଦଳ ଦାବି କରିଛି। ଦେଶ ଓ ରାଜ୍ୟର ସୁରକ୍ଷା ପାଇଁ ଛାତ୍ର ସମାଜ ଆଗକୁ ଆସି ଏହାକୁ ବିରୋଧ କରିବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜିନେଶ ଦାସ ଉପସ୍ଥିତ ଥିଲେ।