ବଲାଙ୍ଗୀର : ଡାକ ବିଭାଗର ନକଲି ସାର୍ଟିଫିକେଟ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ନକଲି ସାର୍ଟିଫିକେଟ ଧରାପଡ଼ିବାର ପ୍ରାୟ ୨୦ ଦିନ ପରେ ମେଧାବୀଙ୍କ ପାଇଁ ଖୁସିର ଖବର ଆସିଛି। କାରଣ କ୍ରାଇମବ୍ରାଞ୍ଚର ଗିରଫଦାରୀ ଭୟରେ ନକଲି ଫେରାର ମାରିଥିବା ବେଳେ ଅସଲିଙ୍କୁ ଡାକି ସାର୍ଟିଫିକେଟ ଯାଞ୍ଚ କରି ଚାକିରି ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗୀର ଡାକମଣ୍ଡଳ ପାଇଁ ୮୩ଟି ଗ୍ରାମ ଡାକସେବକ ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ଏଥିରେ ଅଧିକାଂଶ ପଦବି ହାତେଇ ନେଇଥିଲେ ନକଲି ସାର୍ଟିଫିକେଟଧାରୀ। ଏବେ ଅସଲିଙ୍କୁ ଡାକି ଚାକିରି ଦେବା ପାଇଁ ଡାକ ବିଭାଗ ସାର୍ଟିଫିକେଟ ଯାଞ୍ଚ କରୁଛି। ବଲାଙ୍ଗୀର ଡାକ ବିଭାଗରେ ନକଲି ସାର୍ଟିଫିକେଟ ଘଟଣା ଗତ ମାର୍ଚ୍ଚ ୨୩ ତାରିଖ ସାମ୍ନାକୁ ଆସିଥିଲା। ତାପରେ ବଲାଙ୍ଗୀର ପୁଲିସ ତଦନ୍ତ କରିଥିଲା।
ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ଗତ ୧୩ ଦିନ ଧରି ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ଡେରା ପକାଇ ତଦନ୍ତ କରୁଛି। ଏବେ ଏହି ପଦବିରେ ନିଯୁକ୍ତି ପାଇଁ ମେରିଟ ଲିଷ୍ଟରେ ଥିବା ୮୩ ଜଣଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ସାର୍ଟିଫିକେଟ ଯାଞ୍ଚ ପାଇଁ ୬୧ ଜଣଙ୍କୁ ଡକାଯାଇଥିଲା। ସେମାନଙ୍କ ମଧ୍ୟରେ ୩୮ନକଲି ସାର୍ଟିଫିକେଟଧାରୀ ବୋଲି ଜଣାପଡ଼ିଥିଲା। ସେଥିରୁ ଏବେ ୧୭ ଜଣ ଜେଲ୍ରେ ଥିବା ବେଳେ ଅନ୍ୟମାନେ ଫେରାର୍। ତେଣୁ ଗତ ଦୁଇ ଦିନ ହେବ, ପୋଷ୍ଟଅଫିସରେ ମେଧାବୀ ଛାତ୍ରଙ୍କ ଭିଡ଼ ଜମୁଛି। ପାଖାପାଖି ୫୦ ପଦବି ନକଲି ମାଡ଼ି ବସିଥିବା ବେଳେ ଏବେ ସେମାନଙ୍କ ଜାଗାରେ ଅସଲି ସାର୍ଟିଫିକେଟଧାରୀ ଚାକିରି ପାଇବେ ବୋଲି ଡାକ ଅଧୀକ୍ଷକ ସୂଚନା ଦେଇଛନ୍ତି।
ଜାଲ୍ ସାର୍ଟିଫିକେଟକୁ ନେଇ ଦୀର୍ଘ ୨୦ ଦିନରୁ ଅଧିକ ହେବ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି। ତେଣୁ ବିଭିନ୍ନ ଜାଗାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଧରା ପଡ଼ିଯିବା ଭୟରେ ଫେରାର ମାରୁଛନ୍ତି ନକଲି ସାର୍ଟିଫିକେଟଧାରୀ। ଏବେ ଏବେ ସରିଥିବା ମାଟ୍ରିକ ମୂଲ୍ୟାଙ୍କନ କେନ୍ଦ୍ରରୁ ଅଜବ ଖବର ଆସିଛି। ଟିଟିଲାଗଡ଼ ବାଳକ ହାଇସ୍କୁଲରେ ମାଟ୍ରିକ ଖାତା ମୂଲ୍ୟାଙ୍କନ ଚାଲିଥିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ ସଞ୍ଜିତା ପାଣି ମହାନନ୍ଦ ଫେରାର ମାରିଥିଲେ। ନକଲି ଶିକ୍ଷକଙ୍କ ପତ୍ତା ମିଲୁନି। ଘରେ ନାହାନ୍ତି କି ସ୍କୁଲରେ ବି ନାହାନ୍ତି। ସୂଚନା ଅନୁଯାୟୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ କାମ କରୁଥିବା କିଛି କର୍ମଚାରୀ ବି ଫେରାର। ଏବେ ଶିକ୍ଷା ବିଭାଗରୁ ଧରାପଡ଼ିଯିବା ଭୟରେ ଆଗୁଆ ଶିକ୍ଷକ ଫେରାର ମାରୁଥିବା ବେଳେ ବିଭାଗ କି ପ୍ରଶାସନ ପକ୍ଷରୁ ପୁଲିସରେ କୌଣସି ରିପୋର୍ଟ ଦିଆଯାଇ ନାହିଁ। ସେପଟେ କ୍ରାଇମବ୍ରାଞ୍ଚ ଅଧିକାରୀ କହୁଛନ୍ତି, ଆମେ କେବଳ ପୋଷ୍ଟଅଫିସ ଘଟଣାର ତଦନ୍ତ କରୁଛୁ। ଅନ୍ୟ କେଉଁ କାର୍ଯ୍ୟାଳୟରେ ନକଲି ସାର୍ଟିଫିକଟ ଥିଲେ ସେମାନେ ସ୍ଥାନୀୟ ପୁଲିସରେ ଅଭିଯୋଗ କରିପାରିବେ ବୋଲି କହିଛନ୍ତି।