ବରଗଡ଼/ସମ୍ବଲପୁର : ଜାଲ୍ ଜାତିଗତ ପ୍ରମାଣପତ୍ରରେ ଚାକିରି ଅଭିଯୋଗକୁ ନେଇ ଆଜି କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିବାପରେ ଅଡ଼ୁଆରେ ପଡ଼ିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ରମେଶଚନ୍ଦ୍ର ଦୋରା। କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପିଙ୍କ ସହିତ ଦୁଇଜଣିଆ ଟିମ୍ ବରଗଡ଼ ତହସିଲ ଅଫିସ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।
ଶ୍ରୀଦୋରାଙ୍କ ବିରୋଧରେ ଜାଲ୍ ଜାତିଗତ ପ୍ରମାଣପତ୍ରରେ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କର ମୂଳ ଜାତି ତେଲେଙ୍ଗା, ଯାହାକି ଓବିସି/ଏସ୍ଇବିସି ବର୍ଗରେ ଆସୁଛି। ହେଲେ, ସେ ଚାକିରି ସମୟରେ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରରେ ତାଙ୍କ ଜାତି ‘କଣ୍ଡଦୋରା’ ଦର୍ଶାଯାଇଛି। ‘କଣ୍ଡଦୋରା’ ଅନୁସୂଚିତ ଜନଜାତି ବର୍ଗରେ ଯାଉଛି। ଶ୍ରୀ ଦୋରା ସମ୍ବଲପୁର ଟାଉନ୍ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ୨୦୨୧ ଫେବ୍ରୁଆରି ମାସରେ ଏନେଇ ହାଇକୋର୍ଟରେ ଏକ ମାମଲା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଏସ୍ପି ଏହାଉପରେ ତଦନ୍ତ କରିବାକୁ ସମ୍ବଲପୁରର ତତ୍କାଳୀନ ଅତିରିକ୍ତ ଏସ୍ପି ଅମରେଶ ପଣ୍ଡା (ବର୍ତ୍ତମାନର ସୁବର୍ଣ୍ଣପୁର ଏସ୍ପି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପଣ୍ଡା ତଦନ୍ତ କରି ଶ୍ରୀ ଦୋରାଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ। ଏହାଭିତରେ ଶ୍ରୀ ଦୋରା ପଦୋନ୍ନତି ପାଇ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଭାବେ ଅବସ୍ଥାପିତ ହୋଇଛନ୍ତି।
କିନ୍ତୁ, ଶ୍ରୀ ପଣ୍ଡାଙ୍କ ରିପୋର୍ଟରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ମାମଲାର ମୂଳ ଅଭିଯୋଗକାରୀ ଆଇନଜୀବୀ ସୁରେନ୍ଦ୍ର ମହାପାତ୍ର ସୂଚନା ଅଧିକାର ଆଇନ୍ ଓ ଅନ୍ୟାନ୍ୟ ସୂତ୍ରରୁ ଶ୍ରୀ ଦୋରାଙ୍କ ଅସଲ ଜାତିନେଇ ପ୍ରମାଣ ଯୋଗାଡ଼ କରିଥିଲେ। ବରଗଡ଼ ସହର ନିବାସୀ ଶ୍ରୀ ଦୋରା ସ୍ଥାନୀୟ ରଙ୍ଗପଡ଼ା ୟୁପି ସ୍କୁଲ୍ରେ ପାଠ ପଢ଼ିଛନ୍ତି ଏବଂ ବିଇଓ ବରଗଡ଼ ଦେଇଥିବା ତଥ୍ୟ ଅନୁସାରେ ସ୍କୁଲ୍ ରେଜିଷ୍ଟର୍ରେ ତାଙ୍କ ଜାତି ‘ତେଲେଙ୍ଗା’ ବୋଲି ଉଲ୍ଲେଖ ରହିଛି। ସେହିଭଳି, ତଦନ୍ତ ଅଧିକାରୀ ଶ୍ରୀପଣ୍ଡା ରିପୋର୍ଟରେ ୧୪.୧୧.୧୯୯୪ରେ ବରଗଡ଼ ତହସିଲଦାର ଜାରିକରିଥିବା ପ୍ରମାଣପତ୍ରରେ ତାଙ୍କ ଜାତି କଣ୍ଡଦୋରା ବୋଲି ଉଲ୍ଲେଖ ଥିବା ଦର୍ଶାଇଥିଲେ। ତେବେ, ଶ୍ରୀ ମହାପାତ୍ରଙ୍କୁ ସୂଚନା ଆଇନ୍ରେ ମିଳିଥିବା ତଥ୍ୟ ଅନୁଯାୟୀ ବରଗଡ଼ ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀଦୋରାଙ୍କ ନାଁରେ କୌଣସି ଜାତିଗତ ପ୍ରମାଣପତ୍ର ଜାରି କରାଯାଇଥିବା ନେଇ ରେକର୍ଡ ମହଜୁଦ ନାହିଁ। କେବଳ ସେତିକି ନୁହେଁ; ସମ୍ବଲପୁର ଏସ୍ପି କାର୍ଯ୍ୟାଳୟ ବା ତଦନ୍ତକାରୀ ଅଧିକାରୀ ଶ୍ରୀପଣ୍ଡାଙ୍କ ତରଫରୁ ଜାତିଗତ ପ୍ରମାଣପତ୍ର ସଂପର୍କରେ କୌଣସି ତଥ୍ୟ ମଗାଯାଇ ନାହିଁ ବା ତହସିଲ କାର୍ଯ୍ୟାଳୟରେ କୌଣସି ଯାଞ୍ଚ କରାଯାଇନଥିବା ଆର୍ଟିଆଇରେ ସୂଚନା ଦିଆଯାଇଛି।
ପୁଲିସ୍ ଚାକିରି ପାଇଁ ବ୍ୟବହାର କରିଥିବା ଜାତିଗତ ପ୍ରମାଣପତ୍ରକୁ ପ୍ରଦାନକାରୀ ଅଧିକାରୀଭାବେ ବରଗଡ଼ ତହସିଲଦାର ଅସ୍ବୀକାର କରିବାଫଳରେ ଶ୍ରୀଦୋରାଙ୍କ ଅଡ଼ୁଆ ବଢ଼ିଯାଇଛି। ସେହିପରି, ଉପରଠାଉରିଆ ତଦନ୍ତ ନେଇ ସୁବର୍ଣ୍ଣପୁର ଏସ୍ପି ଶ୍ରୀ ପଣ୍ଡାଙ୍କ ଉପରେ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି ଅଭିଯୋଗକାରୀ। ସେ ଏନେଇ ଗତ ମେ ମାସରେ ସିଆଇଡି କ୍ରାଇମ୍ବ୍ରାଞ୍ଚ ନିକଟରେ ନିଜ ବୟାନ ଲିପିବଦ୍ଧ କରାଇଥିଲେ। କ୍ରାଇମ୍ବ୍ରାଞ୍ଚକୁ ମଧ୍ୟ ଏହାର ପ୍ରମାଣସ୍ବରୂପ ସମସ୍ତ କାଗଜପତ୍ର ପ୍ରଦାନ କରିଥିଲେ। ଏହାପରେ କ୍ରାଇମ୍ବ୍ରାଞ୍ଚର ଅତିରିକ୍ତ ଏସ୍ପି ଡିବି ମିଶ୍ରଙ୍କ ନେତୃତ୍ବରେ ୨ ଜଣିଆ ଟିମ୍ ବୁଧବାରଠାରୁ ବରଗଡ଼ ଆସି ୨ଦିନ ଧରି ଅଭିଯୋଗର ତଦନ୍ତ କରିବା ପରେ କଟକ ଫେରି ଯାଇଛନ୍ତି। ସେମାନେ ବରଗଡ଼ ତହସିଲ୍ଦାରଙ୍କୁ ପଚରାଉଚରା ସହ କାଗଜପତ୍ର ନେଇଥିବା ସୂଚନା ମିଳିଛି।