ବେରୋଜଗାରଙ୍କୁ ରୋଜଗାର ଦେବା ପାଇଁ ସରକାର ଯତ୍ନବାନ ହୁଅନ୍ତୁ: ପିସିସି ସଭାପତି

ବେକାରଙ୍କୁ ମାସିକ ୭,୫୦୦ ଟଙ୍କା ଲେଖାଏଁ ଦେବାକୁ ପ୍ରସ୍ତାବ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଘୋର କଠିନ ପରିସ୍ଥିତିରେ ରାଜ୍ୟ ଗତି କରୁଛି। ଗତକାଲି ଓ ଆଜି ପ୍ରାୟ ୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟବାସୀଙ୍କ ମନରେ ଘୋର ଚିନ୍ତା ବଢ଼ାଇଛି। ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାବ୍‌ ପରୀକ୍ଷା କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହିତ ବେରୋଜଗାରଙ୍କୁ ରୋଜଗାର ଯୋଗାଇବା ଲକ୍ଷ୍ୟରେ କାଳିଆ ଓ ବଳରାମ ଯୋଜନା ପରି ଆଉ ଗୋଟିଏ ସୁଦର୍ଶନ ନାମରେ ଯୋଜନା ଆରମ୍ଭ କରାଯାଇପାରେ ବୋଲି ସେ କହିଛନ୍ତି।

ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ଯେପରି ରୂପ ନେଲାଣି ଏପରି ଜାରି ରହିଲେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାକୁ ବେଶି ଦିନ ଲାଗିବନି। ଦୈନିକ ଆର.ଟି.ପି.ସି.ଆର ଟେଷ୍ଠିଂକୁ ଅନୁନ୍ୟ ୧୫ ହଜାରକୁ ବୃଦ୍ଧି କରାଯାଉ। ସଙ୍ଗରୋଧ କେନ୍ଦ୍ରକୁ ସୁବ୍ୟବସ୍ଥିତ କରିବା ସହ କରୋନା ଯୋଦ୍ଧା ଓ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାବ୍‌ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଉ। ଓଡ଼ିଶା ସରକାର ସବୁବେଳେ ଦେବତାମାନଙ୍କ ନାମରେ ଏକାଧିକ ଯୋଜନା କରି ତପ୍ତ ବୈତରଣୀ ପାରି ହେବାକୁ ଯୋଜନା କରୁଛନ୍ତି । ଚାଷୀମାନଙ୍କ ପାଇଁ କାଳିଆ ପରେ ବଳରାମ ଯୋଜନା କଲେ। ଏବେ ମା’ ସୁଭଦ୍ରା ଓ ସୁଦର୍ଶନଙ୍କୁ କାହିଁକି ଭୁଲିଗଲେ? ରାଜ୍ୟରେ ପ୍ରାୟ ୪ ଲକ୍ଷ ୨୭ ହଜାର ୩୨୩ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଅଛି । ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ମା’ଭଉଣୀଙ୍କ ଠାରୁ ଋଣ ଅର୍ଥ ଆଦାୟ ନ କରିବାକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଥିବାବେଳେ ମାଇକ୍ରୋ ଫାଇନାନ୍‌ସ୍‌ ସଂସ୍ଥା, ବିଭିନ୍ନ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକ ଆରବିଆଇର ନିୟମକୁ ଉଲଂଘନ କରି କିସ୍ତି ଆଦାୟ କରୁଛନ୍ତି। କେତେକ ସ୍ଥାନରେ ବାଧ୍ୟବାଧ୍ୟକତା କରାଯାଉଛି।ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ସୁଭଦ୍ରା ନାମକ ଯୋଜନା କରି ସ୍ୱୟଂସହାୟିକା ଗୋଷ୍ଠୀର ମା’ଭଉଣୀମାନଙ୍କୁ ସୁଧ ଓ ମୁଳରେ ରିହାତି ଦିଆଯାଉ।

ବେକାରୀ ଯୁବକ, ପ୍ରବାସୀ ଶ୍ରମିକ, ଭୂମିହୀନ ଯୁବକ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବେରୋଜଗାରୀ ପରିବାରବର୍ଗଙ୍କୁ ସୁଦର୍ଶନ ଯୋଜନା କରି ମାସିକ ୭,୫୦୦ ଟଙ୍କା ହିସାବରେ ଅନ୍ୟୁନ ୬ମାସ ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉ। ଏଗୁଡ଼ିକ ଗମ୍ଭୀର ପ୍ରସଙ୍ଗ ହୋଇଥିଲେ ବି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବାପାଇଁ ସରକାର ଆନ୍ତରିକତା ସହ ଏ ଦିଗରେ ଯତ୍ନବାନ ହେବାକୁ ପିସିସି ସଭାପତି ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର