କଟକ : ଆଇଓସିଏଲରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ଦୁଇ ଯୁବତୀଙ୍କୁ ଠକିଛନ୍ତି ସାଇବର୍ ଠକ। ବିନା ପରୀକ୍ଷାରେ ନିଯୁକ୍ତି ମିଳିବ କହି ଦେଢ଼ଲକ୍ଷ ଟଙ୍କା ଠକି ନେଇଛନ୍ତି। ଭୁବନେଶ୍ବର, ପାରାଦୀପ, ଚେନ୍ନାଇ, ପାନିପଥ, ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, କଲିକତାରେ ଥିବା ଆଇଓସିଏଲ୍ କାର୍ଯ୍ୟାଳୟରେ ନିଯୁକ୍ତି ଦେବାକୁ ତାଙ୍କୁ କୁହାଯାଇଥିଲା। କିନ୍ତୁ ଠକ ଟଙ୍କା ଠକିନେଇ ଧମକଚମକ ଦେଉଥିବା ସମ୍ପର୍କରେ ଠକେଇର ଶିକାର ହୋଇଥିବା ଜଣେ ଏମଫିଲ୍ ଛାତ୍ରୀ ଆଜି କ୍ରାଇମବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।

Advertisment

ଫେସବୁକରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ(ଆଇଓସିଏଲ୍) ନାଁରେ ଏକ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ପ୍ରକାଶ ପାଇଥିଲା। ଭୁବନେଶ୍ବର ଲିଙ୍ଗରାଜ ଅଞ୍ଚଳର ଜଣେ ଏମ୍‌ଫିଲ୍ ଛାତ୍ରୀ ଶାଶ୍ବତୀ ସୌମ୍ୟା ମିଶ୍ର ବିଜ୍ଞାପନରେ ଥିବା ଏକ ନମ୍ବରରେ ଯୋଗାଯୋଗ କରିଥିଲେ। ମେ ୧୧ ତାରିଖରେ ରାଜ ମିଶ୍ର ଏବଂ ସ୍ମୁତି ରଞ୍ଜନ ଶତପଥୀ ନାଁରେ ଦୁଇ ଜଣ ବ୍ୟକ୍ତି ସଂସ୍ଥାର ଏଚଆର୍ ପରିଚୟରେ କଥା ହୋଇଥିଲେ। କରୋନା ସମୟରେ ନିଯୁକ୍ତି ସଂକ୍ରାନ୍ତ ପରୀକ୍ଷା ହେବନାହିଁ। କେବଳ ଶିକ୍ଷାଗତ ଯୋଗ୍ୟତା ଆଧାରରେ ପରୀକ୍ଷା ହେବା କହି ହ୍ବାଟସ୍‌ଆପରେ ସମସ୍ତ ଶିକ୍ଷାଗତ ଯୋଗ୍ୟତା ଶାଶ୍ବତୀଙ୍କ ନିକଟରୁ ମାଗି ନେଇଥିଲେ। ଅଫିସିଆଲ୍ ପ୍ରୋସେସିଂ ଫି ବାବଦ ୭ ହଜାର ୬୦୦ ଟଙ୍କା ମେ ୧୪ ତାରିଖରେ ପଠାଇ ଥିଲେ। ମେ ୧୬ ତାରିଖରେ ୫ ହଜାର ୬୦୦ ଟଙ୍କା ନିଯୁକ୍ତିପତ୍ର ପାଇଁ ନେଇଥିଲେ। ଠକ ଏହିଭଳି ଭାବେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୯୬ ହଜାର ଟଙ୍କା ନେଇଥିଲେ। କିନ୍ତୁ ନିଯୁକ୍ତି ପତ୍ର ପାଇଁ ଆହୁରି ୨୦ ହଜାର ଟଙ୍କା ସେମାନେ ଦାବି କରିଥିଲେ। ଶାଶ୍ବତୀ ଟଙ୍କା ନଦେବାରୁ ତାଙ୍କୁ ଧମକ ଦେବା ସହିତ ଗାଳିଗୁଲଜ କରିଥିଲେ। ରାଉରକେଲାରର ଜଣେ ପୁଲିସ ଅଫିସରଙ୍କ ପରିଚୟ ଦେଇ ଧମକାଇ ଥିଲେ।

ସମାନ ସ୍ଥିତି ଆଉ ଜଣେ ମହିଳା ଖଣ୍ଡଗିରି ଅଞ୍ଚଳର ଜୟଶ୍ରୀ ମଲ୍ଲିକ ସହିତ ଘଟିଛି। ତାଙ୍କୁ ବି ଆଇଓସିଏଲରେ ନିଯୁକ୍ତ ଦେବାକୁ କହି ୬୦ ହଜାର ଟଙ୍କା ଠକି ନେଇଛନ୍ତି। ତେବେ ଖଣ୍ଡଗିରି ଥାନା ପୁଲିସ ଦୁଇ ଜଣଙ୍କ ଅଭିଯୋଗ ଆଧାରରେ ଜୁଲାଇ ୨୬ ତାରିଖରେ ମାମଲା ରୁଜୁ କରିଥିଲା। କିନ୍ତୁ ପୁଲିସ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କଲା ନାହିଁ। ବର୍ତ୍ତମାନ ସୁଦ୍ଧା ଟଙ୍କା ଫେରସ୍ତ କିମ୍ବା ଠକଙ୍କୁ ଗିରଫ କ୍ଷେତ୍ରରେ ଅଗ୍ରଗତି ହୋଇ ନଥିବାରୁ ଆଜି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଶାଶ୍ବତୀ ଭେଟି ଅଭିଯୋଗ କରିଛନ୍ତି।