ଜାଲ୍‌ ସାର୍ଟିଫିକେଟରେ ଚାକିରି: ବହିଷ୍କୃତ ଶିକ୍ଷକଙ୍କ ନାଁରେ ମାମଲା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଜଣେ ବହିଷ୍କୃତ ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଶିକ୍ଷକ ଜଣଙ୍କ ହେଉଛନ୍ତି ବାଂଶପାଳ ବ୍ଲକ୍‌ ଟଣସ୍ଥିତ ପାଟେଶ୍ବର ହାଇସ୍କୁଲ୍‌ର ଯଶୋବନ୍ତ ସାହୁ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶକ୍ରମେ ତାଙ୍କ ନାମରେ ବିଦ୍ୟାଳୟ ଶିକ୍ଷା କମିଟି ନୟାକୋଟ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଶ୍ରୀ ସାହୁ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ବିଇଡି ପାସ୍‌ କରିଥିବା ନେଇ ନିଯୁକ୍ତି ବେଳେ ସାର୍ଟିଫିକେଟ୍‌ ଦାଖଲ କରିଥିଲେ। ଉକ୍ତ ସାର୍ଟିର୍ଫିକେଟ୍‌ରେ ରୋଲ ନମ୍ବର ୪୧୦ ସି ୦୧୩ ଏବଂ ରେଜି‌ଷ୍ଟ୍ରେସନ ନମ୍ବର ୧୫୭୩୪/୯୫ ଥିଲା। ଏହି ସାର୍ଟିଫିକେଟ୍‌ ନକଲି ବୋଲି ଅଭିଯୋଗ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ଫେବ୍ରୁଆରି ୪ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି (ନମ୍ବର-୯୦୪) ଲେଖାଯାଇ ସାର୍ଟିଫିକେଟ୍‌ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଥିଲା।

କୁଳସଚିବ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ( ନମ୍ବର-୨୨୩୮/ ତା ୧୭.୨.୨୦୨୨) ଦେଇଥିଲେ। ଏହି ଚିଠିରେ ଏଭଳି କୌଣସି ବ୍ୟକ୍ତି ଉକ୍ତ ରୋଲ ନମ୍ବରରେ ନ ଥିବା ସେ ଦର୍ଶାଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ଚିଠି ପାଇବା ପରେ ଏପ୍ରିଲ ୪ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି (ନଂ-୨୫୦୮)ରେ ଶ୍ରୀ ସାହୁଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ନୋଟିସର ଉତ୍ତର ଦେବା ବଦଳରେ ଶ୍ରୀ ସାହୁ ଇସ୍ତଫା ଦେଇ ଫେରାର ହୋଇଯାଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ବିଦ୍ୟାଳୟ ଶିକ୍ଷା କମିଟିକୁ ବହିଷ୍କୃତ ଶିକ୍ଷକ ଶ୍ରୀ ସାହୁଙ୍କ ନାମରେ ଥାନାରେ ଅଭିଯୋଗ କରିବାପାଇଁ ନିର୍ଦେଶ ଦେଇଥିଲେ। ଅଭିଯୋଗ ପରେ ନୟାକୋଟ ଥାନାରେ ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ମେ ମାସରେ ସାହାରପଡ଼ା ବ୍ଲକ୍‌ ବିଲା ରାମଚନ୍ଦ୍ରପୁର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରାଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର