ବିଧାନସଭାରେ ବିରୋଧୀ ଦଳର ଚେତାବନୀ : କର୍ମ ନିଯୁକ୍ତି ସୃଷ୍ଟି ନ ହେଲେ ଆଗାମୀ ଦିନରେ ବେକାରମାନେ ବିଦ୍ରୋହ କରିବେ

ନିଯୁକ୍ତି ସୃଷ୍ଟି ଲାଗି ପଦ.କ୍ଷେପ ନିଆଯାଉଛି : ମନ୍ତ୍ରୀ

ଭୁବନେଶ୍ୱର: ବେକାରୀ ସମସ୍ୟା ବୃଦ୍ଧି ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଆଗକୁ ନିଯୁକ୍ତି ସୁଯୋଗ ସୃଷ୍ଟି ନ ହେଲେ ବେକାରମାନେ ବିଦ୍ରୋହ କରିବେ ବୋଲି ବିରୋଧୀ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ବେକାରୀ ସମସ୍ୟା ସଂକ୍ରାନ୍ତରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ନିଯୁକ୍ତି ହାର କମିଥିବାର ଚଳିତ ବର୍ଷର ଇକୋନୋମିକ ସର୍ଭେ ରିପୋର୍ଟରୁ ଜଣାଯାଇଛି ବୋଲି କହିଥିଲେ। ରାଜ୍ୟରେ ୮୫ ଲକ୍ଷ ବେକାର ନିଯୁକ୍ତି ନ ପାଇ ବସିଛନ୍ତି। ବିଭିନ୍ନ ସରକାରୀ ବିଭାଗରେ ୫ ଲକ୍ଷ ୮୩ ହଜାର ମଂଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ୧ଲକ୍ଷ ୩୧ ହଜାର ୫୧୮ ପଦବୀ ଖାଲିପଡ଼ିଛି। ରୋଜଗାର ନପାଇ ବେକାର ଯୁବକମାନେ ଅପରାଧରେ ଲିପ୍ତ ହେଉଛନ୍ତି। ଯଦି ସେମାନଙ୍କୁ କର୍ମ ନିଯୁକ୍ତି ନ ଦିଆଯାଏ, ତେବେ ଆଗାମୀ ଦିନରେ ବେକାର ଯୁବକ ଯୁବତୀମାନେ ବିଦ୍ରୋହ କରିବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ।

୨୦୦୭-୦୮ ରେ ରାଜ୍ୟର ୧ କୋଟି ୧୪ ଲକ୍ଷ ଦାଦନ ଶ୍ରମିକ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ୧ କୋଟି ୪ ଲକ୍ଷ ରାଜ୍ୟ ମଧ୍ୟରେ ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରିଥିଲେ। ରାଜ୍ୟରେ ୩୫ ଲକ୍ଷ ୪ ହଜାର ଯୁବକ ଯୁବତୀ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିବା ବେଳେ ମାତ୍ର ୪୫ ହଜାର ୭୮୩ ଜଣ ଅର୍ଥାତ୍‌ ମାତ୍ର ୧.୩ ପ୍ରତିଶତ ନିଯୁକ୍ତି ପାଇଛନ୍ତି। ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ଆଗାମୀ ଦିନରେ ବେକାରମାନେ ବିଦ୍ରୋହ କରିବେ କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଅନ୍ୟ ରାଜ୍ୟରେ ଅଧିକରୁ ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବା ବେଳେ ଓଡ଼ିଶାରେ ବେକାରୀ ସମସ୍ୟାର କିପରି ସମାଧାନ ହେବ ସେଥିପାଇଁ ସରକାରଙ୍କ ଚିନ୍ତା ନାହିଁ। ରାଜ୍ୟରେ ପୁଲିସ ବିଭାଗରେ, ଡାକ୍ତରଖାନା ଏବଂ ସ୍କୁଲରେ ଶହ ଶହ ପଦବୀ ଖାଲି ପଡ଼ିଛି। ଶିଳ୍ପ ସଂସ୍ଥାରେ ୭୫ ପ୍ରତିଶତ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ଆନ୍ଧ୍ର ପ୍ରଦେଶରେ ଆଇନ ପ୍ରଣୟନ କରାଯାଇଥିବା ବେଳେ ଓଡ଼ିଶାରେ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କ୍ଷୋଭର ସହ କହିଥିଲେ।

ଅନ୍ୟପକ୍ଷରେ ମୁଲତବୀ ପ୍ରସ୍ତାବରେ ଉତ୍ତର ଦେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ ଯେ, ରାଜ୍ୟର ଯୁବକଯୁବତୀମାନଙ୍କର ଦକ୍ଷତା ବିକାଶ ଲାଗି ୨୦୧୬-୧୭ରେ ଓଡ଼ିିଶା ଦକ୍ଷତା ବିକାଶ ଲାଗି କର୍ତ୍ତୃପକ୍ଷ ସ୍ଥାପନ କରାଯାଇଛି। ରାଜ୍ୟରେ କର୍ମ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ କର୍ମନିଯୁକ୍ତି ଯୋଜନା ୨୦୧୪-୧୫ ରେ ଆରମ୍ଭ କରାଯାଇଛି। ରାଜ୍ୟର ୧୧ଟି ମୁଖ୍ୟ ବିଭାଗ ଦକ୍ଷତା ବିକାଶ ଏବଂ କର୍ମନିଯୁକ୍ତି/ଆତ୍ମ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ୧୦. ୩୮ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦିଆଯାଇଛି ବୋଲି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରକାଶ କହିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଦକ୍ଷତା ବିକାଶ ଓ ନିଯୁକ୍ତି ଯୋଜନାଗୁଡ଼ିକ ସଫଳତାର ସହ କାର୍ଯ୍ୟକାରୀ କରାଯାଉଥିବା ବେଳେ ରାଜ୍ୟର ଦାଦନ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।

ସମ୍ବନ୍ଧିତ ଖବର