ବାଲେଶ୍ବର: ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ୪ ଜଣ ଶିକ୍ଷକ ବାଲେଶ୍ବର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନେ ହେଲେ, ନୀଳଗିରି ଥାନା ମହିଷ‌ାପଟା ୟୁଜିଏମ୍‌ଇ ସ୍କୁଲର ସହକାରୀ ଶିକ୍ଷକ ଦୈତାରୀ ନାୟକ, ଝରଣାଘାଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନରହରି ନାୟକ, ପିଠାହାଟ ନୋଡାଲ୍‌ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଧୀରେନ୍ଦ୍ର ନାୟକ ଓ ତେନ୍ତୁଳିଆ ୟୁଜିଏମ୍‌ଇ ସ୍କୁଲର ପୂର୍ବତନ ଶିକ୍ଷକ ତଥା ବର୍ତ୍ତମାନ ମିତ୍ରପୁରସ୍ଥିତ କଲ୍ୟାଣୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଦେବେନ୍ଦ୍ର କୁମାର ମହାପାତ୍ର।

Advertisment

ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଏହି ସମସ୍ତ ଦୋଷୀଙ୍କୁ ୪ ବର୍ଷ ଲେଖାଏ ଜେଲ୍‌, ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୪ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଆଜିଠାରୁ ଦଣ୍ଡାଦେଶ ଲାଗୁ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ପରେ ଦୋଷୀମ‌ାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ଚାକିରିରୁ ଅବସର ନେଇଥିବା ଧୀରେନ୍ଦ୍ର ନାୟକଙ୍କ ପେନ୍‌ସନ୍‌ ତତ୍କାଳ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଦୈତାରୀ ନାୟକ, ନରହରି ନାୟକ ଓ ଦେବେନ୍ଦ୍ର କୁମାର ମହାପାତ୍ରଙ୍କୁ ଚାକିରିରୁ ବହିଷ୍କୃତ କରିବାକୁ ରାୟ ଦେଇଛନ୍ତି। ବାଲେଶ୍ବର ଭିଜିଲାନ୍ସ ଡିଭିଜନ୍‌ର ପୂର୍ବତନ ଇନ୍ସପେକ୍ଟର ଗାଙ୍ଗୁଲାଲ ବେହେରା ଏହି ଜାଲିଆତି ମାମଲାର ପର୍ଦ୍ଦାଫାସ୍‌ କରିଥିଲେ। ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ପିପି ଏସ୍‌କେ ରାୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।