ଜାଲ ସାର୍ଟିଫିକେଟରେ ଚାକିରି: ଅସ୍ଥାୟୀ ଫସିଲେ, ସ୍ଥାୟୀ ଖସିଲେ

କେନ୍ଦୁଝର: ଜାଲ୍ ସାର୍ଟିଫିକେଟ ଦେଇ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ୧୨ ଜଣ ଶିକ୍ଷକ ଫସିବା ସହିତ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ସରକାରଙ୍କ ଯାଞ୍ଚ ପ୍ରକ୍ରିୟାରେ ଅସ୍ଥାୟୀ ଶିକ୍ଷକମାନେ ଫସିଥିବା ବେଳେ ସ୍ଥାୟୀମାନେ ଖସି ଯାଇଥିବା ନେଇ ଚର୍ଚ୍ଚା ହେଉଛି।

କେନ୍ଦୁଝର ଜିଲ୍ଲାରେ ଗତ ଦୁଇବର୍ଷ ଧରି ଠିକା ନିଯୁକ୍ତି ପାଇିଥବା ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ହେଉଛି। ଏହି ପ୍ରକ୍ରିୟା ପ୍ରାୟ ଦୁଇ ବର୍ଷ ଧରି ଚାଲୁଥବା ବେଳେ ଅଦ୍ୟାବଧି ବିଭିନ୍ନ ବ୍ଲକର ୧୨ ଜଣ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡିଛି। ଯେଉଁ ଶିକ୍ଷକମାନେ ଧରା ପଡ଼ିଛନ୍ତି, ସେମାନେ ସମସ୍ତେ ଠିକା ଶିକ୍ଷକ। କେବଳ କ’ଣ ଠିକା ଶିକ୍ଷକ ଜାଲ୍‌ ସାଟିର୍ଫିକେଟ ଦେଇଥିଲେ ନା କୌଣସି ସ୍ଥାୟୀ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ ମୋଟ ୨୧୯୩ଟି ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ୨୧୫ଟି ସରକାରୀ ହାଇସ୍କୁଲ ରହିଛି। ଏହି ପ୍ରାଥମିକ ବିଦ୍ୟାଳୟରେ ୬୫୧୭ ଜଣ ଶିକ୍ଷକଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା ବେଳେ ହାଇସ୍କୁଲରେ ୧୦୯୧ ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ଏହା ସତ୍ତ୍ବେ ହାଇସ୍କୁଲଗୁଡିକରେ ମୋଟ ୬୪୧ଟି ଶିକ୍ଷକ ପଦବି ଖାଲି ପଡ଼ିଛି। କେନ୍ଦୁଝର ଜିଲ୍ଲାରେ ହାଇସ୍କୁଲଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ନକଲି ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ମାତ୍ର ଯେଉଁମାନେ ସ୍ଥାୟୀ ହୋଇ ଗଲେଣି ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉନାହିଁ। ବିଶେଷ କରି ବାଂଶପାଳ, ଯୋଡା, ତେଲକୋଇ ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ଏହି ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସଂଖ୍ୟା ଅଧିକ।

କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗର କହିବା କଥା, ସରକାରଙ୍କ ଚିଠି ଅନୁସାରେ ୨୦୧୮ ମସିହା ପରଠାରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ବିଏଡ ସାର୍ଟିଫିକେଟ ଯାଞ୍ଚ କରାଯାଉଛି। ମାତ୍ର ସ୍ଥାୟୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସରକାରୀ ନିର୍ଦ୍ଦେଶନାମା ନାହିଁ। କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗର ଡିପିସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ କିଛି ମାସ ତଳେ ଜିଲ୍ଲାରେ ନବନିଯୁକ୍ତ ୮୦୦ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟ ଯାଞ୍ଚ ପାଇଁ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନଙ୍କୁ ଚିଠି କରାଯାଇଥିଲା। ଏହି ୮୦୦ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟ ଯାଞ୍ଚରୁ ୪ଜଣ ନକଲି ଓଟିଇଟି ସାର୍ଟିଫିକେଟ ଦେଇଥିବା ବୋର୍ଡ ପକ୍ଷରୁ ଦର୍ଶାଯାଇଛି। ସରକାରୀ ନିର୍ଦ୍ଦେଶ ନ ଥାଇ ସ୍ବଚ୍ଛତା ପାଇଁ ଏହି ନବନିଯୁକ୍ତ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟ ଯାଞ୍ଚ କରାଇବା ଦିଗରେ ଡିପିସି ପଦକ୍ଷେପ ନେଇ ପାରିଲେ, ତେବେ ସ୍ଥାୟୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷାଧିକାରୀ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟରେ ନକଲି ବିଏଡ୍ ସାର୍ଟିଫିକେଟ ଦେଇ ଶିକ୍ଷକ ନିଯୁକ୍ତି ପାଇଥିବା ସଂପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ‌ହୋଇଥିଲା। ୨୦୧୯ ମସିହାରୁ ଏହି ଖୋଳତାଡ ଆରମ୍ଭ ହେବା ପରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନକଲି ବିଏଡ୍ ସାର୍ଟିଫିକେଟ ଦେଇ ୧୨ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ଜଣାପଡ଼ିଥିଲା। ସଂପୃକ୍ତ ବ୍ଲକର ବିଇଓ ପ୍ରଥମେ ଏହି ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପରେ ସେମାନଙ୍କ ଦରମା ବନ୍ଦ କରାଯାଇଥିଲା। ଇତିମଧ୍ୟରେ ସମସ୍ତଙ୍କ ନାମରେ ନିକଟସ୍ଥ ଥାନାରେ ବିଇଓଙ୍କ ପକ୍ଷରୁ ଅଭିଯୋଗ କରିବା ପରେ ଏକାଧିକ ଶିକ୍ଷକ ଗିରଫ ‌ହୋଇଥିବା ବେଳେ ଆଉ କିଛି ଶିକ୍ଷକ ଆଗୁଆ ଜାମିନ ଆଣିଛନ୍ତି। ଇତିମଧ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ବିସ୍ତୃତ ତଦନ୍ତ କରାଯିବା‌ ସହିତ ବିଶ୍ବବିଦ୍ୟାଳୟ ଚିଠି ଆଧାରରେ ୧୨ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି।

ସମ୍ବନ୍ଧିତ ଖବର