ଯୋଡ଼ା : ଫେରାର ପ୍ରେମୀଯୁଗଳଙ୍କୁ ଧରିବାକୁ ଆସି ଛତିଶଗଡ଼ ପୁଲିସ ବୁଧବାର ଦିନ ଯୋଡ଼ା ଥାନାରେ ହଟହଟା ହୋଇଥିବା ଦେଖିବାକୁ ମିଳିଛି। ଛତିଶଗଡ଼ ପୁଲିସର ସୂଚନା ଅନୁଯାୟୀ, ଯୋଡ଼ା ଥାନା ଅଞ୍ଚଳର ଜଣେ ଯୁବକ ଛତିଶଗଡ଼ର ଜଣେ ନାବାଳିକାକୁ ସୋସିଆଲ ମିଡିଆରେ ପ୍ରେମଜାଲରେ ଫସେଇଥିଲା। ପରେ ଦୁଇଜଣ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯୁବକ ଜଣକ ୧୬ ବର୍ଷୀୟା ନାବାଳିକା ପ୍ରେମିକାକୁ ଛତିଶଗଡ଼ରୁ ଆଣି ଯୋଡ଼ାରେ ରଖିଥିଲା। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଛତିଶଗଡ଼ ସୀତାପୁର ଥାନାରେ ମାର୍ଚ୍ଚ ୨୮ ତାରିଖରେ ଏତଲା ଦିଆଯାଇଥିଲା। ଛତିଶଗଡ଼ ପୁଲିସ ଅନୁସନ୍ଧାନ କରିବା ପରେ ଯୋଡ଼ାରେ ପ୍ରେମୀଯୁଗଳ ଥିବା ଜାଣିବାକୁ ପାଇଥିଲା।
ବୁଧବାର ଛତିଶଗଡ଼ ପୁଲିସ ଯୋଡ଼ା ପୁଲିସ ସହାୟତାରେ ପ୍ରେମୀଯୁଗଳଙ୍କୁ ଧରି ଥାନାକୁ ଆଣିଥିଲା। ଯୋଡ଼ା ଥାନାରେ ସ୍ଥାନୀୟ ବସ୍ତିବାସିନ୍ଦା ଏକାଠି ହୋଇ ଯୁବକଙ୍କୁ ଛାଡ଼ିବା ଜିଦ୍ ଧରିଥିଲେ। ଛତିଶଗଡ଼ ପୁଲିସ କିଛି ନ ଶୁଣି ଥାନାର ପଛଦ୍ବାର ଦେଇ ପ୍ରେମୀଯୁଗଳଙ୍କୁ ନେବା ପାଇଁ ଉଦ୍ୟମ କଲାବେଳେ ପୁଲିସ ଗାଡ଼ିକୁ ଅଟକାଇଥିଲେ ଲୋକେ। ଯୁବକଙ୍କ ବାପାମା’ ନଥିବା ବେଳେ ତାଙ୍କର ୩ଟି ଛୋଟ ଭଉଣୀ ଅଛନ୍ତି। ସେମାନଙ୍କ ଦେଖାଶୁଣା ପାଇଁ ଯୁବକଙ୍କୁ ଛାଡ଼ି ଦେବାକୁ ଲୋକେ ଦାବି କରିଥିଲେ। ଏହି ଘଟଣା ପରେ ଛତିଶଗଡ଼ ପୁଲିସ ଯୋଡ଼ା ପୁଲିସ ସହାୟତାରେ ଉଭୟ ପରିବାରବର୍ଗଙ୍କ ସହ ଆଲୋଚନା ଜାରି ରଖିଛି। ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/1a73e52e-eee6-4409-b92e-e6e76e42ba02.jpg)