ସମ୍ବଲପୁର: ‘ଆଉ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବି ନାହିଁ’ ବୋଲି ପୁଣିଥରେ ଘୋଷଣା କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ନୂଆପିଢ଼ିର ନେତାଙ୍କୁ ବାଟ ଛାଡ଼ିବା ଉଦ୍ଦେଶ୍ୟରେ ଶ୍ରୀ ଓରାମ ଏହା କହିବା ସହିତ ରାଜ୍ୟପାଳ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଥିବା ଜୁଏଲ୍ ଏହା ତାଙ୍କର ଶେଷ ନିର୍ବାଚନ, ଲୋକେ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ। ନିର୍ବାଚନ ଜିତିବାର ବର୍ଷେ ପରେ ସେ ପୁଣି ଏହି କଥାକୁ ଦୋହରାଇଛନ୍ତି। ତେବେ ସେ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନ ନେଲେ ମଧ୍ୟ ରାଜ୍ୟପାଳ କିମ୍ବା ରାଜ୍ୟସଭା ସୁଯୋଗ ମିଳିଲେ ଯିବେ ବୋଲି କହିଛନ୍ତି। ଶନିବାର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ରୋଜଗାର ମେଳାରେ ଯୋଗଦାନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲେ, ‘ଏମ୍ପି କିମ୍ବା ଏମ୍ଏଲ୍ଏ ନିର୍ବାଚନ ଲଢ଼ିବା ପାଇଁ ଆଉ ମୋର ଆଗ୍ରହ ନାହିଁ। ଦଳ ମୋତେ ନିର୍ବାଚନ ନ ଲଢ଼ାଇ ମୋ ଜାଗାରେ ନୂଆ ନେତାମାନଙ୍କୁ ନିର୍ବାଚନ ଲଢ଼ାଇବା କଥା। ତେବେ ଦଳ ଛାଡ଼ିବି ନାହିଁ କି ଦଳଠାରୁ ଦୂରେଇ ଯିବି ନାହିଁ। ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ିଲେ ମଧ୍ୟ ବିଜେପି ସହିତ ସବୁଦିନ ରହିବି। ରାଜ୍ୟସଭାକୁ ଯାଇପାରେ, ରାଜ୍ୟପାଳ ବି ହୋଇପାରେ।’
ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବିନି, ବିଜେପି ସହିତ ସବୁଦିନ ରହିବି
ବଣାଇ ଆସନରୁ ୨ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ଓରାମ ସୁନ୍ଦରଗଡ଼ ଲୋକସଭା ଆସନରୁ ୬ ଥର ବିଜୟୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ପ୍ରଥମଥର ପାଇଁ ସୃଷ୍ଟି କରାଯାଇଥିବା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ପଦ ସେ ଅଳଙ୍କୃତ କରିଥିଲେ। ଏଥିସହ ସେ ପଶ୍ଚିମ ଓଡ଼ିଶାରୁ ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ଓ ତୃତୀୟ ପାଳିରେ ସମାନ ବିଭାଗର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିଜେପି ରାଜ୍ୟ ସଭାପତି ଭାବେ ସେ ୩ ଥର ଦାୟିତ୍ବ ନିର୍ବାହ କରିଛନ୍ତି। ବିଜେପି ଜାତୀୟ ସଂଗଠନରେ ଉପସଭାପତି, ସଂପାଦକ ଭଳି ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହିଛନ୍ତି। ଏହି ପ୍ରଭାବଶାଳୀ ରାଜନେତା ରାଜ୍ୟପାଳ ହେବାକୁ ଆଗ୍ରହ ପ୍ରକାଶ ପରେ ସୁନ୍ଦରଗଡ଼ରେ ବିଜେପିର ପରବର୍ତ୍ତୀ ଚେହେରା କିଏ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାରେ ଭିଡିଓ କନ୍ଫରେନ୍ସିଂରେ ଉଦ୍ବୋଧନ ଦେବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଷୋଡ଼ଶ ରୋଜଗାର ମେଳାରେ ରେଳବାଇର ୩୫ ଓ ଡାକ ବିଭାଗର ୧୦ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା। ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ସୁବାସ ସି. ଚୌଧୁରୀଙ୍କ ସହିତ ଡାକ, ସିଏପିଏଫ୍, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଥିଲେ।