ଜୁଏଲ୍‌ଙ୍କୁ ଜିତାଇଲା ୫ ବିଧାନସଭା: ଜନ୍ମମାଟିରେ ପଛେଇଲେ ତିନି ପ୍ରାର୍ଥୀ

ଦିଲୀପଙ୍କଠାରୁ ମୁହଁ ମୋଡ଼ିଲେ ଖ୍ରୀଷ୍ଟିଆନ୍ ଭୋଟର୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ଉପରେ ଏଥର ସମସ୍ତଙ୍କ ନଜର ଅଟକି ରହିଥିଲା। ବିଜେଡିରୁ ସୁନ୍ଦରଗଡ଼ର ଗୌରବ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି ଓ ବିଜେପିରୁ ଭେଟେରାନ୍‌ ଆଦିବାସୀ ନେତା ଜୁଏଲ ଓରାମଙ୍କ ସହ କଂଗ୍ରେସରୁ ଭୂୟାଁ ସମ୍ପ୍ରଦାୟର ଜନାର୍ଦ୍ଦନ ଦେହୁରୀ ମଇଦାନକୁ ଓହ୍ଲାଇଥିଲେ। ଏହି ମୁକାବିଲାରେ ଅଭିଜ୍ଞ ଜୁଏଲ୍‌ ଷଷ୍ଠଥର ବିଜୟୀ ହୋଇଥିବା ବେଳେ ୫ଟି ବିଧାନସଭା ଆସନ ତାଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଉଛି।

ଜୁଏଲ ୪,୯୪,୨୮୨ ଭୋଟ୍‌ ପାଇ ଦିଲୀପଙ୍କଠାରୁ ୧,୩୮,୮୦୮ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଦିଲୀପ ୩,୫୫,୪୭୪ ଓ ଜନାର୍ଦ୍ଦନ ୨,୬୧,୯୮୬ ଭୋଟ୍‌ ପାଇଛନ୍ତି। ତେବେ, ୫ଟି ବିଧାନସଭାରେ ଜୁଏଲ ଆଗରେ ରହିଛନ୍ତି। ରାଉରକେଲା ବିଧାନସଭା କ୍ଷେତ୍ରରେ ବିଧାନସଭା ପ୍ରାର୍ଥୀ ଦିଲୀପ ରାୟ ୬୧,୧୦୮ ଭୋଟ ପାଇ ପରାଜିତ ହୋଇଛନ୍ତି। ତେବେ, ଏହି ଆସନରୁ ଜୁଏଲ ପାଇଛନ୍ତି ସର୍ବାଧିକ ୭୦,୪୨୦ ଭୋଟ। ଅପରପକ୍ଷରେ ବିଜେଡିର ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କୁ ୬୪,୬୬୦ ଭୋଟ୍‌ ଓ ସାଂସଦ ପ୍ରାର୍ଥୀ ଦିଲୀପ ତିର୍କିଙ୍କୁ ୫୦,୪୫୪ ଭୋଟ ମିଳିଛି। ରଘୁନାଥପାଲି ବିଧାନସଭା କ୍ଷେତ୍ରରେ ଜୁଏଲ ୫୫,୩୬୦ ପାଇଥିଲା ବେଳେ ଦିଲୀପ ପାଇଛନ୍ତି ୩୮,୫୦୪ ଭୋଟ। ବୀରମିତ୍ରପୁର ବିଧାନସଭାରେ ଜୁଏଲ ନିଜ ଦଳର ବିଧାୟକ ପ୍ରାର୍ଥୀ ଶଙ୍କରଙ୍କଠାରୁ ୩୦୭୧ ଭୋଟ ଅଧିକ ପାଇଛନ୍ତି। ସେ ୮୧,୨୦୩ ଭୋଟ ପାଇଥିବା ବେଳେ ଶଙ୍କର ୭୭,୨୩୨ ପାଇଛନ୍ତି। ଏଠାରେ ଦିଲୀପଙ୍କୁ ମିଳିଛି ୪୪,୭୨୪ ଭୋଟ। ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଜୁଏଲ ସର୍ବାଧିକ ୯୦,୯୨୮ ଭୋଟ ପାଇଛନ୍ତି। ସେହି ତୁଳନାରେ ଦିଲୀପ ପାଇଛନ୍ତି ୭୦,୮୫୯। ସେହି ତୁଳନାରେ ବିଜେଡିର ବିଧାନସଭା ପ୍ରାର୍ଥୀ ଯୋଗେଶଙ୍କୁ ୮୬,୩୯୮ ଭୋଟ୍‌ ଓ ବିଜେପିର କୁସୁମ ଟେଟେଙ୍କୁ ୭୭,୨୭୬ ଭୋଟ୍‌ ମିଳିଛି। ତଳସରା ବିଧାନସଭା ‌କ୍ଷେତ୍ର ବିଜେଡି ପ୍ରାର୍ଥୀ ଦିଲୀପ ତିର୍କିଙ୍କ ଜନ୍ମମାଟି ହୋଇଥିଲେ ବି ସେଠାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଆସନରୁ ଜୁଏଲ ୭୬,୪୭୯ ଭୋଟ ପାଇ ଆଗରେ ରହିଛନ୍ତି। ତାଙ୍କ ପଛକୁ କଂଗ୍ରେସର ଜନାର୍ଦ୍ଦନ ୪୧,୫୫୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୩୭,୨୪୩ ଭୋଟ ପାଇ ତୃତୀୟ ସ୍ଥାନକୁ ଚାଲି ଯାଇଛନ୍ତି ଦିଲୀପ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନିଜ ଜନ୍ମମାଟି ବଣାଇ ବିଧାନସଭା କ୍ଷେତ୍ରରେ ମତଦାତା ଜୁଏଲଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ବିଧାନସଭା ଆସନରେ ଜୁଏଲ ୫୫,୫୪୬ ଭୋଟ୍‌ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ଦିଲୀପ ତିର୍କି ୬୨,୯୭୪ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷରେ, କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ବଣାଇ ବିଧାନସଭା ଅନ୍ତର୍ଗତ କୋଇଡା ଅଞ୍ଚଳର ହୋଇଥିଲେ ବି ୫୫,୧୨୮ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଜୁଏଲଙ୍କୁ ପଛରେ ପକାଇ ଦେଇଥିବା ଆଉ ଏକ ବିଧାନସଭା କ୍ଷେତ୍ର ହେଲା ରାଜଗାଙ୍ଗପୁର। ଏଠାରେ କଂଗ୍ରେସର ଜନାର୍ଦ୍ଦନ ଦେହୁରୀ ସର୍ବାଧିକ ୬୪,୬୬୨ ଭୋଟ ପାଇଥିବାବେଳେ ଜୁଏଲ ୬୦,୭୧୯ ଓ ଦିଲୀପ ତିର୍କି ୪୮,୯୫୦ ଭୋଟ ପାଇଛନ୍ତି।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୨୦୨୪ରେ ସୁନ୍ଦରଗଡ଼ ଜିଲ୍ଲାର ଖ୍ରିଷ୍ଟିଆନ୍ ଭୋଟର୍ ନିଜ ସଂପ୍ରଦାୟର ପ୍ରାର୍ଥୀ ହକି ତାରକା ଦିଲୀପ ତିର୍କିଙ୍କଠାରୁ ମୁହଁ ମୋଡ଼ି ଦେଇଥିବା ନିର୍ବାଚନୀ ବିଶେଷଜ୍ଞମାନେ ମତ ରଖିଛନ୍ତି। ୨୦୧୪ରେ ଦିଲୀପ ଅଳ୍ପକେ ହାରିଥିଲେ ବି ଖ୍ରୀଷ୍ଟିଆନ୍ ଭୋଟ୍‌ର ସିଂହଭାଗ ନିଜ ଖାତାକୁ ଆଣି ପାରିବାରେ ସକ୍ଷମ ହୋଇଥିଲେ। ତେବେ, ଚଳିତ ନିର୍ବାଚନରେ ଖ୍ରୀଷ୍ଟିଆନ୍ ବହୁଳ ତଳସରା, ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ଦିଲୀପ ଅନ୍ୟ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଯଥେଷ୍ଟ କମ୍ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର