ସୁପ୍ରିମକୋର୍ଟରେ ଯୋଗେଶଙ୍କୁ ଆଶ୍ୱସ୍ତି

ହାଇକୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ

ନୂଆଦିଲ୍ଲୀ: ସୁନ୍ଦରଗଡ଼ ବିଧାୟକ ପଦ ହରାଇଥିବା ଯୋଗେଶ ସିଂହଙ୍କୁ ସୁପ୍ରିମକୋର୍ଟରେ ସାମୟିକ ଆଶ୍ୱସ୍ତି ମିଳିଛି। ତାଙ୍କ ସଭ୍ୟ ପଦ ରଦ୍ଦ ନେଇ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଅନ୍ୟାଦେଶ ହେବା ପର୍ଯ୍ୟନ୍ତ ଯୋଗେଶଙ୍କ ବିଧାୟକ ପଦ ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟର ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଅନ୍ତରୀଣ ଆଦେଶରେ କହିଛନ୍ତି। ଶ୍ରୀ ସିଂହ ବିଧାନସଭାର ସଭ୍ୟ ଭାବେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ। କିନ୍ତୁ ଭୋଟ୍‌ ଦେବାର ଅଧିକାର ତାଙ୍କର ରହିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ ବିଧାୟକ ଯୋଗେଶ ସିଂହଙ୍କ ବିରୋଧରେ ଦୁଇ ଅଭିଯୋଗକାରୀ ତଥା ହାରିଯାଇଥିବା ବିଜେପି ପ୍ରାର୍ଥୀ ସହଦେବ ଖାକା ଓ ମତଦାତା ଅଜୟ ପଟେଲଙ୍କୁ ନୋଟିସ୍‌ ଜାରି କରି ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ୍‌ ସିବଲ ସୁପ୍ରିମକୋର୍ଟରେ ଯୋଗେଶଙ୍କ ସଭ୍ୟପଦ ରଦ୍ଦ ମାମଲାରେ ହାଇକୋର୍ଟଙ୍କ ରାୟ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଚାହିଁଥିଲେ ଏବଂ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ଜରୁରୀ ବୋଲି ଟିପ୍ପଣୀ କରିଥିଲେ। ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିବା ଅନ୍ୟତମ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ସୂଚନାନୁସାରେ ବିଧାୟକ ଶ୍ରୀ ସିଂହ ବିଧାୟକ ରୂପେ କାର୍ଯ୍ୟ କରିପାରିବେ ଏବଂ ଆଜିର ଅନ୍ତରୀଣ ଆଦେଶ ବଳରେ ତାଙ୍କ ସଭ୍ୟପଦ କାଏମ ରହିଛି।

ସୂଚନାଯୋଗ୍ୟ ଗତ ମାସ ୩୦ ତାରିଖରେ ଓଡ଼ିଶା ହାଇକୋର୍ଟ ନିର୍ବାଚନ ଅନିୟମିତତା ମାମଲାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ କରିବା ସହ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ସୁନ୍ଦରଗଡ଼ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ପରାଜିତ ବିଜେପି ପ୍ରାର୍ଥୀ ସହଦେବ ଖାକା ଓ ଭୋଟର ଅଜୟ ପଟେଲଙ୍କ ପକ୍ଷରୁ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଥିଲା। ଯୋଗେଶ ସିଂହ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ଆଣି ତାଙ୍କ ନିର୍ବାଚନ ରଦ୍ଦ କରିବାପାଇଁ ପିଟିସନ୍‌ରେ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର