ବିଧାୟକ ପଦ ହରାଇଲେ ଯୋଗେଶ ସିଂହ

ଜାଲ୍‌ ଜାତି ପ୍ରମାଣପତ୍ର ଦେଇ ଫସିଲେ

କଟକ: ଜାଲ ଜାତି ପ୍ରମାଣପତ୍ର ମାମଲାରେ ଧରାପଡ଼ିଛନ୍ତି ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହ। ତାଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏହାସହିତ ଯୋଗେଶ ପ୍ରତିନିଧିତ୍ୱ କରୁଥିବା ସୁନ୍ଦରଗଡ଼ ଆସନ ଖାଲି ପଡ଼ିଲା ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକଟରୁ ଲଢି ଯୋଗେଶ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେପି ପ୍ରାର୍ଥୀ ସହଦେବ ଖାକା ଓ ଭୋଟର୍‌ ଅଜୟ ପଟେଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ଖାକାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଯୋଗେଶ ଖଣ୍ଡାୟତ ଭୂୟାଁ ଜାତିର ହୋଇଥିବା ବେଳେ ସେ ନିଜକୁ ଭୂୟାଁ ଅନୁସୂଚିତ ଜନଜାତିର ବୋଲି ଦର୍ଶାଇ ଲେଫ୍ରିପଡା ତହସିଲରୁ ଜାତିଗତ ପ୍ରମାଣପତ୍ର ହାସଲ କରିଥିଲେ। ଯେଉଁ ଜମି ପଟ୍ଟା ଦେଖାଇ ଯୋଗେଶ ତହସିଲ କାର୍ଯ୍ୟାଳୟରୁ ଜାତିଗତ ପ୍ରମାଣପତ୍ର ହାସଲ କରିଥିଲେ ସେହି ଜମି ୧୯୮୮ ମସିହାରୁ ତାଙ୍କ ପରିବାର ବିକ୍ରି କରି ସାରିଥିଲେ। ଏଥି ସହିତ ସେ ବିଧାୟକ ପଦ ପାଇଁ ନାମାଙ୍କନ ଦାଖଲ ସମୟରେ ପ୍ରଦାନ କରିଥିବା ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିଲେ। ଯୋଗେଶ ନିଜ ପତ୍ନୀ ଓ ପିଲାଙ୍କ ସହିତ ସଂପତ୍ତି ସଂପର୍କରେ ସତ୍ୟପାଠରେ ଠିକ ତଥ୍ୟ ପ୍ରଦାନ କରି ନଥିବା ଦର୍ଶାଯାଇଥିଲା। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଯୋଗେଶଙ୍କ ପରିବାର ନାମରେ ଥିବା ଜମିର ୧୯୩୬ ମସିହାର ଆର୍‌ଓଆର୍‌ ସହିତ ଅନ୍ୟାନ୍ୟ ନଥିପତ୍ର ଦାଖଲ କରାଯାଇଥିଲା। ଯୋଗେଶ ଖଣ୍ଡାୟତ ଭୂୟାଁ ବୋଲି ଉଲ୍ଲେଖ ଥିବା ବିଭିନ୍ନ ଜମିଜମା ନଥିପତ୍ର ଓ ଅନ୍ୟାନ୍ୟ ତଥ୍ୟ ଆବେଦନକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ଏହି ମାମଲାରେ ଉଭୟ ଆବେଦନକାରୀଙ୍କ ସମେତ ରିଟର୍ଣ୍ଣିଂ ଅଫିସର, ପୁଲିସ ଅଫିସର, ବିଧାୟକଙ୍କ ସମେତ ୪୦ରୁ ଅଧିକ ବ୍ୟକ୍ତି ହାଜର ହୋଇ ହାଇକୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ଉଭୟ ପକ୍ଷଙ୍କ ତରଫରୁ ମୋଟ ୭୦ରୁ ଅଧିକ ଦସ୍ତାବିଜ ଅଦାଲତରେ ଦାଖଲ କରାଯାଇଥିଲା। ହାଇକୋର୍ଟ ବିଚାରପତି ଜଷ୍ଟିସ ବି.କେ.ନାୟକ ଯୋଗେଶଙ୍କ ବିରୋଧରେ ରୁଜୁ ଦୁଇଟି ନିର୍ବାଚନୀ ମାମଲାର ଏକତ୍ର ଶୁଣାଣି କରି ୨୦୧୭ ଡିସେମ୍ବର ୨୦ରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏ ସଂକ୍ରାନ୍ତରେ ରାୟ ପ୍ରକାଶ ପାଇଛି। ପ୍ରକାଶିତ ରାୟରେ ଯୋଗେଶ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଅନୁସୂଚିତ ଜନଜାତି(ଏସ୍‌ଟି)ଙ୍କ ପାଇଁ ସଂରକ୍ଷିତ ସୁନ୍ଦରଗଡ ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ବୋଲି ଆବେଦନକାରୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖଣ୍ଡପୀଠ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ କିନ୍ତୁ ଶ୍ରୀ ପଟେଲଙ୍କ ପକ୍ଷରୁ ୨୦୧୪ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ପାଇଁ କରାଯାଇଥିବା ପ୍ରାର୍ଥନାକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଛନ୍ତି। ଯୋଗେଶଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏବଂ ପରାଜିତ ବିଜେପି ପ୍ରାର୍ଥୀ ସହଦେବ ଖାକାଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରଓ୍ଵାଲ ମାମଲା ପରିଚାଳନା କରୁଥିଲେ।ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଯୋଗେଶ ସିଂହ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୪ ସୁନ୍ଦରଗଡ ନିର୍ବାଚନରେ ଯୋଗେଶ ୬୬ ହଜାର ୧୩୮ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଜେଡିର କୁସୁମ ଟେଟେ ୫୩ ହଜାର ୫୫୪ ଖଣ୍ଡ ଓ ବିଜେପିର ସହଦେବ ଖାକା ୨୭ ହଜାର ୯୩୫ ଖଣ୍ଡ ଭୋଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର