ଟିକା ଉତ୍ସବରେ ସାମିଲ ହୁଅ: କେନ୍ଦ୍ରମନ୍ତ୍ରୀ ଅଠାୱଲେ

ଭୁବନେଶ୍ବର : ସାରା ଦେଶରେ ଏବେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ କୋଭିଡ ଟିକା ଉତ୍ସବ ପାଳନ ହେଉଛି। କେନ୍ଦ୍ର ସରକାର ‘ସବ୍‌କା ସାଥ୍‌ ସବକା ବିକାଶ’ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ସମାଜର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଟିକା ଉତ୍ସବକୁ ସଫଳ କରିବାରେ ସମସ୍ତେ ସହଯୋଗ କରନ୍ତୁ। ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଏହି କଥା କହିଛନ୍ତି।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ସେ କହିଥିଲେ, ୨୦୧୪ରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୪୨ କୋଟି ୨୦ ଲକ୍ଷ ୬ ହଜାର ଆକାଉଣ୍ଟ ଖୋଲାଯାଇଛି। ଏହି ସମୟ ଭିତରେ ଓଡ଼ିଶାରେ ୧ କୋଟି ୭୩ ଲକ୍ଷ ୧୭ ହଜାର ଆକାଉଣ୍ଟ ଖୋଲାଯାଇଛି। ଏସବୁ ଆକାଉଣ୍ଟରେ ୬୬୪୧.୫୧ କୋଟି ଟଙ୍କା ଜମା ହୋଇଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଓଡ଼ିଶାରେ ମୋଟ ୧ କୋଟି ୯୬ ଲକ୍ଷ ୫୩ ହଜାର ବ୍ୟକ୍ତି ଋଣ ସହାୟତା ପାଇଛନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ ଯୋଜନାକୁ ରାଜ୍ୟରେ ଲାଗୁ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଏନ୍‌ଡିଏ ସରକାର ଦେଶରେ ଦଳିତ, ପଛୁଆ ବର୍ଗ, ସଂଖ୍ୟାଲଘୁ ଓ ସମସ୍ତ ବର୍ଗର କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ୍‌ ରେଜିଷ୍ଟ୍ରାର୍‌ ରାଜିନ୍ଦର ଚୌଧୁରୀ ଓ ଉପନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର