ଉଲୁଣ୍ଡା : ଉଲୁଣ୍ଡା ବ୍ଲକ୍‌ ଅଫିସ୍‌ ସଭା ଗୃହରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ  ଓ  ଏସ୍‌ପି ଅମରେଶ ପଣ୍ଡା ଯୋଗ ଦେଇ ମୋଟ ୨୮ଟି ଅଭିଯୋଗ ଗ୍ରହଣ କରିଥିଲେ। ସେଥିରେ ୨୧ଟି ବ୍ୟକ୍ତିଗତ ଓ ୭ଟି ସାମୂହିକ ସମସ୍ୟା ଆଧାରିତ ଅଭିଯୋଗ ଥିଲା। ତେବେ ୮ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ୨୦ଟି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବାକୁ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

Advertisment

ଉଲୁଣ୍ଡା ବିଡିଓ ହେମସାଗର ଭୋଇଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଆର୍‌ଡବ୍ଲୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଇଂ. ବିଭୁ ପ୍ରସାଦ ପଣ୍ଡା, ତହସିଲଦାର ବିପିନ ପ୍ରଧାନଙ୍କ ସମେତ ବିଭିନ୍ନ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଶିବିରରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ କୋଟସମଲେଇ ପଞ୍ଚାୟତ ମହୁଖଣ୍ଡି ଗ୍ରାମର ନିରାଶା ମୁଣ୍ଡା, ମୁଣ୍ଡୋଘାଟ ପଞ୍ଚାୟତ ବିଜେପୁରର କସ୍ତୁରୀ ମହାନ୍ତି, ଉଲୁଣ୍ଡା ପଞ୍ଚାୟତ ପୁଟୁରୁପାଲିର କସ୍ତୁରୀ ବାରିକ ଓ ବଡାଲିର ସସ୍ମିତା ଜାଲ, ମହୁଲପାଲିର ସୁନିତା ପଧାନ ପ୍ରମୁଖ ୫ ଜଣଙ୍କୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ୫ ଶହ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିଥିଲେ।

ସୂଚନାଥାଉ କି ମହୁଖଣ୍ଡି ଗ୍ରାମର ନିରାଶା ମୁଣ୍ଡାଙ୍କ ଭତ୍ତା ହୋଇ ନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆଜି ତୁରନ୍ତ ତାଙ୍କୁ ପେନସନ୍‌ ଯୋଜନାରେ ସାମିଲ କରିବାକୁ ଜିଲ୍ଲାପାଳ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଶିବିରରେ ତାଙ୍କ କାଗଜାତ ପ୍ରସ୍ତୁତ କରାଯାଇ ତୁରନ୍ତ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କରାଯାଇଛି। ସେହିପରି ଗଇଲଗୁଡ଼ିର ୯ ନମ୍ବର କେନାଲକୁ ପାଣି ଯାଇପାରୁ ନଥିବା ଚାଷୀ ଅଜିତ ଗାଈଗରିଆ ଓ ରଞ୍ଜନ ଗାଈଗାରିଆ ଅଭିଯୋଗ କଲା ପରେ ତୁରନ୍ତ ସମାଧାନ ପାଇଁ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। କୈରାଝୁଲି ସ୍କୁଲ ପରିସରରୁ ଜବରଦଖଲ ହଟାଇବା ପାଇଁ ଉପଜିଲ୍ଲାପାଳ ଶ୍ରୀ ଭୋଇଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଯାଲୋଏରେ ଥିବା ହୋମିଓପlଥିକ ଡାକ୍ତରଖାନାରେ ଡାକ୍ତର ନିୟମିତ ଆସିବା ସହ ଡାକ୍ତରଖାନା କୋଠା ନିର୍ମାଣ କରିବାକୁ ଅଭିଯୋଗ ହୋଇଥିଲା।