ବୀରମହାରାଜପୁର: ବୀରମହାରାଜପୁର ବ୍ଲକ୍‌ ଅଫିସ୍‌ ସଭାଗୃହରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥି​ରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ଏସ୍‌ପି ଅମରେଶ ପଣ୍ଡା ଯୋଗ ଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ବାବଦ ୪୪ଟି ପଞ୍ଜୀକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ସେଥି ମଧ୍ୟରେ ୩୮ଟି ବ୍ୟକ୍ତିଗତ ଓ ୬ଟି ସାମୂହିକ ଅଭିଯୋଗ ରହିଥିଲା। ଶିବିରରେ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ୪୩ଟି ଅଭିଯୋଗର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରାଯାଇଥିଲା।

Advertisment

ଚମ୍ପାମାଲ ଗ୍ରାମର ଦିବ୍ୟାଜ୍ୟୋତି ଥନାପତି ଓ ରଥପୁର ନିବାସୀ ଦେବକୀ ବଘାରଙ୍କୁ ବିଧବା ଭତ୍ତା ଯୋଜନାରେ ସାମିଲ କରାଯାଇ ମାସିକ ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଓ ଏସ୍‌ପି। ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ସିଡିଏମ୍‌ଓ ଡା. ବିଶ୍ୱରଞ୍ଜନ ପତି, ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀ ଇଂ. ବିଭୁ ପ୍ରସାଦ ପଣ୍ଡା, ପିଡବ୍ଲୁଡି ଅଧୀକ୍ଷଣ ଯନ୍ତ୍ରୀ ଇଂ. ଦାମୋଦର କୈବର୍ତ୍ତ, ଡିଇଓ ଲକ୍ଷ୍ମଣ ଭୋଇ, ସିଏସ୍‌ଓ ସୁରେଶ ପାଣିଗ୍ରାହୀ, ଡିଏସ୍‌ଏସ୍‌ଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ତହସିଲଦାର ବିବୁଧ ଗଡ଼ନାୟକ, ବ୍ଲକ୍‌ସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ।