ଚନ୍ଦ୍ରଶେଖରପୁର: ପଦ୍ମକେଶରୀପୁରରେ ଆଉ କେହି ୨୦% ସୁଧ ହାରରେ ଋଣ ଦେଇପାରିବେ ନାହିଁ। ଯଦି କିଏ ଦେଉଥିବା ନଜରକୁ ଆସିବ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଋଣ ଦେବାକୁ ଆଉ କେହି ବାଧ୍ୟବାଧ୍ୟକତାରେ ରାସନ୍‌ କାର୍ଡ ବନ୍ଧା ରଖିପାରିବେନି। ଯେଉଁମାନେ ୨୦% ସୁଧରେ ଋଣ ନେଇଛନ୍ତି, ସେମାନେ ୨୦%ରେ ଫେରସ୍ତ କରିବେ ନାହିଁ। ଋଣ ନେଇଥିବା ବ୍ୟକ୍ତିବିଶେଷ କେଉଁ ସୁଧ ହାରରେ ଅର୍ଥ ଫେରାଇବେ, ସେ ନିଷ୍ପତ୍ତି ପାଇଁ ଏକ ୨୦ ଜଣିଆ କମିଟି ଗଠନ କରାଯିବ। ପଟିଆ କିଲ୍ଲା ଆଞ୍ଚଳିକ ଶାନ୍ତି କମିଟିର ୧୦ଜଣ ଏବଂ ଗଣ୍ଡଗୋଳରେ ସାମିଲ ହୋଇଥିବା ଦୁଇପକ୍ଷର ୫ଜଣ ଲେଖାଏ ଲୋକଙ୍କୁ ନେଇ ଏକ ୨୦ ଜଣିଆ କମିଟି ଗଠନ କରାଯିବ। ଉକ୍ତ କମିଟି ଯେଉଁ ନିଷ୍ପତ୍ତି ନେବ ସେହି ଅନୁଯାୟୀ ଋଣ ଆଦାୟ ହେବ। ଯେପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆ ନ ଯାଇଛି, ସେପର୍ଯ୍ୟନ୍ତ କେହି ପଇସା ଫେରାଇବାକୁ ବାଧ୍ୟ କରିପାରିବେ ନାହିଁ। ରାଜଧାନୀ ଉପକଣ୍ଠ ଅଶାନ୍ତ ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ଦିଗରେ ଏଭଳି ଏକ ମିଳିତ ନିଷ୍ପତ୍ତି ନିଆଯାଇଛି।

Advertisment

ଇଞ୍ଜଣା ଦୁଲ‌ାଦେଇ ମନ୍ଦିର ନିକଟରେ ପଟିଆ କିଲ୍ଲା ଆଞ୍ଚଳିକ କମିଟି ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆହ୍ବାନ କରାଯାଇଥିଲା। ଏଠାରେ ଉଭୟ ପକ୍ଷଙ୍କ ଭିତରେ ମିଳାମିଶା ସହ କେତେକ ସର୍ତ୍ତ ରଖାଯାଇଛି। ଉଭୟ ପକ୍ଷ ଭବିଷ୍ୟତରେ ନିଜ ନିଜ ମଧ୍ୟରେ କୌଣସି ପ୍ରକାର ବିଶୃଙ୍ଖଳା ଆଚରଣ କରିବେ ନାହିଁ। ପଦ୍ମକେଶରୀପୁରର ଏକତା ରକ୍ଷା କରିବେ। ଉଭୟ ପକ୍ଷଙ୍କ ସହମତିରେ ପଦ୍ମକେଶରୀପୁରରେ ଏକ ଗ୍ରାମ ମଙ୍ଗଳ କମିଟି ଗଠନ କରାଯିବ ଏବଂ ଶାନ୍ତି କମିଟିର ସଭ୍ୟମାନଙ୍କୁ ନେଇ ଏକ କୋର କମିଟି ଗଠନ ହେବ। ସେହି କୋର କମିଟି ପଦ୍ମକେଶରୀପୁର ଗ୍ରାମ ମଙ୍ଗଳ କମିଟିକୁ ଆବଶ୍ୟକ ସ୍ଥଳେ ସହଯୋଗ କରିବେ। କେହି ଝଗଡ଼ା କରିବେ ନାହିଁ, ପରସ୍ପର ବିରୋଧୀରେ ମତ ପ୍ରକାଶ କରିବେ ନାହିଁ। କୌଣସି ବ୍ୟକ୍ତି ଯଦି ନିଷ୍ପତ୍ତି ବାହାରେ କାର୍ଯ୍ୟ କରନ୍ତି, ତାହା ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପକ୍ଷରେ ପଦ୍ମକେଶରୀପୁରରେ ଗଣ୍ଡଗୋଳ ଯୋଗୁଁ ୩ ମାସରେ ଉଭୟ ପକ୍ଷରୁ ଗିରଫ ହୋଇଥିବା ୧୫୫ ଜଣ ଇତି ମଧ୍ୟରେ ଜେଲ୍‌ରୁ ମୁକୁଳିଛନ୍ତି। ସେମାନଙ୍କ ମଧ୍ୟରେ ୫୪ ଜଣ ମହିଳା ରହିଥିଲେ। ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଗିରଫ ପରଠୁ ଅନେକ ପରିବାର ମୁରବିଶୂନ୍ୟ ହୋଇପଡ଼ିଥିଲା। ମୁରବି ଜେଲ୍‌ରେ ଥିବାରୁ ଶିଶୁ ଓ ବୟସ୍କ ଅସହାୟ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା। ମହାଜନୀ କାରବାର କାରଣରୁ ସ୍ଥିତି ଏପରି ହୋଇଥିବା
କଥା ସାମ୍‌ନାକୁ ଆସିବା ପରେ ଜନପ୍ରତିନିଧି ଓ ପ୍ରଶାସନ ସମସ୍ୟାର ସମାଧାନ ଦିଗରେ ଅଣ୍ଟା ଭିଡ଼ିଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସିଧାସଳଖ ସୁଧ କାରବାର ଆଇନର ଖୋଲା ଉଲ୍ଲଘଂନ ହେଉଥିବା ଅଭିଯୋଗ କରିଥିଲେ। ଗାଁରେ ମାସିକ ୨୦ ପ୍ରତିଶତ ସୁଧ ହାରରେ ବେଆଇନ ବେପାର ଚାଲିଛି। ଯିଏ ବିରୋଧ କରୁଛି ସେ ଆକ୍ରୋଶର ଶିକାର ହେଉଥିବା ସେ ଅଭିଯୋଗ କରିଥିଲେ।

ଆଜିର ‌ବୈଠକରେ ଶାନ୍ତି କମିଟିର ଅନ୍ତର୍ଯାମୀ କୁଅଁର, ନୃସିଂହ ଚରଣ ରାଉତ, ସୁବାସ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ନାଥ, ପବିତ୍ର ମୋହନ ସ୍ବାଇଁ, କାଙ୍ଗାଳି ପରିଡ଼ା, ବିଳାଶ ପାତ୍ର, ନୃସିଂହ ଖା‌ଡେଙ୍ଗା, ବସନ୍ତ କୁମାର ରଥ ସାମିଲ ହୋଇଥିଲେ। ପଟିଆ ଗ୍ରାମ କମିଟି ସଭାପତି ଚିତ୍ତରଞ୍ଜନ ପାତ୍ର, ରଞ୍ଜନ କୁମାର ଜେନା, ଆଦିତ୍ୟ ଚମ୍ପତି, ଇଞ୍ଜଣା ଗ୍ରାମ ପଞ୍ଚାୟତ ସରପଞ୍ଚ ହେମନ୍ତ କୁମାର ପରିଡ଼ା, ଇଞ୍ଜଣା ଗ୍ରାମ ମଙ୍ଗଳ କମିଟି ସଭାପତି ପ୍ରଦୀପ ଦାଶ, ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ଶ୍ରୀଧର ବେହେରା, କାଳନ୍ଦି ପତି, ଚଗଲା ମହାଭୋଇ, ଭୂବନ ମୋହନ ‌ଦାସ ପ୍ରମୁଖ ସାମିଲ ହୋଇଥିଲେ। ପଟିଆର ନୃସିଂହ ଚରଣ ରାଉତ ସଭାପତିତ୍ବ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।