ସୋର: ଲଘୁ ଖଣିଜ ଚୋରାଚାଲାଣ ରୋକିବାକୁ ବାଲେଶ୍ବରରେ ତହସିଲ ଓ ଖଣି ବିଭାଗ ପକ୍ଷରୁ ଜୋର୍ଦାର୍ ଚଢ଼ଉ କରାଯାଇଛି। ବେଆଇନ୍ ବାଲି ବୋଝେଇ ହୋଇଥିବା ୨୨ଟି ହାଇୱାକୁ ଜବତ କରାଯାଇଛି। ବିଳମ୍ବିତ ରାତିରେ ଚଢ଼ଉ ଆରମ୍ଭ ହୋଇଥିବା ବେଳେ ଏ ସମ୍ପର୍କରେ ଆଗୁଆ ସୂଚନା ପାଇ ଶତାଧିକ ଗାଡ଼ି ଅଧରାସ୍ତାରୁ ଛୁ ମାରିଛନ୍ତି। ଜବତ ଗାଡ଼ିଗୁଡିକ ଉପରେ ମୋଟା ଅଙ୍କର ଜରିମାନା କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଓଭର୍ବ୍ରିଜ୍ ନିକଟ ଓଡ଼ିଶା ହୋଟେଲ୍ ସମ୍ମୁଖରୁ ୨୨ଟି ବାଲି ବୋଝେଇ ହାଇୱା ଜବତ କରାଯାଇଥିଲା।
ବାଲି ଗାଡ଼ି ଜବତ ପରେ ଚାଳକମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଅତିରିକ୍ତ ତହସିଲଦାର, ଖଣି ଅଧିକାରୀ ଓ ପୁଲିସ କର୍ମଚାରୀମାନେ ରାତି ତମାମ ଗାଡ଼ିକୁ ଜଗି ରହିଥିଲେ। ତେବେ, ଖବର ପାଇ ଶତାଧିକ ଗାଡ଼ି ଅଧାରାସ୍ତାରୁ ଫେରିଯାଇଥିଲେ। ଏହି ଚଢ଼ଉରେ ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀ, ସୋର ତହସିଲଦାର ଶେଖ ସାଗିର, ଅତିରିକ୍ତ ତହସିଲଦାର ଦୈତାରୀ ମଲିକଙ୍କ ସମେତ ସୋର ଥାନାର କର୍ମଚାରୀମାନେ ସାମିଲ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ୨୧ରେ ଜଳେଶ୍ବର ତହସିଲ ପକ୍ଷରୁ ଚଢ଼ଉ କରାଯାଇ ୧୬ ନମ୍ବର ଜାତୀୟ ରାଜପଥରୁ ୭୦ରୁ ଊର୍ଦ୍ଧ୍ବ ବାଲିଗାଡ଼ିକୁ ଜବତ କରାଯାଇଥିଲା। ଏହାକୁ ଦେଖିଲେ ବାଲେଶ୍ବର ଜିଲ୍ଲା ଲଘୁ ଖଣିଜ ଚୋରା ଚାଲାଣର ପେଣ୍ଠ ପାଲଟିଛି। ଅଚାନକ ଚଢ଼ଉ ବେଳେ ଏତେ ସଂଖ୍ୟକ ଚୋରା ବାଲି ବୋଝେଇ ହାଇୱା ଜବତ ହେଉଥିବାରୁ ନିୟମିତ ଯାଞ୍ଚ ସହ ଚୋରା ବାଲିଘାଟରେ ଚଢ଼ଉ ପାଇଁ ଦାବି ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/03/vsqD44l5OTWkXBY8udGT.jpg)