ସୁନ୍ଦରଗଡ଼: ୩୫ ସଦସ୍ୟ ବିଶିଷ୍ଟ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଇତିହାସରେ କେବଳ ଦୁଇଟି ନିର୍ବାଚନକୁ ଛାଡ଼ି ଏଯାବତ ମେଣ୍ଟ ରାଜନୀତି ହିଁ ସଫଳ ହୋଇଆସିଛି। ୫ଟି ନିର୍ବାଚନ ମଧ୍ୟରୁ ୩ଟି ନିର୍ବାଚନରେ ମେଣ୍ଟକୁ କ୍ଷମତା ମିଳିଥିବା ବେଳେ ୨ଟି ନିର୍ବାଚନରେ କଂଗ୍ରେସ ଓ ବିଜେଡିକୁ ଏକାକୀ ପରିଷଦ ଗଠନର ସୁଯୋଗ ମିଳିଥିଲା। ୧୯୯୭, ୨୦୦୭ ଓ ୨୦୧୨ରେ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଯେଉଁଠି ଦୁଇଟି ଦଳ ଏକ ତୃତୀୟାଂଶ ଆସନ ଜିଣି ନେଇଥିଲେ। ଫଳରେ ମେଣ୍ଟ ରାଜନୀତିରେ ସଭାପତି ଓ ଉପସଭାପତି ମନୋନୀତ ହୋଇଥିଲେ।
ସର୍ବାଧିକ ଆସନ ହାସଲ କରିଥିବା ଦଳ ନିଜ ପାଖରେ ସଭାପତି ପଦବି ରଖିଥିବା ବେଳେ ସମର୍ଥନ ଦେଇଥିବା ସହଯୋଗୀ ଦଳକୁ ଉପସଭାପତି ପଦବି ଦିଆଯାଇଥିଲା। ତେବେ ୫ଟି ନିର୍ବାଚନ ମଧ୍ୟରୁ ୩ଟିରେ ସଭାପତି ପଦବି ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ସେଥିପାଇଁ ୧୯୯୭ରେ ହର୍ଷିତା ଲୁଗୁନ, ୨୦୦୭ରେ ସେରୋଫିନା ଟପ୍ପୋ ଓ ୨୦୧୭ରେ ଏମା ଏକ୍କା ସଭାନେତ୍ରୀ ହୋଇଥିଲେ। ୨୦୨୨ରେ କିଏ ପରିଷଦ ଗଢ଼ିବ। ବିଜେଡି, ବିଜେପି, କଂଗ୍ରେସ ନା ପୁଣି ମେଣ୍ଟ ହାତକୁ ଚାଲିଯିବ, ତାକୁ ନେଇ ଜିଲ୍ଲାରେ ପ୍ରାକ୍ ନିର୍ବାଚନୀ ସମୀକ୍ଷା ଆରମ୍ଭ ହୋଇଛି। ବିଜେଡି ପୂର୍ବସ୍ଥିତି ଠାରୁ ଅଧିକ ଭଲ କରି ପରିଷଦ ଗଠନ କରିବ ବୋଲି ଅଣ୍ଟା ଭିଡ଼ିଥିବା ବେଳେ ୨୦୧୭ ନିର୍ବାଚନରେ ସମସ୍ତଙ୍କୁ ଚକିତ କରି ୧୩ଟି ଆସନ ହାତେଇଥିବା ବିଜେପି ଏଥର ନିର୍ବାଚନରେ ବାଜିମାତ କରିବ ବୋଲି ଅଧିକ ଉତ୍ସାହରେ ଲାଗିପଡ଼ିଛି।
ସେପଟେ କଂଗ୍ରେସକୁ ଝଟକା ଦେଇ ଦୁଇ ଟାଣୁଆ ନେତା ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ଡ. ପ୍ରଫୁଲ୍ଲ ମାଝୀ ବିଜେଡିକୁ ଯିବା ପରେ ଏକ ପ୍ରକାର ଭାଙ୍ଗି ପଡ଼ିଥିବା ଦଳ ନିଜ ମନୋବଳ ଦୃଢ଼ କରି ପରିଷଦ ନିର୍ବାଚନରେ ମେଣ୍ଟ ପର୍ଯ୍ୟାୟକୁ ଯିବ ବୋଲି ଆଶା ରଖିଛି। ଏଭଳି ସ୍ଥିତିରେ ପରିଷଦ ଚିତ୍ର ସ୍ପଷ୍ଟ ହୋଇପାରିନି। ସୂଚନାଯୋଗ୍ୟ, ୧୯୯୭ ମସିହାରେ ସର୍ବପ୍ରଥମେ ଜିଲ୍ଲା ପରିଷଦ ନିର୍ବାଚନ ହୋଇଥିବା ବେଳେ ଏଥିରେ କୌଣସି ଦଳ ସଂଖ୍ୟା ଗରିଷ୍ଠ ହୋଇପାରି ନଥିଲା। ସେହି ନିର୍ବାଚନରେ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ମଧ୍ୟରେ ମେଣ୍ଟ ହୋଇଥିଲା।
ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଅଧିକ ଆସନ ପାଇଥିବାରୁ ତାଙ୍କ ଦଳ ସଭାପତି ପଦବି ହାତେଇ ନେଇଥିଲେ। ଦଳର ମହିଳା ନେତ୍ରୀ ହର୍ଷିତା ଲୁଗୁନ ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଥିବା ବେଳେ ମେଣ୍ଟ ସହଯୋଗୀ କଂଗ୍ରେସର ପ୍ରତାପ ମହାନ୍ତ ଉପସଭାପତି ହୋଇଥିଲେ। ପରବର୍ତ୍ତୀ ୨୦୦୨ ନିର୍ବାଚନରେ କିନ୍ତୁ କଂଗ୍ରେସ ଅର୍ଦ୍ଧାଧିକ ଆସନରେ ବିଜୟୀ ହୋଇ ଏକାକୀ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ଏଥିରେ କଂଗ୍ରେସର ରଞ୍ଜିତ କିସାନ ସଭାପତି ଓ ନିମନ୍ତୀ ଲୁଗୁନ ଉପସଭାନେତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।
୨୦୦୭ ଜିଲ୍ଲା ପରିଷଦ ପୁଣି ମେଣ୍ଟ ଖାତାକୁ ଯାଇଥିଲା। ଏହି ନିର୍ବାଚନରେ ପୁଣି କଂଗ୍ରେସ- ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ମେଣ୍ଟ କରିଥିଲେ। କଂଗ୍ରେସ ସର୍ବାଧିକ ୧୭ଟି ଆସନରେ ବିଜୟୀ ହୋଇଥିଲା। ବିଜେଡି ୯ଟି, ବିଜେପି ୬ଟି, ଜେଏମଏମ ୨ଟି ଓ ସିପିଏମ ଗୋଟିଏ ଆସନ ପାଇଥିଲେ। କଂଗ୍ରେସ ସର୍ବାଧିକ ଆସନ ପାଇଥିଲେ ମଧ୍ୟ ପରିଷଦ ଗଠନ ପାଇଁ ଗୋଟିଏ ଆସନ ପଛରେ ରହିଥିଲା। ତେଣୁ କଂଗ୍ରେସ ଜେଏମଏମ ସହ ମେଣ୍ଟ କରିଥିଲା, ଯାହାକୁ ଗୋଟିଏ ଆସନ ଜିଣିଥିବା ସିପିଏମ୍ ସମର୍ଥନ କରିଥିଲା।
ପରିଷଦ ସଭାପତି ରୂପେ କଂଗ୍ରେସର ସେରୋଫିନା ଟପ୍ପୋ ଓ ଉପସଭାପତି ଭାବେ ଜେଏମଏମର ସାନିକା କୁଜୁର ନିର୍ବାଚିତା ହୋଇଥିଲେ। ପରବର୍ତ୍ତୀ ୨୦୧୨ ନିର୍ବାଚନରେ ବିଜେଡି ଏକ ତରଫା ବିଜୟ ହାସଲ କରି ପରିଷଦ ଗଠନ କରିଥିଲା। ସେଥିରେ ବିଜେଡି ୧୯ଟି, କଂଗ୍ରେସ ୮, ସ୍ବାଧୀନ ୭ ଓ ଜେଏମଏମ ଗୋଟିଏ ଆସନରେ ବିଜୟୀ ହୋଇଥିଲେ। ନିର୍ବାଚନରେ ବିଜେପି, ସିପିଆଇ, ସିପିଏମ୍ ଗୋଟିଏ ବି ଆସନ ଜିଣି ପାରି ନଥିଲେ। ବିଜେଡିର ପିତ୍ରୁସ ଟପ୍ପୋ ସଭାପତି ଓ ସରସ୍ବତୀ ନାଏକ ଉପସଭାନେତ୍ରୀ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୭ ନିର୍ବାଚନରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାଜନୀତିରେ କିଏ ସ୍ଥାୟୀ ଶତ୍ରୁ ନୁହନ୍ତି, ତାକୁ ପ୍ରତିପାଦିତ କରିଥିଲା ଏହି ନିର୍ବାଚନ।
ଏଥିରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଓ ବିଜେଡି ହାତ ମିଳାଇଥିଲେ। ଉକ୍ତ ନିର୍ବାଚନରେ ବିଜେଡି ସର୍ବାଧିକ ୧୪ଟି ଆସନ ପାଇଥିବା ବେଳେ ତା’ ପଛକୁ ବିଜେପି ୧୩, କଂଗ୍ରେସ ୫ ଓ ସ୍ବାଧୀନ, ସିପିଆଇ, ସିପିଏମ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିଲେ। ବିଜେଡି-କଂଗ୍ରେସ ମେଣ୍ଟରେ ବିଜେଡିର ଏମା ଏକ୍କା ସଭାନେତ୍ରୀ ଓ କଂଗ୍ରେସର କାଶୀନାଥ ରାଉତ ଉପସଭାପତି ନିର୍ବାଚିତ ହୋଇଥିଲେ।