ପୁଲିସ ପ୍ରଶାସନର ମିଳିତ ଚଢ଼ଉ, ୧୮ କ୍ରସର ସିଲ୍‌

ଯାଜପୁର/କବାଟବନ୍ଧ : ଧର୍ମଶାଳା ତହସିଲ କଳାପଥର ‌କେଳେଙ୍କାରୀକୁ ରୋକିବାରେ ସ୍ଥାନୀୟ ପ୍ରଶାସନ ସଂପୂର୍ଣ୍ଣ ଫେଲ୍ ମାରିଛି। ଯାହାକି ଚଳିତ ବର୍ଷ ଧର୍ମଶାଳା ତହସିଲ ରାଜସ୍ବ ଆଦାୟ ଜିଲ୍ଲାରେ ସର୍ବନିମ୍ନ ବୋଲି ରେକର୍ଡ ହୋଇଛି। କେବେ ବି ଏଭଳି  ବିଫଳତା ଦେଖିବାକୁ ମିଳିନଥିଲା। ଅର୍ଥିକ ବର୍ଷ ପରେ କାଁ ଭାଁ ଚଢ଼ଉକୁ ନେଇ ଲୋକମାନଙ୍କ ମଧ୍ୟରେ ଏବେ ସନ୍ଦେହ ବୃଦ୍ଧି ପାଇବାରେ ଲାଗିଲାଣି। ଆଜି ଧର୍ମଶାଳା ତହସିଲ ଓ ଜେନାପୁର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ଧର୍ମଶାଳା ତହସିଲ ଚକ୍ରଧରପୁର ପଞ୍ଚାୟତ ଅନ୍ତର୍ଗତ କୁସୁନପୁର ପାହାଡ଼ ତଳେ ଥିବା ୧୮ଟି କ୍ରସରକୁ ସିଲ୍ କରାଯାଇଛି।

ଏହି ସିଲ୍ କେଉଁ ଉଦେଶ୍ୟରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଦୀର୍ଘ ଦିନ ହେଲାଣି କୁସୁନପୁର ପାହାଡ଼(ଜଙ୍ଗଲ ଜମି)ରେ ମାଫିଆମାନେ ମେସିନ୍ ଲଗାଇ ବିରାଟ ବିରାଟ ଗାଡ଼ କୋଟି କୋଟି ଟଙ୍କା କଳାପଥର ଦିନରାତି ଚୋରା ଚାଲାଣ କରୁଥିଲେ। ତହସିଲ ଜାଣିବା ପରେ ବି ଚଢଉ କରିନଥିଲା। ଯାହାକୁ ନେଇ ବାରମ୍ବାର ‘ସମ୍ବାଦ’ରେ ଫଟୋ ସହିତ ଖବର ପ୍ରକାଶ  ପାଇବା ପରେ ଜେନାପୁର ପୁଲିସ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଆଜି ରାଜସ୍ବ ବିଭାଗ ଦ୍ବାରା ୧୮ଟି କ୍ରସରକୁ ସିଲ କରାଯାଇଛି।

ଏହା ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ କି ବୋଲି ପ୍ରଶ୍ନ ହେଉଛି। ଆଜି ଚଢଉରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ, ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି, ଜେନାପୁର ଥାନା ଆଇଆଇସି ଉମାକାନ୍ତ ନାୟକ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁ, ଚନ୍ଦନ କୁମାର ସାହୁ, ବିରଞ୍ଚି ନାରାୟଣ ବୋଇତେଇ, ମାନସ କୁମାର ବେଜ୍ , ଏଆରଆଇ ଜଗବନ୍ଧୁ ଜେନା ପ୍ରମୁଖ ଚଢଉରେ ସାମିଲ ହୋଇଥିଲେ। ଏହା ସହ କ୍ରସର ୟୁନିଟର ସମସ୍ତ କାଗଜପତ୍ର ତହସିଲ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ମଧ୍ୟ ସମସ୍ତ କ୍ରସର ମାଲିକମାନଙ୍କୁ ନୋଟିସ୍ କରାଯାଇଛି।

ସମ୍ବନ୍ଧିତ ଖବର